Advertisment

ନାବାଳିକାଙ୍କୁ ଅପହରଣ ପରେ କନ୍ୟା ସଜାଇ ୧୫ ଜଣଙ୍କୁ ବିକ୍ରି କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ

ଏହିକ୍ରମରେ ଜଣେ ୧୩ ବର୍ଷୀୟ ଝିଅକୁ କିଛି ଲୋକ ପ୍ରଥମେ ଅପହରଣ କରିବା ପରେ ତାଙ୍କୁ କନ୍ୟା ସଜାଇ ୮ ବର୍ଷରେ ୧୫ ଜଣଙ୍କୁ ବିକ୍ରି କରିଥିବା ପୁଲିସ୍‌ ଜାଣିବାକୁ ପାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Gujarat

Gujarat

ଗୁଜରାଟରେ ଚାଲିଥିବା ମାନବା ଚାଲାଣ ରାକେଟର ସାଂଘାତିକ ସତ ସାମ୍ନାକୁ ଆସିଛି। କେମିତି ରାଜ୍ୟର ବିଭିନ୍ନ ସ୍ଥାନରୁ ନାବାଳିକାଙ୍କୁ ଅପହରଣ କରାଯାଉଛି ଓ ସେମାନଙ୍କୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଛି, ତା’ର ପର୍ଦ୍ଦାଫାସ ହୋଇଛି।

Advertisment

ଏହିକ୍ରମରେ ଜଣେ ୧୩ ବର୍ଷୀୟ ଝିଅକୁ କିଛି ଲୋକ ପ୍ରଥମେ ଅପହରଣ କରିବା ପରେ ତାଙ୍କୁ କନ୍ୟା ସଜାଇ ୮ ବର୍ଷରେ ୧୫ ଜଣଙ୍କୁ ବିକ୍ରି କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ୩୦ରୁ ୪୫ ବର୍ଷୀୟ ବ୍ୟକ୍ତିମାନଙ୍କୁ ବିଭିନ୍ନ ସମୟରେ ନାବାଳିକାଙ୍କୁ ବିକ୍ରି କରାଯାଇଥିଲା। ଏହା ପଛରେ ଥିବା ଗ୍ୟାଙ୍ଗ କେବଳ ଏହି ଜଣେ ନାବାଳିକାଙ୍କୁ ନୁହନ୍ତି, ଅନେକଙ୍କ ସହ ଏମିତି କରିଛନ୍ତି। ୨ରୁ ୨.୫ ଲକ୍ଷ ଟଙ୍କାରେ ନାବାଳିକାମାନଙ୍କୁ ବିକ୍ରି କରାଯାଇଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି। 

ପୁଲିସ୍‌ର କହିବା ଅନୁଯାୟୀ, ଗୁଜରାଟରେ ୧୩ ବର୍ଷୀୟ ଝିଅ ନିଶା(ଛଦ୍ମନାମ)ଙ୍କୁ କନ୍ୟା ସଜାଇ ୮ ବର୍ଷ ମଧ୍ୟରେ ୧୫ ଜଣ ଲୋକଙ୍କୁ ବିକ୍ରି କରାଯାଇଛି। ନିଶାଙ୍କୁ ବ୍ୟବହାର କରି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅଶୋକ ପଟେଲ ଓ ଗୁଜରାଟ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ରହୁଥିବା ତା’ର ସହଯୋଗୀମାନେ ବିଭିନ୍ନ ସ୍ଥାନରୁ ଅନ୍ୟ ୧୫ ଜଣ ଝିଅଙ୍କୁ ଅପହରଣ କରିଥିଲେ।

Advertisment

ଏହାପରେ ସେମାନଙ୍କୁ ବିକ୍ରି କରୁଥିଲେ। ପୁଲିସ୍‌ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲେ ମଧ୍ୟ ନିଶାଙ୍କୁ ପାଇନାହିଁ। କାରଣ ସେ ହିଁ ଗ୍ୟାଙ୍ଗର ପ୍ରଥମ ଶିକାର ଥିଲେ। ତେଣୁ ଅଭିଯୁକ୍ତମାନଙ୍କ ବିରୋଧରେ ତାଙ୍କ ବୟାନ ରେକର୍ଡ କରିବା ପୁଲିସ୍‌ ପାଇଁ ଜରୁରୀ ହୋଇଯାଇଛି।

