Advertisment

ଭୁଶୁଡ଼ିଗଲା ବ୍ରିଜ୍‌, ଭାସିଗଲେ ୨୦ରୁ ଅଧିକ ପର୍ଯ୍ୟଟକ

ଭାସି ଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଚାଲିଛି ପ୍ରୟାସ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bridge Collapsed

Bridge Collapsed

ଘଟିଲା ବଡ଼ ଅଘଟଣ। ନଦୀରେ ଭୁଶୁଡ଼ି ପଡ଼ିଲା ପୁରୁଣା ବ୍ରିଜ୍‌। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୬ ଜଣଙ୍କୁ ନଦୀରୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୫ରୁ ୨୦ ପର୍ଯ୍ୟଟକଙ୍କ ପତ୍ତା ମିଳୁନି। ସେମାନେ ନଦୀରେ ଭାସି ଯାଇଛନ୍ତି। ରବିବାର ଏହି ଅଘଟଣ ଘଟିଛି ମହାରାଷ୍ଟ୍ରର ପୁନେ ଜିଲ୍ଲାର କୁନ୍ଦମାଳାରେ।  

Advertisment

କୁନ୍ଦମାଳା ଏକ ପର୍ଯ୍ୟଟନ ସ୍ଥଳୀ। ବିଶେଷ କରି ବର୍ଷା ଋତୁରେ ଏଠାକୁ ପର୍ଯ୍ୟଟକମାନେ ଆସିଥା’ନ୍ତି। ଦୁଇ ଦିନ ଧରି ସେହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଇନ୍ଦ୍ରାୟଣୀ ନଦୀରେ ପାଣି ଦେଖିବାକୁ ଆଜି ଅପରାହ୍ନରେ ସେଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ପୁରୁଣା ଲୁହା ବ୍ରିଜ୍‌ଟି ଦୁର୍ବଳ ହୋଇଯାଇଥିବା ସତ୍ତ୍ୱେ ତା’ ଉପରେ ୫୦ରୁ ଅଧିକ ପର୍ଯ୍ୟଟକ ଛିଡ଼ା ହୋଇଥିଲେ। ଆଉ ହଠାତ୍ ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଥିଲା।ବ୍ରିଜ୍‌ଟିର ପାଖାପାଖି ଅଧା ଅଂଶ ଭୁଶୁଡ଼ି ପଡ଼ିଥିଲା। 

ନଦୀରେ ପ୍ରବଳ ସ୍ରୋତ ଆସିବାରୁ ଅବା ଅଧିକ ଓଜନ ଯୋଗୁ ବ୍ରିଜଟି ଭୁଶୁଡ଼ି ପଡ଼ିଥାଇପାରେ ବୋଲି କୁହାଯାଉଛି। ଭାସିଯାଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଚାଲିଛି। ଏଥିରେ ରାଜ୍ୟ ପୁଲିସ, ଡିଜାଷ୍ଟର ରିଲିଫ ୱାର୍କର ଓ ଏନ୍‌ଡିଆରଏଫକୁ ସାମିଲ କରାଯାଇଛି।  

Advertisment

ସୂଚନା ଅନୁଯାୟୀ, ବ୍ରିଜ୍‌ଟି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା। ସେଥିପାଇଁ କିଛି ମାସ ତଳେ ଏହା ଉପରେ ଚଳପ୍ରଚଳକୁ ବନ୍ଦ କରି ଦିଆଯାଇଥିଲା। ତେବେ କଟକଣା ନମାନି ପର୍ଯ୍ୟଟକମାନେ ଆଜି ତା’ ଉପରେ ରୁଣ୍ଡ ହୋଇଥିଲେ।

ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ବ୍ରିଜ୍‌ଟିର ଅବସ୍ଥା ଖରାପ ଥିଲା। ସେଥିରେ ବହୁତ ଲୋକ ଚଢ଼ିଥିଲେ। ଲୋକଙ୍କ ସହିତ ବ୍ରିଜ୍‌ ଉପରେ ଅନେକ ଦୁଇ ଚକିଆ ଗାଡ଼ି ମଧ୍ୟ ଥିଲା। ଓଜନ ଅଧିକ ହେବା କାରଣରୁ ବ୍ରିଜ୍‌ଟି ଭୁଶୁଡ଼ି ଯାଇଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି। 

ଅନ୍ୟପକ୍ଷରେ ଏହି ଘଟଣା ପରେ ରାଜ୍ୟରେ ନଦୀ ଉପରେ ଥିବା ସମସ୍ତ ବ୍ରିଜ୍‌ଗୁଡ଼ିକର ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସେ କହିଛନ୍ତି, ଆଜି ଯେଉଁ ଘଟଣା ଘଟିଛି, ତା’ର ତଦନ୍ତ କରାଯି। ଯେଉଁମାନେ ଏଥିପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ଭୁଶୁଡ଼ିବା ପୂର୍ବରୁ ଦୋହଲିଥିଲା ବ୍ରିଜ୍‌

ବ୍ରିଜ୍‌ଟି ଭୁଶୁଡ଼ିବା ପୂର୍ବରୁ ୫ ମିନିଟ୍ ଧରି ଦୋହଲି ଥିଲା ବୋଲି କହିଛନ୍ତି ଅମୋଲ ନାମକ ଜଣେ ବ୍ୟକ୍ତି। ସେ କହିଛନ୍ତି, ବ୍ରିଜଟି ଭୁଶୁଡ଼ିବା ପୂର୍ବରୁ ୫ ମିନିଟ୍ ଧରି ଦୋହଲି ଥିଲା। ମୁଁ ବି ବ୍ରିଜ୍‌ ଉପରେ ଥିଲି। ବ୍ରିଜ୍‌ ଭୁଶୁଡ଼ିବା ପରେ ପ୍ରାୟ ୧୫ ମିନିଟ ଧରି ନଦୀରେ ଫସି ଯାଇଥିଲି। ଏକ ପାଇପକୁ ଧରି ରହିଯାଇଥିଲି। ଶେଷରେ କିଛି ସ୍ଥାନୀୟ ଲୋକ ମୋତେ ଉଦ୍ଧାର କରିଥିଲେ। 

ଲତିକା ନାମ୍ନୀ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଘଟଣା ଘଟିବା ସମୟରେ ବ୍ରିଜ୍‌ ଉପରେ ୫୦ରୁ ଅଧିକ ଲୋକ ଛିଡ଼ା ହୋଇଥିଲେ।