Advertisment

୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ଘଟଣା: ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ୫ ଜଣଙ୍କୁ ମିଳିଥିଲା ମୃତ୍ୟୁଦଣ୍ଡ

ଦୋଷୀ ସାବ୍ୟସ୍ତ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା। ୨୦୦୬ ମୁମ୍ବାଇ ସମେତ ପୂରା ଦେଶକୁ ଦୋହଲାଇ ଦେଇଥିବା ଟ୍ରେନ ବିସ୍ଫୋରଣରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Blast

Blast

Advertisment

ପୂରା ଦେଶକୁ ଦୋହଲାଇ ଦେଇଥିବା ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ୧୨ ଜଣଙ୍କୁ ଆଜି ବମ୍ବେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମାମଲାର ଶୁଣାଣି ବେଳେ ପ୍ରାଣ ହରାଇ ସାରିଥିଲେ। ଏବେ ବାକି ୧୧ ଜଣ ୧୯ ବର୍ଷ ପରେ ଜେଲ ଦଣ୍ଡରୁ ମୁକ୍ତି ପାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା। ୨୦୦୬ ମୁମ୍ବାଇ ସମେତ ପୂରା ଦେଶକୁ ଦୋହଲାଇ ଦେଇଥିବା ଟ୍ରେନ ବିସ୍ଫୋରଣରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Advertisment

ବମ୍ବେ ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚ ବିଚାରପତି ଜଷ୍ଟିସ ଅନୀଲ କିଲୋର ଓ ଜଷ୍ଟିସ ଶ୍ୟାମ ଚନ୍ଦକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ରାୟରେ ଖଣ୍ଡପୀଠ କହିଛନ୍ତି ଯେ ଉପଯୁକ୍ତ ପ୍ରମାଣ ଦେବାରେ ସରକାରୀ ଓକିଲ ବିଫଳ ହୋଇଛନ୍ତି। କେବଳ ସନ୍ଦେହ ଛଡ଼ା ସରକାରୀ ଓକଲି କୌଣସି ପ୍ରକାରର ଠୋସ ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି।

କୋର୍ଟ କହିଛନ୍ତି ଯେ ମୁଖ୍ୟ ସାକ୍ଷୀମାନଙ୍କ ବୟାନ ବିଶ୍ୱାସଯୋଗ୍ୟ ନୁହେଁ। ସେମାନେ ଯେଉଁଭଳି ଭାବେ ଅଭିଯୁକ୍ତମାନଙ୍କୁ ପ୍ୟାରେଡ ଜରିଆରେ ଚିହ୍ନଟ କଲେ, ତା’ ଉପରେ ଅନେକ ପ୍ରଶ୍ନବାଚୀ ରହିଛି। ସେହିପରି ସ୍ୱୀକାରୋକ୍ତି ଅତ୍ୟନ୍ତ ନିର୍ଯାତନା ବଳରେ ହାସଲ କରାଯାଇ ଯାଇଥିଲା।

Advertisment

ବେଞ୍ଚ କହିଛନ୍ତି, “ପ୍ରତିପକ୍ଷ ଓକିଲ ପ୍ୟାରେଡ ଦ୍ୱାରା ଅଭିଯୁକ୍ତଙ୍କୁ ଚିହ୍ନଟ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ଅଧିକାଂଶ ସାକ୍ଷୀ ଘଟଣାର ଦୀର୍ଘ ବର୍ଷ ଯାଏ ନୀରବ ରହିଥିଲେ। ପ୍ରାୟ ୪ ବର୍ଷ ସେମାନେ ଚୁପ ରହିବା ପରେ ସାମ୍ନାକୁ ଆସିଥିଲେ ଓ ହଠାତ୍‌ ‌ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଦେଇଥିଲେ। ଏହା ଆଦୌ ସ୍ୱାଭାବିକ ଘଟଣା ନୁହେଁ। ଅଧିକାଂଶ ସାକ୍ଷୀ କାହିଁକି ସେମାନେ ଦୀର୍ଘ ବର୍ଷ ହେଲା ନୀରବ ରହିଥିଲେ ଓ କେମିତି ଅଭିଯୁକ୍ତଙ୍କୁ ଦୀର୍ଘ ବର୍ଷ ପରେ ଚିହ୍ନଟ କଲେ, ସେକଥା ଠିକ ଭାବେ କହି ପାରି ନାହାନ୍ତି।”

