Advertisment

ଏନକାଉଣ୍ଟର: ଟଳିଲେ ୧୨ ନକ୍ସଲ, ସର୍ଚ୍ଚ ଅପରେସନ ଜାରି

ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ୧୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି।

author-image
Hemant Lenka
Naxal

Naxal

ଛତିଶଗଡ଼ରେ ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ବେଳେ ପ୍ରାଣ ହରାଇଛନ୍ତି ୧୨ ଜଣ ନକ୍ସଲ। ପ୍ରଥମେ ୮ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଥିଲା।

Advertisment

କିନ୍ତୁ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ୧୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ବିଜାପୁର ଜିଲ୍ଲା ଗାଙ୍ଗାଲୁର ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ପିଡ଼ିଆ ଗାଁ ପାଖରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀମାନେ ନକ୍ସଲ ବିରୋଧୀ ଅପରେସନ କରୁଥିଲେ। ଏଠାରେ ୩୦ରୁ ୪୦ ଜଣ ନକ୍ସଲ ଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ସେମାନେ ସେଠାରେ କିଛି ଦିନ ହେବ କ୍ୟାମ୍ପ କରି ରହିଥିଲେ।

Advertisment

ଖବର ପାଇବା ପରେ ସୁକମା, ଦାନ୍ତେୱାଡା ଓ ବିଜାପୁର ଭଳି ତିନି ଜିଲ୍ଲାର ପୁଲିସ ସହିତ CRPFର କୋବ୍ରା ଯବାନମାନେ ମିଳିତ ଭାବେ ଏହି ବଡ଼ ଧରଣର ଅପରେସନ କରିଥିଲେ। ବସ୍ତର ପୁଲିସ୍ ଆଇଜି ସୁନ୍ଦରରାଜ ପି. ଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା। ସେହିଭଳି ତିନି ଜିଲ୍ଲାର SPଙ୍କ ସମେତ ବସ୍ତର DIG ଏହି ଅପରେସନ ଉପରେ ନଜର ରଖିଥିଲେ।

ସୁରକ୍ଷାକର୍ମୀମାନେ ଜଙ୍ଗଲ ଭିତରେ ଆଗକୁ ବଢ଼ୁଥିବା ବେଳେ ନକ୍ସଲଙ୍କ ନଜର ସେମାନଙ୍କ ଉପରେ ପଡ଼ିଥିଲା। ସେମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟ ବିଳମ୍ବିତ ସନ୍ଧ୍ୟାରେ ଶେଷ ହୋଇଥିଲା।

ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ କହିଛନ୍ତି, “ଗାଙ୍ଗାଲୁର ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟର ଶେଷ ହୋଇଛି। ଆମ ସୁରକ୍ଷାକର୍ମୀମାନେ ୧୨ଟି ମୃତଦେହ ଜବତ କରିଛନ୍ତି। ଏବେ ସର୍ଚ୍ଚ ଅପରେସନ ଜାରି ରହିଛି।” ମୁଖ୍ୟମନ୍ତ୍ରୀ ଏହି ସଫଳ ଅପରେସନ ପାଇଁ ସୁରକ୍ଷାକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୃତ ନକ୍ସଲଙ୍କଠାରୁ ଅତ୍ୟାଧୁନିକ ବନ୍ଧୁକ ସହ ଅନେକ ଅସ୍ତ୍ରଶସ୍ତ୍ର ମିଳିଛି।

ଗତ ଏପ୍ରିଲ ୧୬ ତାରିଖରେ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର୍‌ରେ ପ୍ରାଣ ହରାଇଥିଲେ ୨୯ ନକ୍ସଲ। ସେହି ନିହତ ନକ୍ସଲଙ୍କ ମଧ୍ୟରେ ଥିଲେ ସଂଗଠନର ଟପ କମାଣ୍ଡର ଶଙ୍କର ରାଓ। ତା’ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଗତ ଦୁଇ ତିନି ମାସ ଭିତରେ ଛତିଶଗଡ଼ରେ ଏନ୍‌କାଉଣ୍ଟରେ ପ୍ରାୟ ୧୦୨ ନକ୍ସଲ ନିହତ ହୋଇସାରିଲେଣି।

Chhattisgarh Naxal Encounter