Advertisment

ବିଷାକ୍ତ ମଦ ନେଇଗଲା ୧୪ ଜଣଙ୍କ ଜୀବନ

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ ବିଷାକ୍ତ ମଦ ବିକ୍ରି କରିବା ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

author-image
Hemant Lenka
Liquor

Liquor

ପଞ୍ଜାବର ଅମୃତସର ଅନ୍ତର୍ଗତ ମାଜିଥା ବ୍ଲକ ଅଧୀନରେ ଥିବା ଏକାଧିକ ଗାଁରେ ଘଟିଛି ବଡ଼ ଅଘଟଣ। ଏଠାରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଏବେ ବିଷାକ୍ତ ମଦ ପିଇବା ଯୋଗୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଭାଙ୍ଗଲି, ତଙ୍ଗରା, ସଙ୍ଘା ଓ ମାରାରି କଲାନ ଗାଁରେ ଏପରି ଘଟଣା ଘଟିଛି।

Advertisment

ଅମୃତସରର ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବା ସହ ବିଷାକ୍ତ ମଦ ବିକ୍ରି କରିବା ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂରା ଘଟଣାରେ ଦୁଇଟି ଏଫଆଇଆର ରୁଜୁ ହୋଇଛି।

ଏଏସପି ମନିନ୍ଦର ସିଂହ କହିଛନ୍ତି, “ବିଷାକ୍ତ ମଦ ପିଇ ଲୋକମାନେ ପ୍ରାଣ ହରାଉଥିବା ଖବର ସୋମବାର ରାତି ପ୍ରାୟ ୯.୩୦ରେ ମିଳିଥିଲା। ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୪ ଜଣଙ୍କୁ ରାଉଣ୍ଡ ଅପ କରିଥିଲୁ। ଆମେ ମଦ ଯୋଗାଣକାରୀ ପରବଜିତ ସିଂହକୁ ଗିରଫ କରିଛୁ। ତା’କୁ ଜେରା କରିବା ପରେ କିଙ୍ଗପିନ ଶାହବ ସିଂହ ସମ୍ପର୍କରେ ସୂଚନା ମିଳିଥିଲା। ତା’କୁ ମଧ୍ୟ ହେପାଜତକୁ ନିଆଯାଇଛି।

Advertisment

ବିଭିନ୍ନ ସ୍ଥାନରେ ଏବେ ରେଡ୍‌ ଜାରି ରହିଛି। ଦେଶୀ ମଦ ତିଆରି କରୁଥିବା ଲୋକଙ୍କୁ ଜେରା କରାଯିବ। ବିଭିନ୍ନ ଦଫାରେ ୨ଟି ଏଫଆଇଆର ରୁଜୁ କରାଯାଇଛି। ସାଧାରଣ ପ୍ରଶାସନ ଓ ପୁଲିସ୍‌ ଟିମ ଘରଘର ବୁଲି ବିଷାକ୍ତ ମଦ ପିଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଚିକିତ୍ସିତ ହେଉଛନ୍ତି। ମାଜିଥା ବ୍ଲକ ଅଧୀନରେ ଥିବା ଏକାଧିକ ଗାଁରୁ ଏପରି ଘଟଣା ସାମ୍ନାକୁ ଆସିଛି।”

ମାଜିଥା ପୁଲିସ୍‌ ଷ୍ଟେସନର ଏସଏଚ୍‌ଓ ଅବତାର ସିଂହ ନିଶ୍ଚିତ କରିଛନ୍ତି ଯେ ଭାଙ୍ଗଲି, ତଙ୍ଗରା, ସଙ୍ଘା ଓ ମାରାରି କଲାନ ଗାଁର ଅଧିକାଂଶ ଲୋକ ବିଷାକ୍ତ ମଦ ଜନିତ ଅଘଟଣର ଶିକାର ହୋଇଛନ୍ତି। ଅମୃତସର ଡେପୁଟି କମିଶନର ସାକ୍ଷୀ ଏସ୍‌ ଘଟଣାକୁ ଦୁର୍ଭାଗ୍ୟଜନକ ଟ୍ରାଜେଡୀ ବୋଲି କହିଛନ୍ତି।

ସେ କହିଛନ୍ତି, “ଆମେ ଗତକାଲି ରାତିରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲୁ। ମଦ ପିଇଥିବା ପ୍ରାୟ ୫ ଗାଁର କିଛି ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଭାବିତ ଲୋକଙ୍କୁ ସରକାର ସମସ୍ତ ପ୍ରକାରର ସହାୟତା କରିବାକୁ ଉଦ୍ୟମ କରୁଛନ୍ତି। ମୃତ୍ୟୁସଂଖ୍ୟା କେମିତି ନ ବଢ଼ିବ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ଆମେ ମଦ ଯୋଗାଣକାରୀକୁ ଗିରଫ କରିଛୁ ଓ ଘଟଣାର ଅଧିକ ତଦନ୍ତ କରୁଛୁ।”

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ଏକ୍ସରେ ଘଟଣାରେ ମୃତକଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମାଜିଥା ଆଖପାଖରେ ଥିବା କିଛି ଗାଁର ଏକାଧିକ ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଉଥିବା ଭୟଙ୍କର ଖବର ପାଇଛି। ନିରୀହ ଲୋକଙ୍କୁ ମାରିଥିବା ହତ୍ୟାକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ। ଏହା ମୃତ୍ୟୁ ନୁହେଁ, ବରଂ ହତ୍ୟା। ବିଷାକ୍ତ ମଦ ଯୋଗୁ ସାଧାରଣ ଲୋକଙ୍କ ଘରେ ଦୁଃଖର ବାଦଲ ଆଣିଥିବା ଦୋଷୀଙ୍କୁ ଆଇନ ଅନୁସାରେ କଠୋର ଦଣ୍ଡ ଦିଆଯିବ। ମୁଁ ମୃତକଙ୍କ ଆତ୍ମାର ସଦଗତି କାମନା କରୁଛି। ସରକାର ପୀଡ଼ିତଙ୍କ ପରିବାର ସହ ରହିଛନ୍ତି। ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ।”

କୁହାଯାଉଛି ଯେ ଶାହିବ ସିଂହ ୫୦ ଲିଟର ମେଥନାଲ ଆଣିଥିଲା। ଏହାର ଅପବ୍ୟବହାର କରି ୧୨୦ ଲିଟର ବିଷାକ୍ତ ମଦ ପ୍ରସ୍ତୁତ କରିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଦେଶୀ ମଦ ବିକ୍ରି କରୁଥିବା ଲୋକଙ୍କୁ ଏହା ପଠାଇଥିଲା। ଏଥିଯୋଗୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

Punjab Toxic Liquor Liquor Factory