Blast
ଦୀର୍ଘ ୧୭ ବର୍ଷରେ ଆସିଛି ୨୦୦୮ ମାଲେଗାଓଁ ବୋମା ବିସ୍ଫୋରଣ ଘଟଣାରେ ଆସିଛି ରାୟ। ଏହି ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ବିସ୍ଫୋରଣ ଘଟଣାର ସମସ୍ତ ୭ ଅଭିଯୁକ୍ତଙ୍କୁ ଆଜି ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଓ ପୂର୍ବତନ ଆର୍ମି ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ମଧ୍ୟ ରହିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତି କିଛି ହିନ୍ଦୁତ୍ୱ ନେତାଙ୍କୁ ମଧ୍ୟ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସ୍ୱତନ୍ତ୍ର ବିଚାରପତି ଏକେ ଲାହୋତି ଜାତୀୟ ତଦନ୍ତକାରୀ ସଂସ୍ଥା ଓ ମହାରାଷ୍ଟ୍ର ଏଟିଏସ ମିଳିତ ଭାବେ ତଦନ୍ତ କରିଥିବା ମାମଲାରେ କହିଛନ୍ତି ସରକାରୀ ଓକିଲ ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗକୁ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି। ସମସ୍ତ ୭ ଅଭିଯୁକ୍ତ ସନ୍ଦେହର ଲାଭ ପାଇବାକୁ ହକଦାର।
ମାଲେଗାଓଁ ବିସ୍ଫୋରଣ ମାମଲା: ଇତିବୃତ୍ତ
୨୦୦୮ ସେପ୍ଟମ୍ବର ୨୯: ମାଲେଗାଓଁର ଭିକ୍କୁ ଚୌକ ନିକଟରେ ମୋଟରସାଇକେଲରେ ଖଞ୍ଜା ଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା। ସାଂପ୍ରଦାୟିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଏହି ସହରରେ ବିସ୍ଫୋରଣ ଘଟଣା ଆତଙ୍କ ଖେଳାଇ ଯାଇଥିଲା। ବିସ୍ଫୋରଣ ପିବତ୍ର ରମଜାନ ମାସରେ ଓ ନବରାତ୍ରୀର କିଛି ଦିନ ପୂର୍ବରୁ ହୋଇଥିଲା।
୨୦୦୮ ଅକ୍ଟୋବର: ମହାରାଷ୍ଟ୍ର ଆତଙ୍କବାଦ ନିରୋଧ ସ୍କ୍ୱାଡ ବା ଏଟିଏସ ଘଟଣାର ତଦନ୍ତ କରି ହିନ୍ଦୁ ସଂଗଠନ ସହ ଜଡ଼ିତ କିଛି ଲୋକଙ୍କୁ ଗିରଫ କରିଥିଲା। ଏହାପରେ ବିବାଦୀୟ ରାଜନୀତିକ ନାରା ‘ହିନ୍ଦୁ ଆତଙ୍କବାଦୀ’ର ଜନ୍ମ ହୋଇଥିଲା। ଏଟିଏସର ନେତୃତ୍ୱ ମୁମ୍ବାଇ ୨୬/୧୧ ଆତଙ୍କୀ ହମଲାରେ ସହିଦ ହୋଇଥିବା ହେମନ୍ତ କରକରେ ନେଉଥିଲେ।
ସେ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ଗିରଫ କରିଥିଲେ। ବିସ୍ଫୋରଣରେ ତାଙ୍କ ବାଇକ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ଦାବି କରାଯାଇଥିଲା ଯେ ପ୍ରଜ୍ଞା ଠାକୁର ସକ୍ରିୟ ଭାବେ ବିସ୍ଫୋରଣ ଯୋଜନାରେ ସାମିଲ ଥିଲେ ଓ ହମଲା ପାଇଁ ନିଜ ବାଇକ ଦେଇଥିଲେ।
ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କୁ ମଧ୍ୟ ବିସ୍ଫୋରଣରେ ସହାୟତା ଅଭିଯୋଗରେ ଗିରଫ କରାଯାଇଥିଲା। ଏଟିଏସ ଅଭିଯୋଗ କରିଥିଲା ଯେ ପୁରୋହିତ ନିଜ ସହଯୋଗୀଙ୍କ ସହ ମିଶି ଅଭିନବ ଭାରତ ନାମକ ହିନ୍ଦୁ ସଂଗଠନ ସହ ବୈଠକ କରିଥିଲେ। ସେ ହମଲାକାରୀଙ୍କୁ ନିଯୁକ୍ତ କରିବା ସହ ଆରଡିଏକ୍ସ ଯୋଗାଇ ଦେଇଥିଲେ। ଉଭୟ ଠାକୁର ଓ ପୁରୋହିତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ସେମାନଙ୍କୁ ପରବର୍ତ୍ତୀ ଅବସ୍ଥାରେ ଜାମିନ ମିଳିଥିଲା।
