Advertisment

ମ୍ୟାଚ୍‌ରେ ବୋଲ୍ଡ କରି ଦେବାରୁ ପଡ଼ିଆ ଭିତରେ ବୋଲରଙ୍କୁ ତଣ୍ଟି ଚିପି ହତ୍ୟା

ପଡ଼ିଆରେ ମ୍ୟାଚ୍‌ ଚାଲିଥିବା ବେଳେ ୧୪ ବର୍ଷୀୟ ପିଲାଟି ବୋଲିଂ କରୁଥିଲେ। ତା’ର ଘାତକ ବୋଲିଂରେ ପ୍ରତିପକ୍ଷ ଟିମର ୧୭ ବର୍ଷୀୟ ପିଲାଟି ପୂରା କ୍ଲିନବୋଲ୍ଡ ହୋଇଯାଇଥିଲା।

Cricket

Cricket

Advertisment

କ୍ରିକେଟ ଖେଳରୁ ଘଟିଛି ଭୟଙ୍କର ଘଟଣା। ବୋଲ୍ଡ ହୋଇଯିବାରୁ ରାଗି ଯାଇ ବୋଲରଙ୍କୁ ପଡ଼ିଆ ଭିତରେ ତଣ୍ଟି ଚିପି ହତ୍ୟା କରିଛି ବ୍ୟାଟର। ଜଣେ ୧୭ ବର୍ଷୀୟ ପିଲା ରାଗରେ ୧୪ ବର୍ଷୀୟ ବୋଲରଙ୍କୁ ପଡ଼ିଆ ଭିତରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ପିଲାଟିକୁ ଏହି ହତ୍ୟାରେ ତା’ର ଭାଇ ମଧ୍ୟ ସହଯୋଗ କରିଛି। ସର୍ବସମ୍ମୁଖରେ ଏପରି ଘଟଣା ଘଟିଥିବା ବେଳେ କେହି ବି ଏହାକୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆନ୍ଦୋଳିତ କରିଛି। 

Advertisment

ଉତ୍ତର ପ୍ରଦେଶର କାନପୁର ଅନ୍ତର୍ଗତ ରାହତି ଡେରା ଗାଁରେ ଥିବା ଗୋଟିଏ ଖୋଲା ଖେଳ ପଡ଼ିଆରେ ପୂରା ଘଟଣା ଘଟିଛି। ପଡ଼ିଆରେ ମ୍ୟାଚ୍‌ ଚାଲିଥିବା ବେଳେ ୧୪ ବର୍ଷୀୟ ପିଲାଟି ବୋଲିଂ କରୁଥିଲେ। ତା’ର ଘାତକ ବୋଲିଂରେ ପ୍ରତିପକ୍ଷ ଟିମର ୧୭ ବର୍ଷୀୟ ପିଲାଟି ପୂରା କ୍ଲିନବୋଲ୍ଡ ହୋଇଯାଇଥିଲା। ଏଥିରେ ବ୍ୟାଟର ଜଣକ ମର୍ମାହତ ହେବା ସହ ପିଚ୍‌ ଛାଡ଼ିବାକୁ ଅରାଜି ହୋଇଥିଲା। ଏହାକୁ ନେଇ ବ୍ୟାଟର ଓ ବୋଲରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଏଥିରେ ଅନ୍ୟମାନେ ଆଦୌ ହସ୍ତକ୍ଷେପ କରି ନଥିଲେ। ଶେଷରେ ବୋଲ୍ଡ ହୋଇଯାଇଥିବା ପିଲାଟି ତୁରନ୍ତ ତା’ର ଭାଇକୁ ଡାକିଥିଲା। ଦୁଇ ଭାଇ ମିଳିତ ଭାବେ ୧୪ ବର୍ଷୀୟ ପିଲାଟିକୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ। ମାଡ଼ ଯୋଗୁ ପିଲାଟି ତଳେ ପଡ଼ି ଯାଇଥିଲା। ଏତିକି ବେଳେ ୧୭ ବର୍ଷୀୟ ପିଲାଟି ତା’ର ତଣ୍ଟି ଚିପି ହତ୍ୟା କରିଥିଲା।

Advertisment

ଘଟଣା ସ୍ଥଳରେ ହିଁ ସେ ନିସ୍ତେଜ ହୋଇ ପଡ଼ି ରହିଥିବା ବେଳେ ସେଠାରେ ଉପସ୍ଥିତ ଅନ୍ୟ ପିଲାମାନେ ତୁରନ୍ତ ତା’ ଘର ଲୋକଙ୍କୁ ଖବର ଦେଇଥିଲା। ସେମାନେ ଘଟଣାସ୍ଥଳରେ ପହଞ୍ଚି ପିଲାଟିକୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକ ପିଲାଟିର ଶବ ଧରି ଗାଁକୁ ଫେରିଥିଲେ। ଖବର ପାଇ କୋଟୱାଲି ଇନ ଚାର୍ଜ ବିକ୍ରମ ସିଂହ ପୂରା ଫୋର୍ସ ସହ ଗାଁରେ ପହଞ୍ଚି ଥିଲେ। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ବୁଝାଇଥିଲେ। ହେଲେ ପରିବାର ଲୋକ ଏଥିରେ ରାଜି ହୋଇ ନଥିଲେ।

ସେମାନେ ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣା ସ୍ଥଳକୁ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜିଦ ଧରି ବସିଥିଲେ। ଦୁଇ ଅଭିଯୁକ୍ତ ଗିରଫ ନ ହେବା ଯାଏ ସେମାନେ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ମଧ୍ୟ କହିଥିଲେ। ତେବେ ୪ ଘଣ୍ଟାର ବୁଝାସୁଝା ପରେ ପରିବାର ଲୋକ ବ୍ୟବଚ୍ଛେଦ ପାଇଁ ପିଲାଟିର ଶବକୁ ହସ୍ତାନ୍ତର କରିଥିଲେ।

ପୁଲିସ୍‌ ଏବେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Uttar Pradesh Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe