Advertisment

କିଏ ଠିକ? UPSCରେ ସମାନ ରାଙ୍କ ରଖିଥିବା ଦାବି କଲେ ଦୁଇ ଆୟେଶା

ମଙ୍ଗଳବାର ୟୁପିଏସ୍‌ସି ରେଜଲ୍ଟ ଘୋଷଣା କରାଯାଇଥିଲା। ରେଜଲ୍ଟ ଘୋଷଣା ହେବା ପରେ ଆୟେଶା ନାମକ ଜଣେ ଝିଅ ୧୮୪ ନମ୍ବର ସ୍ଥାନରେ ରହିଥିଲେ।

author-image
Hemant Lenka
Ayasha

Ayasha

ୟୁପିଏସ୍‌ସି ପରୀକ୍ଷା ରେଜଲ୍ଟ ବାହାରିବା ପରେ ଗୋଟିଏ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର ଦୁଇ ଜଣ ଝିଅ ୟୁପିଏସ୍‌ସି ପରୀକ୍ଷାରେ ସମାନ ୧୮୪ ରାଙ୍କ ରଖିଥିବା ଦାବି କରିଛନ୍ତି। ଏଥିସହ ଉଭୟ ନିଜ ନିଜର ରୋଲ ନମ୍ବର ସମାନ ଥିବା ମଧ୍ୟ ଦର୍ଶାଇଛନ୍ତି। ଉଭୟଙ୍କ ନାଁ ଆୟେଶା ହୋଇଥିବାରୁ କିଏ ଠିକ ଓ କିଏ ଭୁଲ, ସେକଥା ଜଣାପଡ଼ିନି।

Advertisment

ମଙ୍ଗଳବାର ୟୁପିଏସ୍‌ସି ରେଜଲ୍ଟ ଘୋଷଣା କରାଯାଇଥିଲା। ରେଜଲ୍ଟ ଘୋଷଣା ହେବା ପରେ ଆୟେଶା ନାମକ ଜଣେ ଝିଅ ୧୮୪ ନମ୍ବର ସ୍ଥାନରେ ରହିଥିଲେ। ଏହି ରାଙ୍କକୁ ଦେଖି ଓ ରୋଲ ନମ୍ବରକୁ ମିଶାଇ ଆୟେଶା ନାମଧାରୀ ଦୁଇ ଜଣ ଝିଅଙ୍କ ଘରେ ସେଲିବ୍ରେସନ ଆରମ୍ଭ ହୋଇଥିଲା।

ଜଣେ ଆୟେଶାଙ୍କ ଘର ଦେବାସ ଜିଲ୍ଲାରେ ହୋଇଥିବା ବେଳେ ଆଉ ଜଣଙ୍କ ଘର ଅଲୀରାଜପୁର ଜିଲ୍ଲାରେ। ଉଭୟ ୟୁପିଏସ୍‌ସି କ୍ଲିୟର କରିଥିବା ଦାବି କରି ଏପରି ଉତ୍ସବ ମନାଇଥିଲେ।ଏହି ଘଟଣା ବୁଧବାର ସାମ୍ନାକୁ ଆସିଥିଲା।

Advertisment

ଦେବାସରେ ରହୁଥିବା ଝିଅ ଜଣଙ୍କ ହେଲେ ଆୟେଶା ଫାତିମା। ତାଙ୍କ ବାପାଙ୍କ ନାଁ ନଜିରୁଦ୍ଦିନ। ସେହିପରି ଅଲୀରାଜପୁରରେ ରହୁଥିବା ଝିଅ ଜଣଙ୍କ ହେଲେ ଆୟେଶା ମକରାନି। ତାଙ୍କ ବାପାଙ୍କ ନାଁ ସଲିମୁଦ୍ଦିନ। ଉଭୟ ୧୮୪ ରାଙ୍କରେ ରହିଥିବା କହିଛନ୍ତି। ଉଭୟଙ୍କ ରୋଲ ନମ୍ବର ମଧ୍ୟ ସମାନ ରହିଛି। ଦୁଇ ଆୟେଶାଙ୍କୁ ପରୀକ୍ଷା ପାଇଁ ମିଳିଥିବା ଆଡମିଟ କାର୍ଡରେ ରୋଲ ନମ୍ବର ହେଉଛି ୭୮୧୧୭୪୪। ଉଭୟ ଝିଅ ପରୀକ୍ଷା ଦେଇଥିଲେ ଓ ସାକ୍ଷାତକାରର ସମ୍ମୁଖୀନ ମଧ୍ୟ ହୋଇଥିବା ଦାବି କରିଛନ୍ତି।