୨୦୦୯ ଜାନୁଆରୀ : ଏଟିଏସ ପକ୍ଷରୁ ପ୍ରଥମ ଚାର୍ଜଶିଟ ଦାଖଲ କରାଯାଇଥିଲା।
୨୦୧୧ ଏପ୍ରିଲ : ୨୦୧୧ ଏପ୍ରିଲ ମାସରେ ତତ୍କାଳୀନ ୟୁପିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ମାମଲା ତଦନ୍ତ ଏନଆଇଏକୁ ହସ୍ତାନ୍ତର କରିଥିଲେ। ଏନଆଇଏ ପୁଣି ମାମଲା ରୁଜୁ କରିଥିଲା ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
୨୦୧୬: ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ ବା ମୋକା ଚାର୍ଜକୁ ଏନଆଇଏ ୨୦୧୬ରେ ପ୍ରମାଣ ଅଭାବରୁ ହଟାଇ ଦେଇଥିଲା। କିନ୍ତୁ ୟୁଏପିଏ ଓ ଆଇପିସିର ଦଫା ଗୁଡ଼ିକ କାଏମ ରହିଥିଲା। ଏନଆଇଏ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଜରିଆରେ ପ୍ରଜ୍ଞା ଠାକୁରଙ୍କୁ ମାମଲାରୁ ବାଦ ଦେବାକୁ ନିବେଦନ କରିଥିଲା। ହେଲେ ଏନଆଇଏ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ। ତାଙ୍କ ବିରୋଧରେ ମାମଲା ଜାରି ରଖିବାକୁ ଉପଯୁକ୍ତ ପ୍ରମାଣ ଥିବା କୋର୍ଟ କହିଥିଲେ।
ଏଟିଏସ ଚାର୍ଜଶିଟରେ ଥିବା ଲୋକଙ୍କୁ ଏନଆଇଏ ଜେରା କରିବା ସହ ପ୍ରମାଣ ଅଭାବରୁ ସେମାନଙ୍କୁ ଖଲାସ କରିଥିଲା। ଏଟିଏସ ତଦନ୍ତରେ ତ୍ରୁଟି ଥିବା ଏନଆଇଏ ଜାଣିବା ସହ ଅଭିଯୁକ୍ତମାନଙ୍କୁ ନିର୍ଯାତନା ଦିଆଯାଇ ବୟାନ ରେକର୍ଡ କରିଥିବା ସ୍ପଷ୍ଟ କରିଥିଲା।
୨୦୧୮ : ସମସ୍ତ ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ହେବା ସହ ବିଧିବଦ୍ଧ ଭାବେ ଶୁଣାଣି ଆରମ୍ଭ ହୋଇଥିଲା। ୭ ଅଭିଯୁକ୍ତ ହେଲେ ସ୍ୱାଧୀନ ପ୍ରଜ୍ଞା ସିଂହ ଠାକୁର, ପୂର୍ବତନ ଆର୍ମି ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ, ମେଜର(ଅବସରପ୍ରାପ୍ତ) ରମେଶ ଉପାଧ୍ୟାୟ, ଅଜୟ ରାହିରକର, ସୁଧାକର ଦ୍ୱିବେଦୀ, ସୁଧାକର ଚତୁର୍ବେଦୀ ଓ ସମୀର କୁଲକର୍ଣ୍ଣୀ।
୨୦୧୮-୨୦୨୩: ଏତେ ବର୍ଷର ଶୁଣାଣି ମଧ୍ୟରେ କୋର୍ଟ ସରକାରୀ ଓକିଲଙ୍କ ୩୨୩ ଜଣ ସାକ୍ଷୀ ଓ ପ୍ରତିପକ୍ଷ ଓକିଲଙ୍କ ୮ ଜଣ ସାକ୍ଷୀଙ୍କ ବୟାନକୁ ତର୍ଜମା କରିଥିଲେ। ଶୁଣାଣି ବେଳେ ୪୦ ଜଣ ସାକ୍ଷୀ ପୂର୍ବରୁ ଦେଇଥିବା ନିଜ ନିଜ ବୟାନରୁ ଓହରି ଯାଇଥିଲେ।
୨୦୨୫ ଏପ୍ରିଲ: ପ୍ରାୟ ୧୬ ବର୍ଷ ପରେ ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲ ନିଜର ଶେଷ ଯୁକ୍ତି ଏପ୍ରିଲ ୨୦୨୫ରେ ଉପସ୍ଥାପନ କରିଥିଲେ। ସରକାରୀ ଓକିଲ ୧୩୦୦ ପୃଷ୍ଠାର ତଥ୍ୟ କୋର୍ଟଙ୍କୁ ଦେଇଥିଲେ। କୋର୍ଟ ଏପ୍ରିଲ ୧୯ରେ ଉଭୟ ପକ୍ଷରୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ।
୨୦୨୫ ଜୁଲାଇ ୩୧: ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Blast_1753954440.jpg)