ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ବଡ଼ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ ମାଓବାଦୀ

ବିଜାପୁର ଓ କାଙ୍କେରରେ ହୋଇଥିବା ଅପରେସନରେ ଛତିଶଗଡ଼ ଜିଲ୍ଲା ରିଜର୍ଭ ଗାର୍ଡ ବା ଡିଆରଜିର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।

Naxal

representational image

Hemant Lenka
  • Published: Thursday, 20 March 2025
  • , Updated: 20 March 2025, 03:01 PM IST

ନକ୍ସଲଙ୍କ ବିରୋଧରେ ଆର୍‌ପାର୍‌ ଲଢ଼େଇ ଆରମ୍ଭ ହୋଇଯାଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର କରିଥିବା ପଣ ଦିଗରେ ସୁରକ୍ଷାକର୍ମୀ ଆଉ ପାଦେ ଆଗେଇଛନ୍ତି। ଛିତଶଗଡ଼ର ଦୁଇଟି ସ୍ଥାନରେ ଚାଲିଥିବା ଅପରେସନକୁ ମିଳିଛି ବଡ଼ ସଫଳତା। ରାଜ୍ୟର ପୁଲିସ୍‌ ଓ ଅର୍ଦ୍ଧ ସାମରିକ ବାହିନୀ ବେଶ ଚମତ୍କାର ଢଙ୍ଗରେ ଅପରେସନ କରି ୨୨ କୁଖ୍ୟାତ ନକ୍ସଲଙ୍କ ମୁଣ୍ଡ ଗଡ଼ାଇଛନ୍ତି।

ବିଜାପୁର ଓ କାଙ୍କେରରେ ହୋଇଥିବା ଅପରେସନରେ ଛତିଶଗଡ଼ ଜିଲ୍ଲା ରିଜର୍ଭ ଗାର୍ଡ ବା ଡିଆରଜିର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଏହାପୂର୍ବରୁ ଫେବୃଆରୀ ୯ରେ ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ଜଣ ନକ୍ସଲ ନିପାତ ହୋଇଥିଲେ। ଏବେ ମାସକ ପରେ ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା ମିଳିଛି।

ବିଜାପୁର-ଦାନ୍ତେୱାଲା ସୀମା ଗଙ୍ଗାଲୁର ସ୍ଥିତ ଜଙ୍ଗଲରେ ହୋଇଥିବା ଗୁଳି ବିନିମୟରେ ୧୮ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଏଠାରେ ସକାଳ ୭ଟାରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ଏଠାରେ ନକ୍ସଲ ବିରୋଧୀ ଅପରେସନ ଜାରି ରଖିଥିଲେ। ଏହି ସମୟରେ ମାଓବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।

ଉଭୟ ପକ୍ଷ ମଧ୍ୟରେ ବେଶ କିଛି ଘଣ୍ଟା ଧରି ପ୍ରବଳ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ସାମନ୍ୟ ଥମିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଏତିକି ବେଳେ ଏନକାଉଣ୍ଟର ସ୍ଥଳରୁ ୧୮ ଜଣ ନକ୍ସଲଙ୍କ ମୃତଦେହ ମିଳିଛି। ସେହିପରି ସେମାନଙ୍କ ଠାରୁ ବିପୁଳ ପରିମାଣର ଗୁଳିଗୋଳା ଓ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରାଯାଇଥିବା ବିଜାପୁର ପୁଲିସ୍‌ ନିଶ୍ଚିତ କରିଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ବିଜାପୁର-ଦାନ୍ତେୱାଡା ସୀମାର ଜଙ୍ଗଲ ଅଞ୍ଚଳରେ ଏବେ ବି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧୮ ଜଣ ନକ୍ସଲଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମିଳିଛି। ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି। ସର୍ଚ୍ଚ ଓ କମ୍ବିଂ ଅପରେସନ ଉକ୍ତ ଅଞ୍ଚଳରେ ଏବେ ବି ଜାରି ରହିଛି।”

ପୁଲିସ୍‌ର କହିବା କଥା ଡିଆରଜି, ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଓ ସିଆରପିଏଫ ପକ୍ଷରୁ ମିଳିତ ଭାବେ ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ କରାଯାଉଥିଲା। ସୁରକ୍ଷାକର୍ମୀମାନେ ସେମାନଙ୍କ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ସେହିପରି କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଛୋଟେବେଥିୟା ଅନ୍ତର୍ଗତ କୋରୋସକୋଡା ଗାଁ ନିକଟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିବା ବେଳେ ସେମାନେ ନକ୍ସଲଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ୪ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ସେଠାରେ ସ୍ପେଶାଲ ଫୋର୍ସ ପକ୍ଷରୁ ଅପରେସନ ଜାରି ରହିଛି।