ମେ’ ୧୧ରେ ଅହମଦାବାଦ ଜିଲ୍ଲା କାନଭା ଗାଁରୁ ଜଣେ କିଶୋରୀ ନିଖୋଜ ହୋଇଯାଇଥିଲେ। ଏହି ଘଟଣାର ତଦନ୍ତ କରିବା ବେଳେ ପୁଲିସ୍‌ ଝିଅମାନଙ୍କୁ ଅପହରଣ କରି ବିକ୍ରି କରୁଥିବା ରାକେଟ ପାଖରେ ପହଞ୍ଚିଥିଲା। ପୁଲିସ୍‌ କିଶୋରୀଙ୍କୁ ଗାନ୍ଧିନଗର ନିକଟ ବୋରୁ ଗାଁରୁ ଉଦ୍ଧାର କରିଥିଲା।

ଏହି ସମୟରେ ମାଷ୍ଟର ମାଇଣ୍ଡ ଅଶୋକ ପଟେଲ, ତା’ ପତ୍ନୀ ରେଣୁକା, ୧୬ ବର୍ଷୀୟ ପୁଅ ଓ ରୂପାଲ ମେକୱାନ ନାମକ ଜଣେ ମହିଳାଙ୍କ ନାଁ ଜାଣିବାକୁ ସକ୍ଷମ ହୋଇଥିଲା। ଏମାନେ ସମସ୍ତେ ଓଦ୍ଧବ ଅଞ୍ଚଳରେ ରୁହନ୍ତି। ଏମାନଙ୍କୁ ଧରିବା ପରେ ପୁଲିସ୍‌ ସେମାନଙ୍କ ସହଯୋଗୀ ମୋତି ସେନମା, ଅମରଜିତ ଠାକୋର ଓ ଚେହର ସିଂହ ସୋଲାଙ୍କିଙ୍କୁ ମଧ୍ୟ ଧରିଥିଲା।

ତଦନ୍ତ ବେଳେ ମାନବ ଚାଲାଣର ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏହି ଗ୍ୟାଙ୍ଗ ଦ୍ୱାରା ଚାଲାଣ ହୋଇଥିବା ୭ ଜଣ ନାବାଳିକାଙ୍କର ପତ୍ତା ଏଯାଏ ମିଳିନି। ତେବେ ଏହି ସଂଖ୍ୟା ଆହୁରି ଅଧିକ ଥାଇ ପାରେ ବୋଲି ପୁଲିସ ଆଶଙ୍କା କରୁଛି।

କାନଭା ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଅଶୋକ ପଟେଲ ପ୍ରଥମେ ଅହମଦାବାଦରୁ ଅପହରଣ କରିଥିଲା। ସେ ବିକ୍ରି ପାଇଁ ରାଜି ହେବା ଯାଏ ତାଙ୍କୁ ସେ ଦୁଷ୍କର୍ମ କରିବା ସହ ବିଭିନ୍ନ ପ୍ରକାରର ନିର୍ଯାତନା ଦେଇଥିଲା। ନାବାଳିକା ଜଣଙ୍କ ବିକ୍ରି ପାଇଁ ରାଜି ହୋଇଯିବାରୁ ଅଶୋକ ଓ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ତାଙ୍କୁ କନ୍ୟା ଭାବେ ଉପସ୍ଥାପନ କରିବା ଆରମ୍ଭ କରିଥିଲା।

୨୦୧୫ରୁ ନାବାଳିକାଙ୍କୁ ପ୍ରତି ବର୍ଷ ଅତି କମରେ ୨ ଜଣଙ୍କୁ ବିବାହ କରିବା ପାଇଁ ବାଧ୍ୟ କରାଯାଉଥିଲା। ଅଶୋକ ଓ ତା’ର ସହଯୋଗୀମାନେ ନିଶା ଦ୍ୱାରା ଅନ୍ୟ ଝିଅମାନଙ୍କୁ ମଧ୍ୟ ଅପହରଣ କରୁଥିଲେ। ନିଶାଙ୍କ ପାଖରେ କୌଣସି ଉପାୟ ନଥିବାରୁ ସେ ମଧ୍ୟ ଅଭିଯୁକ୍ତମାନଙ୍କ କଥାରେ ବାଧ୍ୟ ହୋଇ ରାଜି ହେଉଥିଲେ।”

ପୁଲିସ୍‌ ଏବେ ଗ୍ୟାଙ୍ଗ ଦ୍ୱାରା ଚାଲାଣ ହୋଇଥିବା ମୁମ୍ବାଇର ଜଣେ ଝିଅଙ୍କୁ ଖୋଜୁଛି। ଅଶୋକ ତାଙ୍କୁ ବିକ୍ରି କରିଥିଲା। ଅଶୋକର ଲିଙ୍କ ରାଜସ୍ଥାନ ଓ ମହାରାଷ୍ଟ୍ରରେ ଚାଲିଥିବା ମାନବ ଚାଲାଣ ସହ ମଧ୍ୟ ରହିଛି। ତେଣୁ ପୁଲିସ୍‌ ଏ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।

Gujarat