ମା’ ମୁଁ ଆଦୌ ଗୋଟେ ଚୋର ନୁହେଁ। ମୁଁ ଚୋରି କରି ନଥିଲି। ଅଙ୍କଲ(ଦୋକାନୀ) ଦୋକାନରେ ଥିଲେ। ମୁଁ ତାଙ୍କୁ ବେଶ କିଛି ସମୟ ଅପେକ୍ଷା କରିଥିଲି। ମୁଁ ସେଠାରୁ ଫେରିବା ବେଳେ ଗୋଟିଏ କୁରକୁରେ ପ୍ୟାକେଟ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲି। ସେଇଟା ମୁଁ ଉଠାଇ ନେଇଥିଲି। ମୁଁ କୁରକୁରେକୁ ବହୁତ ଭଲ ପାଏ। ମୁଁ ବିଦାୟ ନେବା ପୂର୍ବରୁ ଏହା ମୋର ଶେଷ ଶବ୍ଦ। ଦୟା କରି ମୋତେ କ୍ଷମା କରି ଦେବ।” ଏମିତି କିଛି ଲେଖି କୀଟନାଶକ ପିଇ ଜୀବନ ହରାଇ ଦେଇଛନ୍ତି ଜଣେ ୧୨ ବର୍ଷୀୟ ବାଳକ।
ଜଣେ ଦୋକାନୀ ସର୍ବସମ୍ମୁଖରେ ନାବାଳକ ଜଣଙ୍କୁ ଚୋର କହିଥିଲେ। ଚିପ୍ସ ଚୋରି ଅଭିଯୋଗରେ ତାଙ୍କୁ ରାସ୍ତା ଉପରେ ବସ ଉଠ କରାଇଥିଲେ। ବାସ୍ ଏପରି ଅପମାନ ପରେ ନାବାଳକ ଜଣଙ୍କ କୀଟନାଶକ ପିଇ ଜୀବନ ହରାଇ ଦେଇଛନ୍ତି। ଜୀବନ ହାରିବା ପୂର୍ବରୁ ସେ କୌଣସି ପ୍ରକାରର ଚୋରି କରି ନଥିଲେ ବୋଲି ସୁଇସାଇଡ ନୋଟରେ ଲେଖିଛନ୍ତି। ଆତ୍ମହତ୍ୟା କରୁଥିବାରୁ ପିଲାଟି ନିଜ ମା’ଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଲା ପାନ୍ସକୁରାରୁ ଏପରି ଘଟଣା ସାମ୍ନାକୁ ଆସିଛି।
ଜୀବନ ହାରିଥିବା ୧୨ ବର୍ଷୀୟ କ୍ରିଶେନ୍ଦୁ ଦାସ ୭ମ ଶ୍ରେଣୀରେ ପଢ଼ୁଥିଲେ। ଗୁରୁବାର ସନ୍ଧ୍ୟାରେ ଗୋସାବର ବଜାର ସ୍ଥିତ ଗୋଟିଏ ଦୋକାନରୁ କାହାକୁ କିଛି ନ କହି ଗୋଟିଏ ଚିପ୍ସ ପ୍ୟାକେଟ ଉଠାଇଥିବା ଅଭଯୋଗ ହୋଇଥିଲା। ଦୋକାନୀ ଶୁଭକାନ୍ତ ଦିକ୍ଷୀତଙ୍କୁ ସେ ନପାଇବାରୁ ଚିପ୍ସ ପ୍ୟାକେଟକୁ ଷ୍ଟାଣ୍ଡରୁ କାଢ଼ି ଥିବା ଅଭିଯୋଗ ହୋଇଛି। ହେଲେ ଚିପ୍ସ କିଣିବା ପୂର୍ବରୁ କ୍ରିଶେନ୍ଦୁ ବାରମ୍ବାର କହିଥିଲେ ଯେ “ଅଙ୍କଲ ମୁଁ ଚିପ୍ସ କିଣିବାକୁ ଚାହୁଁଛି।” କିନ୍ତୁ ଦୋକାନ ଭିତରୁ କୌଣସି ଜବାବ ନ ଆସିବାରୁ ସେ ଗୋଟିଏ ଚିପ୍ସ ପ୍ୟାକେଟ ଧରି ଦୋକାନରୁ ଚାଲି ଯାଇଥିବା କୁହାଯାଉଛି।
କ୍ରିଶେନ୍ଦୁ ଚିପ୍ସ ପ୍ୟାକେଟ ଧରି ଘରକୁ ଯାଉଥିବା ବେଳେ ଦୋକାନୀ ଶୁଭକାନ୍ତ ସେଠାରେ ପହଞ୍ଚି ଯାଇଥିଲେ। ସେ କିଛି ନ ବୁଝି କ୍ରୁଶେନ୍ଦୁ ଚୋରି କରୁଥିବା ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଚାପୁଡ଼ା ମାରିବା ସହ ସର୍ବସମ୍ମୁଖରେ ବସ ଉଠ କରାଇଥିଲେ। କ୍ରିଶେନ୍ଦୁ ସର୍ବସମ୍ମୁଖରେ ଅପମାନିତ ହୋଇ କାନ୍ଦୁ ଥିବା ବେଳେ ଦୋକାନୀଙ୍କ ପକ୍ଷରୁ ତାଙ୍କ ମା’ଙ୍କୁ ଘଟଣାସ୍ଥଳକୁ ଡକା ଯାଇଥିଲା। ସେ ମଧ୍ୟ ସର୍ବସମ୍ମୁଖରେ ପୁଅକୁ ଗାଳି କରିଥିଲେ ଓ ଚାପୁଡ଼ା ମଧ୍ୟ ମାରିଥିଲେ।
