Advertisment

ବିମାନ ଭିତରେ ମଦ ପିଇ ସହ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ଦୁର୍ବବ୍ୟବହାର କଲେ

ସେମାନେ କ୍ରୁ ସଦସ୍ୟଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ତେବେ ବିମାନଟି ମୁମ୍ବାଇରେ ଲ୍ୟାଣ୍ଡ ହେବା ପରେ ପ୍ରୋଟକଲ ଅନୁଯାୟୀ ସେମାନଙ୍କୁ ସିଆଇଏସଏଫ ହେପାଜତରେ ଛଡ଼ା ଯାଇଥିଲା।

author-image
Hemant Lenka
Indigo

Indigo

ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ବିମାନର ଦୁଇ ଜଣ ଯାତ୍ରୀ ସର୍ବସମ୍ମୁଖରେ ନିଜର ବହପ ଦେଖାଇଛନ୍ତି। ସେମାନେ ବିମାନ ଭିତରେ ହିଁ ମଦ ପିଇବା ସହ ସହଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏନେଇ ସେମାନଙ୍କୁ ଗିରଫ କରାଯାଇଥିଲା। ହେଲେ ଉଭୟଙ୍କୁ ଜାମିନ ମିଳିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଦୁଇ ବ୍ୟକ୍ତି ଗଲ୍ଫରୁ ଆସୁଥିଲେ। ସେମାନେ ବିମାନରେ ବସିବା କ୍ଷଣି ମଦ ପିଇବା ଆରମ୍ଭ କରିଥିଲେ। ଏହି ମଦ ବୋତଲକୁ ଉଭୟ ଟିକସ ଛାଡ଼ ଦୋକାନରୁ ନିଜ ସହ ଆଣିଥିଲେ। ବିମାନ ଭିତରେ ମଦ ପିଇବାରୁ ଏହାକୁ ସହଯାତ୍ରୀମାନେ ବିରୋଧ କରିଥିଲେ। ଏଥିପାଇଁ ସେମାନେ ପାଟିତୁଣ୍ଡ କରିଥିଲେ। ଏପରି କି ଜଣେ ମଦ୍ୟପ ମଦ ବୋତଲ ଧରି ଦୁଇ ଧାଡ଼ି ମଧ୍ୟରେ ଥିବା ଖାଲି ସ୍ଥାନରେ ଚାଲିବା ଆରମ୍ଭ କରିଥିଲେ।

ଏକଥା ବିମାନ କର୍ମଚାରୀ ଜାଣିବା ପରେ ସେମାନେ ମଦ ବୋତଲ ଛଡ଼ାଇ ନେଇଥିଲେ। ଏହାକୁ ନେଇ ସେମାନେ କ୍ରୁ ସଦସ୍ୟଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ତେବେ ବିମାନଟି ମୁମ୍ବାଇରେ ଲ୍ୟାଣ୍ଡ ହେବା ପରେ ପ୍ରୋଟକଲ ଅନୁଯାୟୀ ସେମାନଙ୍କୁ ସିଆଇଏସଏଫ ହେପାଜତରେ ଛଡ଼ା ଯାଇଥିଲା।

Advertisment

ଦୁଇ ଅଭିଯୁକ୍ତ ହେଲେ ଦତ୍ତାତ୍ରେୟା ବପାରଡେକର ଓ ଜନ ଜର୍ଜ ଡିସୁଜା। ଆଇପିସିର ଧାରା ୩୩୬ ଓ ଏୟାରକ୍ରାଫ୍ଟ ନିୟମର ୨୧,୨୨ ଓ ୨୫ ଅନୁସାରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରାଯାଇଥିଲା।

ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ଦୁଇ ଜଣ ଯାତ୍ରୀ ୬ଇ ୧୦୮୮ ନମ୍ବର ବିମାନରେ ଦୁବାଇରୁ ମୁମ୍ବାଇ ଆସୁଥିଲେ। ସେମାନେ ଅତ୍ୟନ୍ତ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ ଓ ବିମାନ ମଧ୍ୟରେ ମଦ ପିଇବା ମଧ୍ୟ ଆରମ୍ଭ କରିଥିଲେ। ସେମାନଙ୍କୁ ବାରମ୍ବାର ତାଗିଦ କରାଯାଇଥିଲେ ହେଁ ସେମାନେ କିଛି ବି ଶୁଣି ନ ଥିଲେ।

ଦୁଇ ଯାତ୍ରୀ ବିମାନରେ ଥିବା କ୍ରୁ ଓ ସହଯାତ୍ରୀଙ୍କୁ ମଧ୍ୟ ଖରାପ ଭାଷା ବ୍ୟବହାର କରି ଦୁର୍ବ୍ୟବହାର କରିଥିଲେ। ପ୍ରୋଟକଲ ଅନୁଯାୟୀ ସେମାନଙ୍କୁ ସିଆଇଏସଏଫ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ସ୍ଥାନୀୟ ପୁଲିସ୍‌ ପାଖରେ ମଧ୍ୟ ଅଭିଯୋଗ କରାଯାଇଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।

Indigo Airlines