Advertisment

ଦିଲ୍ଲୀରେ ଅଗ୍ନିବର୍ଷା; ୯ ଦିନରେ ଗଲାଣି ୧୯୨ ବାସହୀନଙ୍କ ଜୀବନ

ଗତ ପାଞ୍ଚ ବର୍ଷ ମଧ୍ୟରେ ଦିଲ୍ଲୀରେ ବାସହୀନଙ୍କ ମୃତ୍ୟୁସଂଖ୍ୟା ଚରମରେ ପହଞ୍ଚିଛି।

author-image
Debibandita Barick
File Photo

File Photo

ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ପ୍ରବଳ ଗୁଳିଗୁଳି ଓ ଉତ୍ତାପରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ମୌସୁମୀ ଆସିଥିଲେ ମଧ୍ୟ ଅନେକ ସ୍ଥାନରେ ବର୍ଷାର ଦେଖାନାହିଁ। ଏପରି ସ୍ଥିତିରେ ଅନେକ ସହରରେ ଲୋକଙ୍କ ଜୀବନ ଯାଉଛି। କେବଳ ଦିଲ୍ଲୀରେ ଏଯାବତ୍ ୧୯୨ ଜଣ ବାସହୀନ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ହସ୍ତଗତ ହୋଇଛି।

Advertisment

ରିପୋର୍ଟ ଅନୁସାରେ, ଜାତୀୟ ରାଜଧାନୀରେ ଜୁନ୍ ୧୧ରୁ ଜୁନ୍ ୧୯ ମଧ୍ୟରେ ହୋଇଥିବା ପ୍ରବଳ ଉତ୍ତାପ କାରଣରୁ ୧୯୨ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁମାନଙ୍କର ଘର ନାହିଁ। ଏହି ମୃତ୍ୟୁସଂଖ୍ୟା ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ। ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ ରିପୋର୍ଟରେ ଏହା ଦର୍ଶାଯାଇଛି। 

ଦିଲ୍ଲୀ ହିଟ୍ ୱେଭକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ୨୦୧୯ ଜୁନ୍ ୧୧ରୁ ଜୁନ୍ ୧୯ରେ ମଧ୍ୟରେ ଏହି ମୃତ୍ୟୁସଂଖ୍ୟା ୧୪୩ ଥିଲା। ସେହିପରି ୨୦୨୦ରେ ୧୨୪ ଥିବାବେଳେ ୨୦୨୧ରେ ୫୮, ୨୦୨୨ରେ ୧୫୦ ଏବଂ ୨୦୨୩ରେ ୭୫ଜଣଙ୍କ ମୃତ୍ୟୁ ଘଟିଛି। ସବୁଠୁ ବଡ଼ କଥା ହେଉଛି କି ଚଳିତ ବର୍ଷ ଏହି ସଂଖ୍ୟା ଚରମରେ ପହଞ୍ଚିଛି।   

Advertisment

ସେପଟେ, ପ୍ରବଳ ଉତ୍ତାପ କାରଣରୁ ଗତ ୭୨ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ ସୂତ୍ର ସୂଚନା ଅନୁସାରେ, ନୋଏଡାରେ ଗୋଟିଏ ଦିନରେ ୧୪ ଜଣଙ୍କର ଅଂଶୁଘାତ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। 

NGO କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁନୀଲ କୁମାର ଆଲେଡିଆ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ କହିଛନ୍ତି ଯେ, ଏହାର ମୁଖ୍ୟ କାରଣ ହେଉଛି ବାୟୁ ପ୍ରଦୂଷଣ, ଦ୍ରୁତ ଶିଳ୍ପାୟନ, ସହରୀକରଣ ଏବଂ ଜଙ୍ଗଲ ନଷ୍ଟ। ଏହି କାରଣରୁ ତାପମାତ୍ରା ବୃଦ୍ଧି ପାଇବାକୁ ଲାଗିଛି, ଯେଉଁ କାରଣରୁ ଘର କିମ୍ବା କୌଣସି ଆଶ୍ରୟସ୍ଥଳ ନଥିବା ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। 

ପ୍ରତ୍ୟେକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସହ କୁଲିଂ ସେଣ୍ଟରର ପ୍ରତିଷ୍ଠା ଏବଂ ଆଶ୍ରୟସ୍ଥଳ ଯୋଗାଇ ଦେଲେ ଏହାର ସମାଧାନ ହୋଇପାରିବ ବୋଲି ସୁନୀଲ କୁମାର କହିଛନ୍ତି। 

Heat Wave Heat Stroke Heatwave In Delhi Heat Wave Death Toll