ଗତ ମାସରେ ସୁରକ୍ଷାକର୍ମୀମାନେ ଇନ୍ଦ୍ରାବତୀ ନ୍ୟାଶନାଲ ପାର୍କ ଅଞ୍ଚଳରେ ଥିବା ଜଙ୍ଗଲରେ ୩୧ ଜଣ ନକ୍ସଲଙ୍କୁ ହତ୍ୟା କରିଥିଲେ। ସେହିପରି ୨ ଜଣ ଯବାନ ସହିଦ ହୋଇଥିଲେ। ଏକନ୍‌କାଉଣ୍ଟର ସ୍ଥଳରୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଥିଲା। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ବହୁ ମାତ୍ରାରେ ଏକେ-୪୭, ଏସ୍‌ଏଲ୍‌ଆର, ଇନ୍‌ସାସ୍ ରାଇଫଲ, .୩୦୩ ଓ ବିଜିଏଲ୍‌ ଲଞ୍ଚର ରହିଥିଲା।

ଜାନୁଆରୀ ୨୧ରେ ଓଡ଼ିଶା-ଛତିଶଗଡ଼ ସୀମାରେ ହୋଇଥିବା ଏନକାଉଣ୍ଟରେ ୨୦ ଜଣ ନକ୍ସଲ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରେ ବରିଷ୍ଠ ନକ୍ସଲ ନେତା ଜୟରାମ ରେଡ୍ଡୀ ରହିଥିଲା। ତା’କୁ ଧରିବା ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ପୁଲିସ୍ ତା’କୁ ଖୋଜୁ ଥିବା ବେଳେ ସେ ସବୁବେଳେ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଉଥିଲା।

ତେବେ ଜୟରାମ ସମେତ ଏକାଧିକ ନକ୍ସଲ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଠାରୁ ୫ କିମି ଦୂର ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଆଡ୍ଡା ଜମାଇଥିବା ଖବର ସୁରକ୍ଷାକର୍ମୀଙ୍କୁ ଜାନୁଆରୀ ୨୦ ତାରିଖ ରାତିରେ ମିଳିଥିଲା। ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଉଭୟ ରାଜ୍ୟର ଏସଓଜି ଯବାନମାନେ ମାଓବାଦୀ ଦମନ ଅଭିଯାନ ଆରମ୍ଭ କରି ଦେଇଥିଲେ। ରାତିରୁ ଆରମ୍ଭ ହୋଇଥିବା ଏହି ଅପରେସନରେ ଡିଆରଜି, ସିଆରପିଏଫ, ଛତିଶଗଡ଼ର କୋବ୍ରା ଓ ଓଡ଼ିଶାର ଏସଓଜି ଯବାନମାନେ ସାମିଲ ହୋଇଥିଲେ।

୨୦୨୪ରେ ମରିଥିଲେ ୨୦୦ରୁ ଅଧିକ ନକ୍ସଲ

୨୦୨୪ରେ କେବଳ ଛତିଶଗଡ଼ରେ ୨୧୯ ଜଣ ନକ୍ସଲ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ କେବଳ ବସ୍ତର ରିଜନରେ ୨୧୭ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ବସ୍ତର ରିଜନ ଅଧୀନରେ ବସ୍ତର, ଦାନ୍ତେୱାଲା, କାଙ୍କେର, ବିଜାପୁର, ନାରାୟଣପୁର, କୋଣ୍ଡାଗାଓଁ ଓ ସୁକମା ଜିଲ୍ଲା ରହିଛି। ୨୦୨୪ରେ ୮୦୦ରୁ ଅଧିକ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୮୦୨ ଜଣ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ୨୦୨୪ରେ ନକ୍ସଲ ହମଲାରେ୧୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୬୫ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି। ୨୦୨୫ରେ ଛତିଶଗଡ଼ରେ ହୋଇଥିବା ମିଳିତ ଅପରେସନରେ ଏଯାଏ ପ୍ରାୟ ୧୦୦ ଜଣ ନକ୍ସଲ ପ୍ରାଣ ହରାଇ ସାରିଲେଣି।

Related story