ଖଣ୍ଡପୀଠ ସରକାରୀ ଓକିଲ କରିଥିବା ତ୍ରୁଟି ସମ୍ପର୍କରେ ମଧ୍ୟ ଆଲୋକପାତ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, “ଶୁଣାଣି ବେଳେ କିଛି ସାକ୍ଷୀଙ୍କ ବୟାନକୁ ଯାଞ୍ଚ କରାଯାଇ ନଥିଲା। ଆରଡିଏକ୍ସ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତକୁ ବିଚାରକୁ ନେଲେ ଜଣାପଡ଼ିଛି ଯେ ସେଗୁଡ଼ିକ ଫରେନ୍ସିକ ଲ୍ୟାବରେ ପହଞ୍ଚିବା ଯାଏ ସରକାରୀ ଓକିଲ ଏହା ଯେ ପ୍ରମାଣ ତା’କୁ ଦର୍ଶାଇ ପାରି ନଥିଲେ।

ସନ୍ଦେହ ବ୍ୟତୀତ ସରକାରୀ ଓକିଲ ମାମଲାକୁ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି। ତେଣୁ ୨୦୧୫ ଅକ୍ଟୋବର ମାସରେ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ ବା ମୋକା କୋର୍ଟଙ୍କ ରାୟକୁ ହାଇକୋର୍ଟ ଖାରଜ କରିଛନ୍ତି। ମୋକା କୋର୍ଟ ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ଘଟଣାରେ ୫ ଜଣଙ୍କୁ ମୃତ୍ୟୁ ଓ ବାକି ୭ ଜଣଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

୧୨ ଜଣଙ୍କ ମଧ୍ୟରୁ କମଲ ଅନସାରୀ ନାଗପୁର ଜେଲରେ ଥିବା ବେଳେ କୋରନା ଯୋଗୁ ୨୦୨୧ରେ ପ୍ରାଣ ହରାଇଥିଲେ। ଏବେ ୧୯ ବର୍ଷ ହେଲା ଜେଲଦଣ୍ଡ ଭୋଗୁଥିବା ବାକି ୧୧ ଜଣ ନିର୍ଦ୍ଦୋଷରେ ଖଲାସ ହେବାକୁ ଯାଉଛନ୍ତି।

କେଉଁମାନେ ପାଇଥିଲେ ଦଣ୍ଡ?

୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ଘଟଣାରେ କମଲ ଅନସାରୀ, ମହମ୍ମଦ ଫୈଜଲ, କୁତୁବୁଦ୍ଦିନ ସିଦ୍ଦିକୀ, ନବୀଦ ହୁସେନ ଓ ଆସିଫ ଖାନଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେହିପରି ତନବୀର ଅହମ୍ମଦ ଇବ୍ରାହିମ ଅନସାରୀ, ମହମ୍ମଦ ମାଜିଦ, ଶେଖ ମହମ୍ମଦ ଅଲୀ ଆଲାମ ଶେଖ, ମହମ୍ମଦ ସାଜିଦ ମାରଗୁବ ଅନସାରୀ, ମୁଜାମ୍ମିଲ ଅତାଉର ରହମନ ଶେଖ, ସୁହାଲି ମେହମ୍ମୁଦ ଶେଖ ଓ ଜମୀର ଅହମଦ ଲାତିଉର ରେହମନ ଶେଖଙ୍କୁ ଆଜୀନବ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା।

୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଥିଲା। ୱେଷ୍ଟର୍ଣ୍ଣ ରେଳ ଲାଇନର ବ୍ୟସ୍ତବହୁଳ ସମୟରେ ୭ଟି ବୋମା ପ୍ରଥମ ଶ୍ରେଣୀ କମ୍ପାର୍ଟମେଣ୍ଟରେ ବିସ୍ଫୋଣ ହୋଇଥିଲା। ଏଥିରେ ୧୮୯ ଜଣଙ୍କ ଜୀବନ ଯାଇଥିଲା।

Mumbai Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe