Advertisment

ମାଲେଗାଓଁ ବିସ୍ଫୋରଣ: ଦୋଷମୁକ୍ତ ରାୟ ବିରୋଧରେ ହାଇକୋର୍ଟ ଗଲେ ପୀଡ଼ିତଙ୍କ ପରିବାର

ମାଲେଗାଓଁ ବିସ୍ଫୋରଣ ଘଟଣାରେ ଏନଆଇଏ କୋର୍ଟ ଦେଇଥିବା ରାୟକୁ କାହିଁକି ମହାରାଷ୍ଟ୍ର ଏଟିଏସ କିମ୍ବା ଏନଆଇଏ ଉପର କୋର୍ଟରେ ଚ୍ୟାଲେଞ୍ଜ କଲେ ନାହିଁ, ତା’କୁ ନେଇ ପ୍ରଶ୍ନ ଉଠିଛି।

author-image
Hemant Lenka
Blast

Blast

ବହୁ ଚର୍ଚ୍ଚିତ ୨୦୦୮ ମାଲେଗାଓଁ ବିସ୍ଫୋରଣ ଘଟଣାରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଦେଇଥିବା ରାୟକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ପୀଡ଼ିତଙ୍କ ପରିବାର ଲୋକ। ମାଲେଗାଓଁ ବିସ୍ଫୋରଣରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ। କିନ୍ତୁ ସ୍ୱତନ୍ତ୍ର ଏନଆଇଏକ କୋର୍ଟ ଘଟଣାର ୭ ଅଭିଯୁକ୍ତଙ୍କୁ ନିକଟରେ ଦୋଷମୁକ୍ତ କରିଥିଲେ।

Advertisment

ଏବେ ପ୍ରାଣ ହରାଇଥିବା ୬ ଜଣଙ୍କ ପରିବାର ସଦସ୍ୟ ଦୋଷମୁକ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଦୋଷମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରେ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଓ ପୂର୍ବତନ ଆର୍ମି ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ମଧ୍ୟ ରହିଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତି କିଛି ହିନ୍ଦୁତ୍ୱ ନେତାଙ୍କୁ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ଏବେ ଦୋଷମୁକ୍ତ ରାୟଙ୍କୁ ନିସାର ଅହମଦ ସୟୀଦ ବିଲାଲ ଓ ଅନ୍ୟ ୫ ଜଣ ମିଳିତ ଭାବେ ଆଇନଜୀବୀ ମତୀନ ଶେଖଙ୍କ ଜରିଆରେ ଚ୍ୟାଲେଞ୍ଜ କରିଛନ୍ତି। ଜୁଲାଇ ୩୧ରେ ସ୍ୱତନ୍ତ୍ର କୋର୍ଟ ଦେଇଥିବା ଦୋଷମୁକ୍ତ ରାୟକୁ ସେମାନେ ଖାରଜ କରିବାକୁ ଦାବି କରିଛନ୍ତି। କୋର୍ଟ ଏହାକୁ ଗ୍ରହଣ କରି ଶୁଣାଣି କରିବାକୁ ରାଜି ହୋଇଥିବା ମଧ୍ୟ ଜଣାପଡ଼ିଛି।

Advertisment

ତେବେ ୨୦୦୬ ମୁମ୍ବାଇ ସମେତ ପୂରା ଦେଶକୁ ଦୋହଲାଇ ଦେଇଥିବା ଟ୍ରେନ ବିସ୍ଫୋରଣ ମାମଲାରେ ହାଇକୋର୍ଟ ଦେଇଥିବା ଦୋଷମୁକ୍ତ ରାୟକୁ ତୁରନ୍ତ ମହାରାଷ୍ଟ୍ର ଏଟିଏସ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସର୍ବୋଚ୍ଚ ଅଦାଲତ ବମ୍ବେ ହାଇକୋର୍ଟଙ୍କ ଦୋଷମୁକ୍ତ ରାୟ ଉପରେ ରୋକ ବି ଲଗାଇ ଦେଇଛନ୍ତି। ତେବେ ଅଭିଯୁକ୍ତଙ୍କୁ ଜେଲରୁ ଖଲାସ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ନାହାନ୍ତି ଓ ପୂର୍ବରୁ ରିଲିଜ ହୋଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।

ହେଲେ ମାଲେଗାଓଁ ବିସ୍ଫୋରଣ ଘଟଣାରେ ଏନଆଇଏ କୋର୍ଟ ଦେଇଥିବା ରାୟକୁ କାହିଁକି ମହାରାଷ୍ଟ୍ର ଏଟିଏସ କିମ୍ବା ଏନଆଇଏ ଉପର କୋର୍ଟରେ ଚ୍ୟାଲେଞ୍ଜ କଲେ ନାହିଁ, ତା’କୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ଏଜେନ୍ସି ବଦଳରେ ନିଜେ ମାଲେଗାଓଁ ପୀଡ଼ିତଙ୍କ ପରିବାର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି।

୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। କିନ୍ତୁ କୋର୍ଟ ଉପଯୁକ୍ତ ପ୍ରମାଣ ଦେବାରେ ସରକାରୀ ଓକିଲ ବିଫଳ ହୋଇଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ଏହି ମାମଲାରେ ତଳ କୋଔ ପୂର୍ବରୁ କମଲ ଅନସାରୀ, ମହମ୍ମଦ ଫୈଜଲ, କୁତୁବୁଦ୍ଦିନ ସିଦ୍ଦିକୀ, ନବୀଦ ହୁସେନ ଓ ଆସିଫ ଖାନଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ।

ସେହିପରି ତନବୀର ଅହମ୍ମଦ ଇବ୍ରାହିମ ଅନସାରୀ, ମହମ୍ମଦ ମାଜିଦ, ଶେଖ ମହମ୍ମଦ ଅଲୀ ଆଲାମ ଶେଖ, ମହମ୍ମଦ ସାଜିଦ ମାରଗୁବ ଅନସାରୀ, ମୁଜାମ୍ମିଲ ଅତାଉର ରହମନ ଶେଖ, ସୁହାଲି ମେହମ୍ମୁଦ ଶେଖ ଓ ଜମୀର ଅହମଦ ଲାତିଉର ରେହମନ ଶେଖଙ୍କୁ ଆଜୀନବ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା। କିନ୍ତୁ ଦୀର୍ଘ ୧୯ ବର୍ଷ ପରେ ହାଇକୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିଥିଲେ।

Malegaon Blast