Advertisment

ଓଡ଼ିଶା ଇତିହାସର ସବୁ ଠାରୁ ବଡ଼ ଓ ଭୟଙ୍କର ଟ୍ରେନ ଦୁର୍ଘଟଣା: ଗଲା ୨୮୮ ଜଣଙ୍କ ଜୀବନ

ଶୁକ୍ରବାର ଲୌହ ଦାନବର ରକ୍ତ ଭୋଜି ଉଜାଡ଼ି ଦେଇଛି ଅନେକଙ୍କ ସ୍ୱପ୍ନ। ଛାରଖାର କରିଦେଇଛି ବହୁ ପରିବାରର ଖୁସି। କିଏ ନିଜ ବାପାଙ୍କୁ ହରାଇଛି ତ ଆଉ କିଏ ନିଜ ପୁଅ, ସ୍ୱାମୀ ଓ ଝିଅଙ୍କୁ ହରାଇଛି।

author-image
Hemant Lenka
Train Crash

Train Crash

ଓଡ଼ିଶା ଇତିହାସର ସବୁଠାରୁ ବଡ଼ ଟ୍ରେନ ଦୁର୍ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ବାଲେଶ୍ୱର ବାହାନଗାରେ ତିନି ତିନିଟି ଟ୍ରେନ୍ ମଧ୍ୟରେ ହୋଇଥିବା ଭୟଙ୍କର ଧକ୍କା ସମସ୍ତଙ୍କୁ ଚକିତ କରିଛି। ଦେଶର ଅନ୍ୟତମ ଟ୍ରେନ ଟ୍ରାଜେଡିରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି।

Advertisment

ଏଥିରେ ୮୦୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଶୁକ୍ରବାର ଲୌହ ଦାନବର ରକ୍ତ ଭୋଜି ଉଜାଡ଼ି ଦେଇଛି ଅନେକଙ୍କ ସ୍ୱପ୍ନ। ଛାରଖାର କରିଦେଇଛି ବହୁ ପରିବାରର ଖୁସି। କିଏ ନିଜ ବାପାଙ୍କୁ ହରାଇଛି ତ ଆଉ କିଏ ନିଜ ପୁଅ, ସ୍ୱାମୀ ଓ ଝିଅଙ୍କୁ ହରାଇଛି।

Advertisment

ମାତ୍ର କିଛି ମିନିଟ ମଧ୍ୟରେ ସବୁ କିଛି ଛାରଖାର ହୋଇ ଯାଇଛି। ଶୁକ୍ରବାର ସନ୍ଧ୍ୟାରେ କିଏ ବାପା-ମାଆଙ୍କ ସହ ମାମୁ ଘରକୁ ବାହାରି ଥିଲା ତ ଆଉ କିଏ ଛୁଟି କାଟିବାକୁ ନିଜ ଘରକୁ ଫେରୁଥିଲେ। ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଅପେକ୍ଷା କରିଥିବା ବେଳେ ବାହାନଗା ବଜାର ଷ୍ଟେସନ ଠାରୁ ୩୦୦ ମିଟର ଦୂରରେ ଘଟିଥିଲା ଅଘଟଣ।

ପଶ୍ଚିମବଙ୍ଗର ଶାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏପକ୍ସପ୍ରେସ ପ୍ରଥମେ ସିଗ୍ନାଲରେ ବାଉଳା ହୋଇ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଯାଇଥିଲା। ବଗି ଗୁଡ଼ିକ ଓଲଟି ପଡ଼ିଥିବା ବେଳେ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏହାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ କିଛି ବଗି ବେଶ କିଛି ବାଟ ଛିଟିକି ପଡ଼ି ଟ୍ରାକରେ ଛେଚି ହୋଇଯାଇଥିଲା। ଗୋଟିଏ ବଗି ଅନ୍ୟ ଏକ ବଗି ଉପରେ ଚଢ଼ି ଯାଇଥିଲା। ଦୁଇଟି ଯାକ ଟ୍ରେନର ୧୭ଟି ବଗି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି।

