Advertisment

ନିପା ଭାଇରସ ନେଲା ୧୪ ବର୍ଷୀୟ ପିଲାର ଜୀବନ

ପୂର୍ବରୁ କେରଳରେ ୪ ଥର ନିପା ଭାଇରସ ଆତଙ୍କ ଦେଖିବାକୁ ମିଳିଥିଲା। ୨୦୧୮, ୨୦୧୨ ଓ ୨୦୧୩ରେ କୋଝିକୋଡ ଜିଲ୍ଲାରେ ନିପା ଭାଇରସରେ ଅନେକ ସଂକ୍ରମିତ ହୋଇଥିଲେ।

author-image
Hemant Lenka
Nipah

Nipah

କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ ଜଣେ ୧୪ ବର୍ଷୀୟ ପିଲାର ଜୀବନ ନେଇଛି। ଦିନକ ତଳେ ପିଲାଟି ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ମାଲାପୁରମ ଜିଲ୍ଲାର ଏହି ପିଲାଟିର ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ହୋଇଥିବା କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ପିଲାଟି ସକାଳ ୧୦.୫୦ ମିନିଟରେ ବଡ଼ଧରଣର ହୃଦଘାତର ସମ୍ମୁଖୀନ ହୋଇଥିଲା। ତେଣୁ ତା’କୁ ବଞ୍ଚାଇବାକୁ ଡାକ୍ତରମାନେ ସକ୍ଷମ ହୋଇନାହାନ୍ତି। ସେ ଭେଣ୍ଟିଲେଟରରେ ଥିଲା। ତା’ର ପରିସ୍ରା ଆଜି ସକାଳୁ ଏକ ପ୍ରକାରର ବନ୍ଦ ହୋଇ ଯାଇଥିଲା।

ହୃଦଘାତ ପରେ ତା’କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା। ହେଲେ ୧୧.୩୦ରେ ତା’କୁ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି। ମେଡିକାଲ ପ୍ରୋଟୋକଲ ଅନୁସାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସେ କହିଛନ୍ତି।

Advertisment

କେରଳ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ୪ ଜଣ ଲୋକ ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି। ସେମାନେ ହାଇ ରିସ୍କ ବର୍ଗରେ ରହିଛନ୍ତି। ସମସ୍ତଙ୍କୁ ମଞ୍ଜେରି ମେଡିକାଲ କଲେଜରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ମାଲାପୁରମ ଜିଲ୍ଲାର ପଣ୍ଡିକାଡ ନିପା ଭାଇରସର ମୂଳ କେନ୍ଦ୍ର ରହିଛି।

ନିପା ଭାଇରସ ସମ୍ପର୍କରେ ଲୋକଙ୍କୁ ପରାମର୍ଶ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ପଣ୍ଡିକାଡ଼ା ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରିବାକୁ କହିଛନ୍ତି। ସେହିପରି ହସ୍ପିଟାଲରେ ରୋଗୀଙ୍କୁ ଭେଟିବାକୁ ଯିବା ବେଳେ ମାସ୍କ ସହ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଲୋକମାନଙ୍କୁ କୌଣସି ପକ୍ଷୀ କିମ୍ବା ପଶୁ ଅଧା ଖଣ୍ଡିଆ କରିଥିବା ଫଳକୁ ନ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି।

ପୂର୍ବରୁ କେରଳରେ ୪ ଥର ନିପା ଭାଇରସ ଆତଙ୍କ ଦେଖିବାକୁ ମିଳିଥିଲା। ୨୦୧୮, ୨୦୧୨ ଓ ୨୦୧୩ରେ କୋଝିକୋଡ ଜିଲ୍ଲାରେ ନିପା ଭାଇରସରେ ଅନେକ ସଂକ୍ରମିତ ହୋଇଥିଲେ। ସେହିପରି ୨୦୧୯ରେ ଏର୍ଣ୍ଣାକୁଲମରେ ନିପା ଭାଇରସ ରୋଗୀ ଚିହ୍ନଟ ହୋଇଥିଲେ। ଏହାବାଦ କୋଝିକୋଡ, ୱାୟନାଡ, ଇଡୁକ୍କି, ମାଲାପୁରମ ଓ ଏର୍ଣ୍ଣାକୁଲମ ଜିଲ୍ଲାରେ ଲୋକଙ୍କ ଶରୀରରୁ ନିପା ଭାଇରସ ଆଣ୍ଟିବଡି ରହିଥିବା ଜଣାପଡ଼ିଥିଲା।

Kerala Nipah Virus