/odisha-reporter/media/post_attachments/uploadimage/library/16_9/16_9_0/IMAGE_1710412687.jpg)
Sukhbir Singh Sandhu and Gyanesh Kumar
ଖାଲି ପଡିଥିବା ନିର୍ବାଚନ କମିଶନରଙ୍କ ପଦବୀ ପାଇଁ ଦୁଇ ଜଣଙ୍କୁ ଚୟନ କରାଯାଇଛି। ପୂର୍ବତନ ଆଇଏଏସ୍ ଅଫିସର୍ ଜ୍ଞାନେସ କୁମାର ଓ ସୁଖବୀର ସାନ୍ଧୁଙ୍କ ନାଁରେ ମୋହର ବାଜିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପାନେଲ ବୈଠକରେ ଏହି ଦୁଇ ଜଣଙ୍କୁ ବଛା ଯାଇଛି। ତେବେ ନିର୍ବାଚନ କମିଶନରଙ୍କ ଏହି ନିଯୁକ୍ତି ପ୍ରକ୍ରିୟାଙ୍କୁ ନେଇ ବଡ ଅଭିଯୋଗ ଆଣିଛି କଂଗ୍ରେସ। ନିର୍ବାଚନ କମିଶନର ଚୟନ ପାଇଁ ଗଠନ କରାଯାଇଥିବା ପ୍ୟାନେଲରେ ସାମିଲ ଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ବୈଠକ ଆରମ୍ଭ ହେବାର ୧୦ ମିନିଟ୍ ପୂର୍ବରୁ ୬ଟି ନାଁ ମୋ ପାଖକୁ ଆସିଥିଲା। ସୁଖବୀର ସିଂହ ସାନ୍ଧୁ, ଜ୍ଞାନେଶ କୁମାର, ଉତ୍ପଲ କୁମାର ସିଂହ, ପ୍ରଦୀପ କୁମାର ତ୍ରିପାଠୀ, ଇନ୍ଦୀବର ପାଣ୍ଡେ, ଓ ଗଙ୍ଗାଧର ରାହତଙ୍କ ନାଁ ଏଥିରେ ସାମିଲ ଥିଲା। ତେବେ ଏମାନଙ୍କ ଦକ୍ଷତା ଏତେ କମ୍ ସମୟରେ ଯାଞ୍ଚ କରିବା ଅସମ୍ଭବ ବୋଲି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।
ତାଙ୍କ କହିବା ମୁତାବକ, ଗତ ରାତିରେ ସେ ଦିଲ୍ଲୀ ଆସିବା ପରେ ତାଙ୍କୁ ୨୧୨ ଜଣଙ୍କ ତାଲିକା ଦିଆଯାଇଥିଲା। କିନ୍ତୁ ଏତେ କମ ସମୟ ମଧ୍ୟରେ ଏ ସମସ୍ତଙ୍କ ପ୍ରୋଫାଇଲ ଯାଞ୍ଚ କରିବା ଅସମ୍ଭବ ଥିଲା। ଏହାପରେ ବୈଠକ ପୂର୍ବରୁ ତାଙ୍କୁ ୬ ଜଣଙ୍କ ନାଁ ଶର୍ଟଲିଷ୍ଟ କରି ଦିଆଯାଇଥିଲା। ତେବେ ୧୦ ମିନିଟ୍ ଭିତରେ କିଭଳି ଦୁଇ ଜଣଙ୍କ ନାଁ ଚୟନ ହୋଇଗଲା? ତାଙ୍କର(ବିଜେପି) ସଂଖ୍ୟା ଗରିଷ୍ଠତା ଅଛି। ତେଣୁ ସେମାନେ ଯାହାକୁ ଚାହୁଁଥିଲେ ସେହି ପ୍ରାର୍ଥୀଙ୍କୁ ଚୟନ କଲେ ବୋଲି କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି।
ନିର୍ବାଚନ କମିଶନର ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଧୀର ରଞ୍ଜନ ଚୌଧୁରୀଙ୍କ ବ୍ୟତୀତ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଥିଲେ। ତେବେ ଏହି ଚୟନ କମିଟିରେ ଭାରତର ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସାମିଲ କରାଇବାକୁ ନେଇ କଂଗ୍ରେସ ନେତା ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, 'ଏହି ଚୟନ କମିଟିରେ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆଙ୍କୁ ରଖିବା କଥା। ଯଦି ସିଜେଆଇ ଏହି କମିଟିରେ ଥାନ୍ତେ ତେବେ କଥା ଅଲଗା ହୋଇଥାନ୍ତା। ପ୍ୟାନେଲରେ ଥିବା ସରକାରଙ୍କ ପାଖରେ ସଂଖ୍ୟାଗରିଷ୍ଠତା ରହିଛି। ତେଣୁ ସେ ଯାହା ଚାହୁଁଛନ୍ତି ତାହା ହେଉଛି।'
ସୂଚନାଯୋଗ୍ୟ, ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଗତ ମାସ ସରିଥିଲା। ସେ ଅବସର ନେବା ପରେ ଗୋଟିଏ ପଦବୀ ଖାଲି ପଡିଥିଲା। ଏହାର କିଛି ଦିନ ପରେ ହଠାତ୍ ଇସ୍ତଫା ଦେଇଥିଲେ ଅରୁଣ ଗୋଏଲ।
ଦୁଇଟି ପଦବୀ ଖାଲି ପଡିଥିବାରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜଣେ ମନ୍ତ୍ରୀ ଏବଂ ଜଣେ ବିରୋଧୀ ଦଳର ନେତାଙ୍କୁ ନେଇ ବୈଠକ ବସିଥିଲା, ଯେଉଁଥିରେ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସରକାରୀ ରୂପେ ଏମାନଙ୍କ ନାଁ ଘୋଷଣା କରାଯାଇନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ଏମାନଙ୍କୁ ନିଯୁକ୍ତି କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