ମାଡ଼ ଖାଇ କାନ୍ଦୁଥିବା କ୍ରିଶେନ୍ଦୁ ଚୋରି କରି ନଥିବା ସମସ୍ତଙ୍କୁ କହିଥିଲେ ହେଁ କେହି କିଛି ବୁଝି ନଥିଲେ। ସେ କହିଥିଲେ ଯେ ଚିପ୍ସ ପ୍ୟାକେଟ ଦୋକାନ ବାହାରେ ପଡ଼ିଥିଲା। ସେ ଏହାକୁ ଉଠାଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଟଙ୍କା ଦେଇଥାଆନ୍ତେ। ଦୋକାନରେ କେହି ନଥିବାରୁ ସେ ଚିପ୍ସ ପ୍ୟାକେଟ ଧରି ଘରକୁ ଯାଉଥିଲେ। କାନ୍ଦୁ ଥିବା କ୍ରିଶେନ୍ଦୁ ତୁରନ୍ତ ଟଙ୍କା ଦେବା ସହ ବିନା ଅନୁମତିରେ ପ୍ୟାକେଟ ଉଠାଇଥିବାରୁ କ୍ଷମା ମାଗିଥିଲେ। କିନ୍ତୁ ତାଙ୍କ କଥାକୁ ଦୋକାନୀ ବିଶ୍ୱାସ କରି ନଥିଲେ। କ୍ରିଶେନ୍ଦୁ ମିଛ କହୁ ଥିବା ସେ ସମସ୍ତଙ୍କ ଆଗରେ ଦୋହରାଇଥିଲେ।
ମାଡ଼ ଓ ଅପମାନ ଯୋଗୁ ଭାଙ୍ଗି ପଡ଼ିଥିବା କ୍ରିଶେନ୍ଦୁ ସେଠାରୁ ମା’ଙ୍କ ସହ ଘରକୁ ଆସିଥିଲେ। ଏହାପରେ ସିଧା ନିଜ ରୁମକୁ ଯାଇ ଭିତରୁ ଏହାକୁ ବନ୍ଦ କରି ଦେଇଥିଲେ। ଦୀର୍ଘ ସମୟ ଧରି ସେ କବାଟ ନ ଖୋଲିବାରୁ ମା’ ବ୍ୟସ୍ତ ହୋଇ ପଡ଼ିଥିଲେ। ସେ ତୁରନ୍ତ ପଡ଼ୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ। ହେଲେ ସେତେବେଳକୁ କ୍ରିଶେନ୍ଦୁ ତଳେ ଅଚେତ ହୋଇ ପଡ଼ି ରହିଥିଲେ। ତାଙ୍କ ମୁହଁରୁ ଫେଣ ବାହାରୁ ଥିବା ବେଳେ ସାଇଡରେ ଗୋଟିଏ ଖାଲି କୀଟନାଶକ ପଡ଼ିଥିଲା। ରୁମ ଭିତରୁ ବଙ୍ଗାଳି ଭାଷାରେ ଲେଖାଥିବା ଗୋଟିଏ ସୁଇସାଇଡ ନୋଟ ମଧ୍ୟ ଜବତ ହୋଇଛି।
ଏଥିରେ ସେ ଲେଖିଛନ୍ତି, “ମା’ ମୁଁ ଆଦୌ ଗୋଟେ ଚୋର ନୁହେଁ। ମୁଁ ଚୋରି କରି ନଥିଲି। ଅଙ୍କଲ(ଦୋକାନୀ) ଦୋକାନରେ ଥିଲେ। ମୁଁ ତାଙ୍କୁ ବେଶ କିଛି ସମୟ ଅପେକ୍ଷା କରିଥିଲି। ମୁଁ ସେଠାରୁ ଫେରିବା ବେଳେ ଗୋଟିଏ କୁରକୁରେ ପ୍ୟାକେଟ ରାସ୍ତାରେ ପଡ଼ିଥିଲା। ସେଇଟା ମୁଁ ଉଠାଇ ନେଇଥିଲି। ମୁଁ କୁରକୁରେକୁ ବହୁତ ଭଲ ପାଏ। ମୁଁ ବିଦାୟ ନେବା ପୂର୍ବରୁ ଏହା ମୋର ଶେଷ ଶବ୍ଦ। ଦୟା କରି ମୋତେ ଏହି କାମ(କୀଟନାଶକ ପିଇବା) ପାଇଁ କ୍ଷମା କରି ଦେବ।”
କ୍ରିଶେନ୍ଦୁଙ୍କୁ ଘର ଭିତରୁ ଉଦ୍ଧାର କରାଯାଇ ତାମଲୁକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ହେଁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୋକାନୀ ଶୁଭକାନ୍ତ ବେଙ୍ଗଲ ପୁଲିସ୍ ସହ ଜଡ଼ିତ। ସେ ଜଣେ ସ୍ୱେଚ୍ଛାସେବୀ। ପୁଲିସ୍କୁ ଟ୍ରାଫିକ ପରିଚାଳନାରେ ସେ ସହଯୋଗ କରନ୍ତି। ପୁଲିସ୍ ତାଙ୍କୁ ଏବେ ଜେରା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।