ଏହି ଖବର ଆଖି ପିଛୁଳାକେ ବ୍ୟାପିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ପ୍ରଶାସନ ଆସିବା ପୂର୍ବରୁ ବଗି ତଳେ ଓ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ ହୋଇ ଯାଇଥିଲା। ରାତିର ଅନ୍ଧାର ଓ କେବେ ଆଖି ଦେଖି ନଥିବା ଭୟଙ୍କର ଦୁର୍ଘଟଣା ଭିତରେ ଆରମ୍ଭ ହୋଇଥିଲା ସବୁଠାରୁ ଚ୍ୟାଲେଞ୍ଜିଂ ଅପରେସନ। ତେବେ ବଗି ଓ ତା’ ଭିତରୁ ଫସି ରହିଥିବା ଲୋକଙ୍କ ଜୀବନକୁ ରକ୍ଷା କରିବା ଆଦୌ ସହଜ ନଥିଲା।

ଭାରତ ଇତିହାସର ଅନ୍ୟତମ ବଡ଼ ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିଲା। ଘନଘନ ଆମ୍ବୁଲାନସର ସାଇରନ୍, ଗ୍ୟାସ କଟର ଓ ସନ୍ଧାନୀ କୁକୁର ଦ୍ୱାରା ବଗି ଭିତରୁ ଜୀବନ ଖୋଜା ଆରମ୍ଭ ହୋଇଥିଲା। ଆହତ ଓ ନିଜ ପରିଜନଙ୍କୁ ହରାଇ ସାରିଥିବା ଲୋକଙ୍କ ଚିତ୍କାରରେ ଫାଟି ପଡ଼ୁଥିଲା ପରିବେଶ। ଉଦ୍ଧାର କାର୍ଯ୍ୟରେ ୯ଟି ଏନଡିଆରଏଫ୍ ଟିମ୍ ସମେତ ୫ଟି ଓଡ୍ରାଫ୍ ୟୁନିଟ୍, ୨୪ ଫାୟାର ସର୍ଭିସ୍, ଇମର୍ଜେନ୍ସି ୟୁନିଟ୍, ରାଜ୍ୟ ପୁଲିସ ସାଙ୍ଗକୁ ସ୍ଥଳ ସେନାର ଯବାନ ସାମିଲ ହୋଇଥିଲେ।

ବାୟୁସେନାର ବିମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ପାଇଁ ଆଲର୍ଟ ମୋଡରେ ରହିଥିଲା। ରାତି ସାରା ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ସକାଳୁ ସୂର୍ଯ୍ୟ ଆଲୁଅରେ ଆହୁରି ତ୍ୱରାନ୍ୱିତ ହୋଇଥିଲ। ପୁଲିସ ଡିଜିଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ଓ ରେଲୱେ ବିଭାଗର ବରିଷ୍ଠ ଅଧିକାରୀ ବି ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।

ନିଜେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ସମୀକ୍ଷା କରିଥିଲେ। ଏଥିସହ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଥିଲେ।

ମୃତାହତଙ୍କୁ ହସ୍ପିଟାଲ ନେବା କାମରେ ୨ ଶହ ଆମ୍ବୁଲାନ୍ସ, ତୁରନ୍ତ ଚିକିତ୍ସା ପାଇଁ ଶହେ ମେଡିକାଲ ଟିମ୍, ୪୫ ମୋବାଇଲ୍ ହେଲ୍ଥ ଟିମ୍, ୫୦ ଡାକ୍ତର ଓ ଦୁର୍ଘଟଣାରେ ଫସିଯାଇଥିବା ଯାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ୩୦ ବସ୍ ନିୟୋଜିତ ହୋଇଥିଲେ।

ଅପରେସନରେ ପଶ୍ଚିମବଙ୍ଗର ମେଡିକାଲ ଟିମ୍ ବି ସାମିଲ ହୋଇଥିଲେ। ଏସବୁ ଭିତରେ ଦୀର୍ଘ ୧୬ ଘଣ୍ଟାର ଅପରେସନ୍ ପରେ ଆଜି କେବଳ ବଗିରୁ ମୃତାହତଙ୍କ ଉଦ୍ଧାର କାର୍ଯ୍ୟ ସରିଛି। ହେଲେ ଏବେ ଟ୍ରାକ ଓ ବଗି ଗୁଡ଼ିକ ଛିନଛତ୍ର ହୋଇ ଘଟଣା ସ୍ଥଳରେ ପଡ଼ି ରହିଛି।

Odisha Train Accident Train Tragedy