୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ସୁରକ୍ଷାକର୍ମୀ। ଏହି ନକ୍ସଲ ମୁକ୍ତ ଅଭିଯାନକୁ ଗୋଟିଏ ପରେ ଗୋଟିଏ ସଫଳତା ମଧ୍ୟ ମିଳିବାରେ ଲାଗିଛି। ଏହିକ୍ରମରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ୧୬ ଜଣ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ର ସୁକମା ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ଏପରି ସଫଳତା ମିଳିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
ସୁକମାର କେରଲାପାଲ ଅଞ୍ଚଳରେ ନକ୍ସଲଙ୍କ କ୍ୟାମ୍ପ ବିସିଥିବା ସୂଚନା ମିଳିଥିଲା। ସୂଚନା ମିଳିବା କ୍ଷଣି ଶୁକ୍ରବାର ରାତିରୁ ହିଁ ନକ୍ସଲ ଦମନ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ ବା ଡିଆରଜି ଓ ସିଆରପିଏଫ ଯବାନମାନେ ସାମିଲ ହୋଇଥିଲା। ମିଳିତ ଅପରେସନରେ ସାମିଲ ଥିବା ସୁରକ୍ଷାକର୍ମୀମାନେ ଆଗକୁ ବଢ଼ୁଥିବା ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଲଢ଼େଇ। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୬ ଜଣ ନକ୍ସଲ ନିହତ ହୋଇଛନ୍ତି।
ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହା ମଧ୍ୟରେ ୨ଟି ଏକେ ୪୭ ଓ ଅନେକ ଦେଶୀ ବନ୍ଧୁକ ରହିଛି। ସେହିପରି ଗୁଳିଗୋଳା ମଧ୍ୟ ମିଳିଛି। ଏନକାଉଣ୍ଟର ବେଳେ ୨ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ସୁକମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏନକାଉଣ୍ଟର ସ୍ଥଳରୁ ସୁରକ୍ଷାକର୍ମୀମାନେ ନକ୍ସଲମାନଙ୍କ ମୃତଦେହକୁ କ୍ୟାମ୍ପକୁ ଆଣିଛନ୍ତି। ଏବେ ସେମାନଙ୍କ ପରିଚୟ ଖୋଜା ଚାଲିଛି।
ଏହାପୂର୍ବରୁ ମାର୍ଚ୍ଚ ୨୦ରେ ଛତିଶଗଡ଼ର ବିଜାପୁର ଓ କାଙ୍କେରରେ ହୋଇଥିବା ୨ଟି ଏନକାଉଣ୍ଟରରେ ୩୦ ଜଣ ମାଓବାଦୀଙ୍କ ମୁଣ୍ଡ ଗଡ଼ିଥିଲା। ବିଜାପୁର ଏନକାଉଣ୍ଟର ସ୍ଥଳରୁ ୨୬ ଜଣ ଓ କାଙ୍କେରରୁ ୪ ଜଣ ମାଓବାଦୀଙ୍କ ମୃତଦେହକୁ ଜବତ କରାଯାଇଥିଲା।
ଗତ ମାସରେ ସୁରକ୍ଷାକର୍ମୀମାନେ ଇନ୍ଦ୍ରାବତୀ ନ୍ୟାଶନାଲ ପାର୍କ ଅଞ୍ଚଳରେ ଥିବା ଜଙ୍ଗଲରେ ୩୧ ଜଣ ନକ୍ସଲଙ୍କୁ ହତ୍ୟା କରିଥିଲେ। ସେହିପରି ୨ ଜଣ ଯବାନ ସହିଦ ହୋଇଥିଲେ। ଏକନ୍କାଉଣ୍ଟର ସ୍ଥଳରୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଥିଲା। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ବହୁ ମାତ୍ରାରେ ଏକେ-୪୭, ଏସ୍ଏଲ୍ଆର, ଇନ୍ସାସ୍ ରାଇଫଲ, .୩୦୩ ଓ ବିଜିଏଲ୍ ଲଞ୍ଚର ରହିଥିଲା।
ଜାନୁଆରୀ ୨୧ରେ ଓଡ଼ିଶା-ଛତିଶଗଡ଼ ସୀମାରେ ହୋଇଥିବା ଏନକାଉଣ୍ଟରେ ୨୦ ଜଣ ନକ୍ସଲ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରେ ବରିଷ୍ଠ ନକ୍ସଲ ନେତା ଜୟରାମ ରେଡ୍ଡୀ ରହିଥିଲା। ତା’କୁ ଧରିବା ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ପୁଲିସ୍ ତା’କୁ ଖୋଜୁ ଥିବା ବେଳେ ସେ ସବୁବେଳେ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଉଥିଲା।
ତେବେ ଜୟରାମ ସମେତ ଏକାଧିକ ନକ୍ସଲ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଠାରୁ ୫ କିମି ଦୂର ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଆଡ୍ଡା ଜମାଇଥିବା ଖବର ସୁରକ୍ଷାକର୍ମୀଙ୍କୁ ଜାନୁଆରୀ ୨୦ ତାରିଖ ରାତିରେ ମିଳିଥିଲା। ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଉଭୟ ରାଜ୍ୟର ଏସଓଜି ଯବାନମାନେ ମାଓବାଦୀ ଦମନ ଅଭିଯାନ ଆରମ୍ଭ କରି ଦେଇଥିଲେ। ରାତିରୁ ଆରମ୍ଭ ହୋଇଥିବା ଏହି ଅପରେସନରେ ଡିଆରଜି, ସିଆରପିଏଫ, ଛତିଶଗଡ଼ର କୋବ୍ରା ଓ ଓଡ଼ିଶାର ଏସଓଜି ଯବାନମାନେ ସାମିଲ ହୋଇଥିଲେ।
୨୦୨୪ରେ ପ୍ରାଣ ହରାଇଥିଲେ ୨୦୦ରୁ ଅଧିକ ନକ୍ସଲ
୨୦୨୪ରେ କେବଳ ଛତିଶଗଡ଼ରେ ୨୧୯ ଜଣ ନକ୍ସଲ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ କେବଳ ବସ୍ତର ରିଜନରେ ୨୧୭ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ବସ୍ତର ରିଜନ ଅଧୀନରେ ବସ୍ତର, ଦାନ୍ତେୱାଲା, କାଙ୍କେର, ବିଜାପୁର, ନାରାୟଣପୁର, କୋଣ୍ଡାଗାଓଁ ଓ ସୁକମା ଜିଲ୍ଲା ରହିଛି। ୨୦୨୪ରେ ୮୦୦ରୁ ଅଧିକ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୮୦୨ ଜଣ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।
ଅନ୍ୟପକ୍ଷରେ ୨୦୨୪ରେ ନକ୍ସଲ ହମଲାରେ୧୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୬୫ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି। ୨୦୨୫ରେ ଛତିଶଗଡ଼ରେ ହୋଇଥିବା ମିଳିତ ଅପରେସନରେ ଏଯାଏ ପ୍ରାୟ ୧୦୦ରୁ ଅଧିକ ନକ୍ସଲ ପ୍ରାଣ ହରାଇ ସାରିଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।