Advertisment

ଆରଜି କର ମେଡିକାଲ କଲେଜ ଓ ହସପିଟାଲରୁ ୧୦ ଡାକ୍ତର ବହିଷ୍କୃତ

ସେମାନଙ୍କ ନାଁଗୁଡ଼ିକୁ ରାଜ୍ୟ ମେଡିକାଲ କାଉନସିଲକୁ ପଠାଇ ଦିଆଯାଇଛି। ସେମାନେ ଘଟଣାର ସମୀକ୍ଷା କରି ଏହି ଡାକ୍ତରମାନଙ୍କ ମେଡିକାଲ ରେଜିଷ୍ଟ୍ରେସନ ବାତିଲ କରିପାରିବେ।

author-image
Jitendra Garnayak
R G Kar Hospital

R G Kar Hospital

ପୁଣି ଚର୍ଚ୍ଚାକୁ ଆସିଛି କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲ। ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛି ଆରଜି କର ମେଡିକାଲ କଲେଜ ଓ ହସପିଟାଲର ଇଣ୍ଟରନାଲ କାଉନସିଲ। ଏହି ଡାକ୍ତରମାନଙ୍କ ବିରୋଧରେ ଧମକ ଦେବା, ହଇରାଣ କରିବା, ରାଗିଂ କରିବା ଓ ଟଙ୍କା ଆଦାୟ କରିବା ଭଳି ଅଭିଯୋଗ ଆସିଥିବା ବେଳେ ଏହାର ତଦନ୍ତ କରି ସେମାନଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କ ସହିତ ବିଶୃଙ୍ଖଳିତ ଆଚରଣ ପାଇଁ ଆଉ ୫୯ ଜଣଙ୍କୁ ସାମୟିକ ଭାବେ ନିଲମ୍ବିନ କରାଯାଇଛି। ଏହି ୫୯ ଜଣଙ୍କ ମଧ୍ୟରେ ଇଣ୍ଟର୍ନ, ବିଦ୍ୟାର୍ଥୀ ଓ ହାଉସ ଷ୍ଟାଫ ଅଛନ୍ତି।

Advertisment

ଯେଉଁ ଡାକ୍ତରମାନଙ୍କୁ ବହିଷ୍କାର କରାଯାଇଛି, ସେମାନେ ହେଉଛନ୍ତି- ସୌରଭ ପଲ, ଆଶିଷ ପାଣ୍ଡେ (ସିବିଆଇ ଦ୍ୱାରା ଗିରଫ ହୋଇଥିଲେ), ଅଭିଷେକ ସେନ, ଆୟୁଶ୍ରୀ ଥାପା, ନିରଜନ ବାଗଚୀ, ସରିଫ ହସନ, ନିଲାଗ୍ନୀ ଦେବନାଥ, ଅମରେନ୍ଦ୍ର ସିଂହ, ସତପାଲ ସିଂହ ଓ ତନଭୀର ଅହମଦ କାଜି। ସେମାନଙ୍କୁ ହଷ୍ଟେଲ ଖାଲି କରିବା ପାଇଁ ୭୨ ଘଣ୍ଟା ସମୟ ଦିଆଯାଇଛି। ସେମାନଙ୍କ ନାଁଗୁଡ଼ିକୁ ରାଜ୍ୟ ମେଡିକାଲ କାଉନସିଲକୁ ପଠାଇ ଦିଆଯାଇଛି। ସେମାନେ ଘଟଣାର ସମୀକ୍ଷା କରି ଏହି ଡାକ୍ତରମାନଙ୍କ ମେଡିକାଲ ରେଜିଷ୍ଟ୍ରେସନ ବାତିଲ କରିପାରିବେ।

ଏହି ଡାକ୍ତରମାନଙ୍କ ବିରୋଧରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆସିଥିଲା। ରାଗିଂ କରିବାଠାରୁ ଆରମ୍ଭ କରି କଲେଜରୁ ବାହାର କରି ଦେବା ତଥା ଫେଲ୍ କରାଇ ଦେବା ଭଳି ଅଭିଯୋଗ ସେମାନଙ୍କ ବିରୋଧରେ ଆସିଥିଲା। ଅନେକ ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି ଯେ ଏହି ଡାକ୍ତରମାନେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ପାର୍ଟିରେ ସାମିଲ ହେବାକୁ ଚାପ ପକାଉଥିଲେ। ସେମାନଙ୍କ ଦ୍ୱାରା ଆୟୋଜିତ ଶୋଭାଯାତ୍ରା ଓ ବୈଠକରେ ସାମିଲ ନହେଲେ ହଇରାଣ କରୁଥିଲେ।

Advertisment

ବହିଷ୍କୃତ ହୋଇଥିବା ଡାକ୍ତରମାନଙ୍କର ଆରଜି କର ମେଡିକାଲ କଲେଜ ଓ ହସପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସହିତ ସଂପର୍କ ଥିଲା। ତେଣୁ ସେମାନେ ସେମାନଙ୍କ ଦାବି ପୂରଣ ନ ହେଲେ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷାର ଫେଲ୍ କରାଇ ଦେବେ ବୋଲି ଧମକ ଦେଉଥିଲେ। ବିଳମ୍ବିତ ରାତିରେ ସେମାନେ ବିଦ୍ୟାର୍ଥୀମାନଙ୍କୁ ମଦ ଆଣିବାକୁ ବାଧ୍ୟ କରୁଥିଲେ। ଏମିତିକି କମନ୍ ରୁମ୍‌ରେ ଜୁନିୟରମାନଙ୍କୁ ଅପମାନିତ କରୁଥିଲେ। ଏମିତି ଅନେକ ଅଭିଯୋଗ ଆସିବା ପରେ ତଦନ୍ତ କରି ଆରଜି କର ମେଡିକାଲ କଲେଜ ଓ ହସପିଟାଲର ଇଣ୍ଟରନାଲ କାଉନସିଲ ସେମାନଙ୍କୁ ବହିଷ୍କାର କରିଛି। ସେହିପରି ନିଲମ୍ବିତ ହୋଇଥିବା ଅନ୍ୟ ୫୯ ଜଣଙ୍କ ମଧ୍ୟରୁ ୪୩ ଜଣଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଛି। ଇଣ୍ଟରନାଲ କାଉନସିଲ ତା’ର ତଦନ୍ତ ଜାରି ରଖିଥିବା ବେଳେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି।

ଗତ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହା ପରେ ଏଠାରେ ଚାଲିଥିବା ସମସ୍ତ ପ୍ରକାର ବିଶୃଙ୍ଖଳିତ କାର୍ଯ୍ୟ ଓ ଅନିୟମିତତା ସାମ୍ନାକୁ ଆସିଥିଲା।

RG Kar Medical College