Advertisment

ରେଳ ଦୁର୍ଘଟଣା:୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୪୫ ଟ୍ରେନ୍‌ ବାତିଲ

ମରାମତି ପାଇଁ ୯୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Train Accident

Train Accident

ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ରେ ହୋଇଥିବା ଟ୍ରେନ୍‌ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

Advertisment

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୨ଜଣ ମହିଳା ଥିବା ଜଣାପଡ଼ିଛି। ସମସ୍ତଙ୍କ ଘର ଆନ୍ଧ୍ରପ୍ରଦେଶ। ଏବେ ବି ୩ ଜଣଙ୍କର ପରିଚୟ ମିଳିନାହିଁ। ତେବେ ମୃତକ ମଧ୍ୟରେ ଓଡ଼ିଶାର କେହି ନଥିବା ସୂଚନା ଦେଇଛନ୍ତି ବିଜୟନଗରମ ଯୁଗ୍ମ ଜିଲ୍ଲାପାଳ କେ. ମୟୂର ଅଶୋକ। ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।

ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି। ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛି ରେଳ ବିଭାଗ। ଗୁରୁତର ଆହତ ଯାତ୍ରୀଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ଦିଆଯିବ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Advertisment

ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ମରାମତି କାମ ଚାଲିଛି। ଟ୍ରାକ ଉପରେ ବଗି ପଡି ରହିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମରାମତି ପାଇଁ ୯୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅପରାହ୍ଣ ୪ଟା ସୁଦ୍ଧା ମରାମତି କାମ ଶେଷ ହେବ ବୋଲି ସିପିଆରଓ ସୂଚନା ଦେଇଛନ୍ତି।

ଦୁର୍ଘଟଣା ପରେ ଏହି ରୁଟରେ ଆସିବାକୁ ଥିବା ୪୫ଟି ଟ୍ରେନକୁ ବାତିଲ କରାଯାଇଛି। ସେହିଭଳି ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ୨୬ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୬ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍‌ଠାରୁ ୨୦୦ ମିଟର ଦୂରରେ ପଲାସା ପାସେଞ୍ଜର ଟ୍ରେନ୍‌ଟି ଛିଡ଼ା ହୋଇଥିଲା। ଠିକ୍‌ ସେହି ସମୟରେ ସେହି ଟ୍ରାକ୍‌ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ଟି ପଲାସା ପାସେଞ୍ଜରକୁ ଧକ୍କା ଦେଇଥିଲା।

Andhra Pradesh Train Accident Goods Train Accident Indian Railway