Advertisment

ହସ୍ପିଟାଲରେ ଥିଲା ମୃତଦେହ, ମୂଷା ନେଇଗଲା ଗୋଟିଏ ଲେଖାଏ ଆଖି!

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଥିବା ଗୋଟିଏ ଶବାଗାରରେ ରହିଥିବା ଦୁଇଟି ମୃତଦେହରୁ ରହସ୍ୟଜନକ ଭାବେ ଗୋଟିଏ ଲେଖାଏ ଆଖି ଗାଏବ ହୋଇଯାଇଛି।

author-image
Hemant Lenka
rat in mortuary

rat in mortuary

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାର ଆଉ ଗୋଟିଏ ନଗ୍ନଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଥିବା ଗୋଟିଏ ଶବାଗାରରେ ରହିଥିବା ଦୁଇଟି ମୃତଦେହରୁ ରହସ୍ୟଜନକ ଭାବେ ଗୋଟିଏ ଲେଖାଏ ଆଖି ଗାଏବ ହୋଇଯାଇଛି। ୧୫ ଦିନ ମଧ୍ୟରେ ଏପରି ଘଟଣା ଘଟିଛି। ଜିଲ୍ଲା ହସ୍ପିଟାଲ ଅଧୀନରେ ଥିବା ଏହି ଶବାଗାରରୁ ମୂଷା ହିଁ ଗୋଟିଏ ଲେଖାଏ ଆଖି ନେଇ ଯାଇଥିବା କୁହାଯାଉଛି। ପ୍ରଥମେ ଜାନୁଆରୀ ୪ରେ ଗୋଟିଏ ମୃତଦେହରୁ ଆଖି ଗାଏବ ହୋଇଥିଲା। ଦ୍ୱିତୀୟ ଘଟଣା ଜାନୁଆରୀ ୧୯ରେ ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ୩୨ ବର୍ଷୀୟ ମୋତିଲାଲ ଗୌଣ୍ଡା ଚାଷ ଜମିରେ ଅଚେତ ହୋଇଯିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ଆଣିଥିଲେ। ତେବେ ହସ୍ପିଟାଲର ଓପିଡିରେ ଡାକ୍ତରମାନେ ତାଙ୍କୁ ମୃତଘୋଷଣା କରିଥିଲେ। ଏହାପରେ ମୃତଦେହକୁ ଶବାଗାରକୁ ପଠାଯାଇଥିଲା। ଘଟଣାର ଦିନକ ପରେ ସକାଳୁ ଯେତେବେଳେ ଡାକ୍ତର ଶବବ୍ୟବଚ୍ଛେଦ ପାଇଁ ଆସିଲେ ସେତେବେଳେ ମୋତିଲାଲଙ୍କ ଗୋଟିଏ ଆଖି ଗାଏବ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଶବାଗାରରେ ଫ୍ରିଜର କାମ କରୁ ନଥିବାରୁ ମୃତଦେହକୁ ଖୋଲା ରଖାଯାଇଥିଲା। ତେଣୁ ମୂଷା ଗୋଟିଏ ଆଖି ନେଇଯାଇଥିବା କୁହାଯାଇଥିଲା।

ସେହିପରି ଜାନୁଆରୀ ୧୬ରେ ୨୫ ବର୍ଷୀୟ ରମେଶ ଅହିୱାର ଜିଲ୍ଲା ହସ୍ପିଟାଲରେ ଆଡମିଡ ହୋଇଥିଲେ। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। କିନ୍ତୁ ୧୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଜାନୁଆରୀ ୧୫ରେ ରମେଶ ଘରେ କାହାକୁ କିଛି ନ କହି ବାହାରକୁ ଚାଲି ଯାଇଥିଲେ। ଦିନକ ପରେ ତାଙ୍କୁ ରାସ୍ତା କଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Advertisment

ଘଟଣାର ତଦନ୍ତ ପାଇଁ ରମେଶଙ୍କ ମୃତ୍ୟୁ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସ୍‌କୁ ଦୁଇଥର ଖବର ଦେଇଥିଲେ। ପୁଲିସ୍‌ ତଦନ୍ତ କରୁଥିବାରୁ ମୃତଦେହକୁ ଶବାଗାରର ଡିପ୍ରିଜ୍‌ରରେ ରଖାଯାଇଥିଲା। ଜାନୁଆରୀ ୧୯ରେ ଯେତେବେଳେ ରମେଶଙ୍କ ମୃତଦେହ ବାହାର କରାଯାଇଥିଲା, ତାଙ୍କର ମଧ୍ୟ ଗୋଟିଏ ଆଖି ନଥିବା ଦେଖିବାକୁ ମିଳିଥିଲା।

ରେସିଡେଣ୍ଟ ମେଡିକାଲ ଅଫିସର ଡାକ୍ତର ଅଭିଷେକ ଠାକୁର କହିଛନ୍ତି, ମୃତଦେହକୁ ଶବାଗାରର ମଧ୍ୟରେ ରଖାଯାଇଥିଲା। ଏହାର ଡି ଫ୍ରିଜର ମଧ୍ୟ ଠିକ ଭାବେ କାମ କରୁଥିଲା। ତଥାପି ଏପରି ଘଟଣା ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମୃତଦେହରୁ ଆଖିକୁ ମୂଷା ନେଇଯାଇଛନ୍ତି। ଶବାଗାରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି। ଏହାବାଦ ମୁଖ୍ୟ ମେଡିକାଲ ଅଧିକାରୀ ଡାକ୍ତର ମମତା ତିମୋରି ୪ ଜଣ ମେଡିକାଲ ଅଧିକାରୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ରଖିବାକୁ ନୋଟିସ କରିଛନ୍ତି।

Eye