Advertisment

ନକ୍ସଲଙ୍କ ବଡ଼ଧରଣର ହମଲା: ଆଇଇଡି ବିସ୍ଫୋରଣରେ ୧୧ ସହିଦ

ଦାନ୍ତେୱାଡାର ଅରନପୁର କ୍ଷେତ୍ରରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଗୋଟିଏ ଗାଡ଼ିରେ ୧୦ ଜଣ ଡିଆରଜି ଯବାନ ଅପରେସନରେ ବାହାରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Naxal

Naxal

ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ାରେ ହୋଇଛି ବଡ଼ ହମଲା। ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜିଲ୍ଲା ସଂରକ୍ଷଣ ଗାର୍ଡ(ଡିଆରଜି)ର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୁଲିସ୍‌ ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ୧୦ ଯବାନ ଓ ଡ୍ରାଇଭର ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି।

Advertisment

ମଳିଥିବା ସୂଚନା ଅନୁସାରେ, ଦାନ୍ତେୱାଡାର ଅରନପୁର କ୍ଷେତ୍ରରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଗୋଟିଏ ଗାଡ଼ିରେ ୧୦ ଜଣ ଡିଆରଜି ଯବାନ ଅପରେସନରେ ବାହାରିଥିଲେ। ସେମାନେ ନକ୍ସଲ ବିରୋଧୀ ଅପରେସନରୁ ଅପରାହ୍ନ ସମୟରେ ଫେରୁଥିବା ବେଳେ ଆଇଆଇଡି ବିସ୍ଫୋରଣରେ ସହିଦ ହୋଇଛନ୍ତି।

ପୁଲିସ୍‌ କର୍ମଚାରୀମାନେ ଫେରୁଥିବା ରାସ୍ତାରେ ନକ୍ସଲମାନେ ଆଇଆଇଡି ବିଛାଇ ରଖିଥିଲେ। ଗାଡ଼ିଟି ଏହା ସଂସ୍ପର୍ଶରେ ଆସିବା କ୍ଷଣି ବିସ୍ଫୋରଣ ଘଟିଥିଲା। ଏହା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ବେଶ କିଛି ବାଟ ଛିଟିକି ଯାଇଥିଲା ଓ ଏଥିରେ ଥିବା ସମସ୍ତ ୧୧ ଜଣ ସହିଦ ହୋଇଥିଲେ। ରାଜ୍ୟ ପୁଲିସ୍‌ ଅଧୀନରେ ଡିଆରଜି କାମ କରିଥାଏ। ନକ୍ସଲ ବିରୋଧୀ ଅପରେସନ ପାଇଁ ଏହି ସ୍ୱତନ୍ତ୍ର ଫୋର୍ସ ଗଠନ କରାଯାଇଥିଲା। ଏଥିରେ ସ୍ଥାନୀୟ ଆଦିବାସୀଙ୍କୁ ଅଧିକ ସଂଖ୍ୟାକରେ ନିଯୁକ୍ତି ଦିଆଯାଇଥାଏ। 

Advertisment

ଆଜିର ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ପ୍ରକାଶ କରିବା ସହ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ନକ୍ସଲ ବିରୋଧୀ ଲଢ଼େଇ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନକ୍ସଲମାନଙ୍କୁ ଆଦୌ ଛଡ଼ା ଯିବନି ବୋଲି ସେ କହିଛନ୍ତି। 

ସେହିପରି ନକ୍ସଲ ହମଲା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସହ ଫୋନ ଯୋଗେ ମଧ୍ୟ କଥା ହୋଇଛନ୍ତି। ସେ ସ୍ଥିତିର ସମୀକ୍ଷା କରିବା ସହ କେନ୍ଦ୍ର ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଘଟଣା ପରେ ଛତିଶଡ଼ଗଡ଼ ଆଇଜି ସୁନ୍ଦରାଜ ଜରୁରୀ ବୈଠକ ଡାକିଛନ୍ତି। 

ଛତିଶଗଡ଼ ସରକାର ସହିଦ ଯବାନ ଓ ପ୍ରାଣ ହରାଇଥିବା ଡ୍ରାଇଭରଙ୍କ ନାଁ ମଧ୍ୟ ସାର୍ବଜନୀନ କରିଛନ୍ତି। ସହିଦ ଯବାନମାନେ ହେଲେ ଜଗା ସୋଡି, ମୁନ୍ନାରାମ କଡତି, ସନ୍ତୋଷ ତାମୋ, ଦୁଲଗି ମଣ୍ଡାବି, ଲଖମୁ ମଡକାମ, ଜଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରତମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ। ସେହିପରି ମୃତ ଡ୍ରାଇଭର ଜଣଙ୍କ ହେଲେ ଧନୀରାମ ଯାଦବ।

ଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ ନକ୍ସଲମାନେ କରିଥିବା ଆଇଇଡି ହମଲା ଯୋଗୁ ଘଟଣା ସ୍ଥଳରେ ୧୦ ଯବାନ ଓ ଜଣେ ଡ୍ରାଇଭରଙ୍କ ପ୍ରାଣ ହରାଇଛନ୍ତି। ଘଟଣା ସ୍ଥଳରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି। 

ଘଟଣାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। 

Chhattisgarh Naxal Attack DRG