/odisha-reporter/media/media_files/2025/10/06/bjp-2025-10-06-15-19-11.jpg)
ଆକ୍ରମଣ ପରେ ଲହୁଲୁହାଣ
ପଶ୍ଚିମବଙ୍ଗ(West Bengal)ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଯାଞ୍ଚ କରୁଥିବା ବିଜେପି ସାଂସସ ଖଗେନ ମୁର୍ମୁ ଓ ବିଧାୟକ ଶଙ୍କର ଘୋଷଙ୍କୁ ପିଟିଛନ୍ତି ସ୍ଥାନୀୟ ଲୋକ। ସେମାନଙ୍କ ଗାଡ଼ିକୁ ଭାଙ୍ଗି ଦିଆଯାଇଥିବା ବେଳେ ଆକ୍ରମଣରେ ଗୁରୁତର ହୋଇଛନ୍ତି ଦୁଇ ବିଜେପି(BJP) ନେତା। ବିଧାୟକଙ୍କ ତୁଳନାରେ ସାଂସଦ ମୁର୍ମୁ ଅଧିକ ଗୁରୁତର ହୋଇଛନ୍ତି। ଆକ୍ରମଣ ଯୋଗୁ ତାଙ୍କ ମୁହଁ ଫାଟି ଯାଇଛି। ତାଙ୍କ ନାକରୁ ରକ୍ତ ଝରଝର ହୋଇ ବୋହି ଯାଉଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।
ନାଗରକାଟାରେ ଘଟିଥିବା ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେହିପରି ଆକ୍ରମଣରେ ଆହତ ହୋଇଥିବା ଦୁଇ ବିଜେପି ନେତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ସ୍ଥଳରୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଆକ୍ରମଣରେ ଦୁଇ ବିଜେପି ନେତାଙ୍କ କାରର କାଚ ସବୁ ଚୁରମାର ହୋଇଯାଇଛି। ଭଙ୍ଗା କାରରେ ସାଂସଦ ମୁର୍ମୁ ବସି ଥିବା ବେଳେ ତାଙ୍କ ନାକ ଓ ମୁହଁରୁ ରକ୍ତ ଝରୁଛି। ସେ ପିନ୍ଧିଥିବା ପୋଷାକ ମଧ୍ୟ ରାକ୍ତରେ ଲାଲ ହୋଇଯାଇଛି। ବିଧାୟକ ଶଙ୍କର ଘୋଷ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ତାଙ୍କ ପୋଷାକକୁ ଲୋକମାନେ ଚିରି ଦେଇଛନ୍ତି।
ଘଟଣାକୁ ନେଇ ରାଜନୀତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି। ବନ୍ୟା ଅଞ୍ଚଳରେ ରିଲିଫ ବାଣ୍ଟିବା ଓ ଲୋକଙ୍କ କଥା ବୁଝିବାକୁ ଯାଉଥିବା ବେଳେ କ୍ଷମତାସୀନ ଟିଏମସିର କର୍ମକର୍ତ୍ତାମାନେ ମାଡ଼ ମାରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।
ବିଜେପି ନେତା ତଥା ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସିଧା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ “ମମତା ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଉତ୍ତର ବେଙ୍ଗଲରେ ବନ୍ୟାରେ ଉବୁଟୁବୁ ହେଉଥିବା ବେଳେ ମମତା ବାନାର୍ଜୀ ଅମାନବୀୟ ଭାବେ ଗୋଟିଏ କାର୍ଯ୍ୟକ୍ରମରେ ନାଚୁଥିଲେ। ଏହାକୁ ଦେଖି ବେଙ୍ଗଲ ଲୋକ ତାଙ୍କ ଅସଲ ଚରିତ୍ରକୁ ଜାଣି ସାରିଛନ୍ତି।
ଏଥିଯୋଗୁ ମମତା ଆତଙ୍କିତ ହୋଇପଡ଼ିଛନ୍ତି। ମମତା ଡ୍ୟାନ୍ସ କରୁଥିବା ବେଳେ ବିଜେପି ବିଧାୟକ ଓ ସାଂସଦମାନେ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ତେଣୁ ଏବେ ସେ ଆତଙ୍କ ବଟନକୁ ଦବାଇଛନ୍ତି। ଏବେ ମମତାଙ୍କ ସ୍ୱତନ୍ତ୍ର ସଂପ୍ରଦାୟର ଗୁଣ୍ଡମାନେ ମାତିଛନ୍ତି। ଲୋକଙ୍କ ପାଖରେ ଯେମିତି ରିଲିଫ ଜିନିଷ ପହଞ୍ଚି ନ ପାରିବ, ସେଥିପାଇଁ ସେମାନେ ବିଜେପି ସାଂସଦ ଓ ବିଧାୟକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି।”
ଅଧିକାରୀ ଦାବି କରିଛନ୍ତି ଯେ ସାଂସଦ ମୁର୍ମୁଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଆକ୍ରମଣ କରାଯାଇ ଲହୁଲୁହାଣ କରାଯାଇଛି। ପୁଲିସ୍ ଉପସ୍ଥିତିରେ ଶଙ୍କର ଘୋଷଙ୍କ ଗାଡ଼ି ଉପରେ ବି ଆକ୍ରମଣ କରାଯାଇଛି। ତେବେ ଏ ସମ୍ପର୍କରେ ଟିଏମସି(TMC) ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
