Advertisment

ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା: ୨୭ ମୃତ

ମୃତକଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
DOCTOR

DOCTOR

ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ରତିଭାନପୁରରେ ମଙ୍ଗଳବାର ଏକ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ସେହିପରି ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ସେମାନଙ୍କୁ ଏଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। 

Advertisment

ଏଟା ଏସ୍‌ଏସ୍‌ପି ରାଜେଶ କୁମାର ସିଂହ କହିଛନ୍ତି, ହାଥରସ ଜିଲ୍ଲାର ଏକ ଗାଁରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଦଳଚକଟା ହୋଇଛି। ଏଯାବତ୍ ଏଟା ହସ୍‌ପିଟାଲକୁ ୨୭ଟି ମୃତଦେହ ଆସିଛି। ସେମାନଙ୍କ ମଧ୍ୟରେ ୨୩ ଜଣ ମହିଳା, ୩ ଜଣ ଶିଶୁ ଓ ଜଣେ ପୁରୁଷ ଅଛନ୍ତି। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି।   

ସୂଚନା ଅନୁଯାୟୀ, ରତିଭାନପୁରରେ ମହାପ୍ରଭୁ ମହାଦେବଙ୍କର କୌଣସି ପୂଜା ଚାଲିଥିଲା। ମାନବ ମଙ୍ଗଳ ମିଳନ ସଦଭାବନା ସଙ୍ଗମ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ଭକ୍ତମାନେ ଯେତେବେଳେ ଘରକୁ ଫେରିଯିବାକୁ ବାହାରିଥିଲେ ସେତେବେଳେ ଦଳାଚକଟା ହୋଇଥିଲା। ସିକନ୍ଦରା ରାଓ ଥାନା ଅଧିକାରୀ ଆଶିଷ କୁମାର କହିଛନ୍ତି ଯେ ଅଧିକ ଭିଡ଼ ଯୋଗୁ ଦଳଚକଟା ହୋଇଥିବା ଜଣାପଡ଼ୁଛି। 

Advertisment

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଉଚିତ ଚିକିତ୍ସା ଯୋଗାଇ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଗ୍ରା ଏଡିଜି ଓ ଅଲୀଗଡ଼ କମିଶନରଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

Stampede