/odisha-reporter/media/post_attachments/uploadimage/library/16_9/16_9_0/IMAGE_1680012944.jpg)
Pharma Companies
ନକଲି ଓ ଖରାପ ମାନର ଔଷଧ ତିଆରି କରୁଥିବା ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସକୁ ବାତିଲ କରାଯାଇଛି। ସେମାନଙ୍କୁ ଔଷଧ ତିଆରି କରିବାକୁ ବାରଣ କରାଯାଇଛି। ସେହିପରି ଆଉ ୨୬ଟି ଫର୍ମା କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଯଦି ସେମାନେ ଉପଯୁକ୍ତ ଜବାବ ଦେଇ ନ ପାରିବେ, ତା’ହେଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ଭାରତରୁ ବିଭିନ୍ନ ପ୍ରକାରର ଔଷଧ ବାହାରକୁ ଯାଇଥାଏ। କିନ୍ତୁ ବିଦେଶରେ ଖରାପ ମାନ ଓ ନକଲି ଔଷଧ ବିକ୍ରି କରାଯାଉଥିବା ଅଭିଯୋଗ ହେବା ପରେ ସରକାର ଫାର୍ମା କମ୍ପାନୀ ଗୁଡ଼ିକର ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ନକଲି ଓ ଖରାପ ମାନର ଔଷଧ ସମ୍ପର୍କରେ ଅଭିଯୋଗ ଆସିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ୭୬ଟି ଫାର୍ମାସ୍ୟୁଟିକାଲ କମ୍ପାନୀରେ ଯାଞ୍ଚ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିମ ପକ୍ଷରୁ ଅତର୍କିତ ଚଢ଼ଉ କରି ଔଷଧର ମାନ ପରୀକ୍ଷା କରାଯାଇଥିଲା। ଶେଷରେ ୨୦ଟି ରାଜ୍ୟରେ ଥିବା ବିଭିନ୍ନ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୀର୍ଘ ୧୫ ଦିନ ଧରି ସମଗ୍ର ଦେଶରେ ଡିସିଜିଆଇ ପକ୍ଷରୁ ଚଢ଼ଉ ଅଭିଯାନ ଜାରି ରହିଥିଲା।
ବିଭିନ୍ନ ଦେଶରେ ଭାରତ ନିର୍ମିତ ବିଭିନ୍ନ ସିରପ ଓ ଔଷପ ଖାଇ ଛୋଟ ପିଲାଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଗତମାସରେ ଗୁଜରାଟ ଭିତ୍ତିକ ଫାର୍ମା କମ୍ପାନୀ ଜୟଡସ ଲାଇସାଇନ୍ସ ପକ୍ଷରୁ ୫୫ ହଜାର ବୋତଲ ଜେନେରିକ ମେଡିସିନ ଆମେରିକା ମାର୍କେଟରୁ ପ୍ରତ୍ୟାହାର କରିଥିଲେ। ଏହି ଔଷଧଗୁଡ଼ିକର ମାନ ଖରାପ ଥିବା ଅଭିଯୋଗ ହୋଇଥିଲା।
ସେହିପରି ଗତବର୍ଷ ଉଜବେକିସ୍ତାନରେ ୧୮ ଜଣ ଶିଶୁ ଭାରତରୁ ଯାଇଥିବା କଫ ସିରପ ଖାଇ ପ୍ରାଣ ହରାଇଥିବା ଜଣାପଡ଼ିଥିଲା। ଏଥିପାଇଁ ନୋଏଡାରେ ଥିବା ଫାର୍ମାସିଟ୍ୟୁକାଲ କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।
ଅଭିଯୁକ୍ତମାନେ ନକଲି ଓ ଖରାପ ମାନର ଔଷଧ ଉତ୍ପାଦନ ଏବଂ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ମାରିଅନ ବାୟୋଟେକ ପ୍ରଡକ୍ଟସର ବିଭିନ୍ନ ଔଷଧର ନମୁନା ପରୀକ୍ଷା କରିଥିଲା। ଏହି ସମୟରେ ୨୨ଟି ଔଷଧ ଖରାପ ମାନର ଥିବା ସ୍ପଷ୍ଟ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