ଆୟେଶା ମାକରାନିଙ୍କ ଭାଇ ଶାହବାଜୁଦ୍ଦିନ ମକରାନି ହେଉଛନ୍ତି ଜଣେ ସିଭିଲ ଇଞ୍ଜିନିୟର। ସେ କହିଛନ୍ତି ଯେ ତାଙ୍କ ଭଉଣୀ ୟୁପିଏସ୍‌ସି ଗଣିତରେ କ୍ଲିୟର କରିଛି। ମୋ ଭଉଣୀ ୟୁପିଏସ୍‌ସି କ୍ଲିୟର କରୁ ଓ ଆଇଏଏସ୍‌ ବନୁ ବୋଲି ମୋ ମା’ଙ୍କ ସ୍ୱପ୍ନ ରହିଥିଲା। ଏବେ ସେ ୧୮୪ ନମ୍ବର ରାଙ୍କରେ ରହିଛି।

ଆଉ ଜଣେ ଝିଅ ୟୁପିଏସ୍‌ସି କ୍ଲିୟର କରିଥିବା ଦାବି କରିବା ପରେ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ଆମେ ୟୁପିଏସ୍‌ସି ସହ ଏନେଇ ଯୋଗାଯୋଗ କରିଥିଲୁ। ଶୁକ୍ରବାର ସୁଦ୍ଧା ପ୍ରକୃତ ସତ ସାମ୍ନାକୁ ଆସିବ। ମୋ ଭଉଣୀକୁ ୨୩ ବର୍ଷ ଓ ସେ ପ୍ରଥମଥର ପାଇଁ ୟୁପିଏସ୍‌ସି ପରୀକ୍ଷା ଦେଇଥିଲା ବୋଲି ଶାହବାଜୁଦ୍ଦିନ କହିଛନ୍ତି।

ଅନ୍ୟପକ୍ଷରେ ଆୟେଶା ଫାତିମାଙ୍କ ବାପା ନଜିରୁଦ୍ଦିନ ମଧ୍ୟ ତାଙ୍କ ଝିଅ ୟୁପିଏସ୍‌ସି କ୍ଲିୟର କରିଥିବା ଦାବି କରିଛନ୍ତି। ସେ କହିଛନ୍ତି, “ୟୁପିଏସ୍‌ସି କେବେ ହେଲେ ଏମିତି ଭୁଲ କରିପାରିବ ନାହିଁ। ମୁଁ ପୂରା ତଦନ୍ତ ଚାହୁଁଛି। ପ୍ରକୃତ ସତ ସାମ୍ନାକୁ ଆସିବା ଦରକାରର। ମୋ ଝିଅର ବୟସ ୨୬। ସେ ୪ର୍ଥ ଥର ପାଇଁ ପରୀକ୍ଷା ଦେଇଥିଲା। ସେ ରାଜନୀତି ବିଜ୍ଞାନରେ ୟୁପିଏସ୍‌ସି କ୍ଲିୟର କରିଛି।”

ଆୟେଶା ମାକରାନିଙ୍କ ଆଡମିଟ କାର୍ଡରେ ବ୍ୟକ୍ତିତ୍ୱ ପରୀକ୍ଷାର ତାରିଖ ଏପ୍ରିଲ ୨୫ ଗୁରୁବାର ଲେଖାଯାଇଛି। ହେଲେ ଆୟେଶା ଫାତିମାଙ୍କ ଆଡମିଟ କାର୍ଡରେ ବ୍ୟକ୍ତିତ୍ୱ ଟେଷ୍ଟ ଏପ୍ରିଲ ୨୫ ମଙ୍ଗଳବାର ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଥିବା ବେଳେ କେଉଁ ଆୟେଶା ୧୮୪ ନମ୍ବର ରାଙ୍କ ପାଇଛନ୍ତି, ତା’କୁ ନେଇ ତଦନ୍ତ ଆରମ୍ଭ ହୋଇଛି।

UPSC Result UPSC