Advertisment

‘ଖାନାଉରି ସୀମାରେ ଆଖି ବୁଜିଥିବା ଚାଷୀଙ୍କ ପରିବାକୁ ମିଳିବ କୋଟିଏ ଟଙ୍କା’

ଚାଷୀ ଆନ୍ଦୋଳନ ବେଳେ ଆଖି ବୁଜିଥିବା ୨୧ ବର୍ଷୀୟ ଚାଷୀ ଶୁଭକରଣ ସିଂଙ୍କ ପରିବାରକୁ ମିଳିବ ଏକ କୋଟି ଆର୍ଥିକ ସହାୟତା। ଏଥିସହ ତାଙ୍କର ଜଣେ ଛୋଟ ଭଉଣୀଙ୍କୁ ବି ମିଳିବ ସରକାରୀ ଚାକିରି ।

author-image
Niharika Rout
ଅଦ୍ୟତନ ହୋଇଛି
Punjab CM

Punjab CM

ଚାଷୀଙ୍କ ଦିଲ୍ଲୀ ଚଲୋ ଶୋଭାଯାତ୍ରା ବେଳେ ଖାନାଉରି ସୀମାରେ ଗତ ବୁଧବାର ଘଟିଥିବା ଅଘଟଣ ଯୋଗୁ ଶୁଭକରଣ ସିଂ ନାମକ ଯୁବକ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଆନ୍ଦୋଳନ ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିବା ବେଳେ ଆଜିର ଦିନକୁ ସଂଯୁକ୍ତ କିଶାନ ମୋର୍ଚ୍ଚା କଳା ଦିବସ ଭାବେ ପାଳନ କରୁଛି।

Advertisment

ଏପରି ସ୍ଥିତିରେ ଏକ ବଡ଼ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ଚାଷୀ ଆନ୍ଦୋଳନ ବେଳେ ଆଖି ବୁଜିଥିବା ୨୧ ବର୍ଷୀୟ ଚାଷୀ ଶୁଭକରଣ ସିଂଙ୍କ ପରିବାରକୁ ମିଳିବ ଏକ କୋଟି ଆର୍ଥିକ ସହାୟତା। ଏଥିସହ ତାଙ୍କର ଜଣେ ଛୋଟ ଭଉଣୀଙ୍କୁ ବି ମିଳିବ ସରକାରୀ ଚାକିରି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ସେ ଚେତାବନୀ ଦେଇଛନ୍ତି।

Advertisment

ବୁଧବାର ଚାଷୀଙ୍କ ଦିଲ୍ଲୀ ଚଲୋ ଶୋଭାଯାତ୍ରା ବେଳେ ଅଘଟଣ ଘଟିଥିଲା। ଖାନାଉରି ସୀମାରେ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଶୁଭକରଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଥିଲେ। ମୃତ ଶୁଭକରଣ ଘରର ଏକମାତ୍ର ପୁଅ ଥିବା ବେଳେ ତାଙ୍କର ଦୁଇ ଭଉଣୀ ଅଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇ ପଡ଼ିଥିବାରୁ ଏପରି ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।

ଶୁଭକରଣଙ୍କ ମୃତ୍ୟୁକୁ ବିରୋଧ କରି ଚାଷୀମାନେ ଆଜି କଳା ଦିବସ ପାଳନ କରୁଥିବା ବେଳେ ଆନ୍ଦୋଳନକୁ ଦୁଇ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏଥିସହ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ହରିଆଣା ଗୃହ ମନ୍ତ୍ରୀ ଅନୀଲ ବିଜଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି ଚେତାବନୀ ଦେଇଛନ୍ତି। ଫେବୃଆରୀ ୨୬ରେ ଦେଶର ବିଭିନ୍ନ ଜାତୀୟ ରାଜପଥରେ ଟ୍ରାକ୍ଟର ରାଲି ଆୟୋଜନ କରାଯିବ ବୋଲି ବି ଘୋଷଣା କରିଛନ୍ତି। ଆସନ୍ତା ୧୪ରେ ଦିଲ୍ଲୀର ରାମଲୀଳା ମଇଦାନରେ ଅଖିଳ ଭାରତୀୟ କିଷାନ ମହାପଞ୍ଚାୟତ କରାଯିବ ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା କହିଛି।

Punjab Farmers Protest Haryana