Advertisment

Terror Link: ମିଳିଲା ଆଉ ୨୫୦୦ କେଜି ବିସ୍ଫୋରକ: ପୂରା ଦିଲ୍ଲୀକୁ ଉଡ଼ାଇବାକୁ ହୋଇଥିଲା କି ମସୁଧା?

ଗିରଫ ମହିଳା ଡାକ୍ତର ଜଣଙ୍କ ହେଲେ ଶାହୀନ ଶାହିଦ। ତାଙ୍କ ଘର ଲକ୍ଷ୍ନୌର ଲାଲ ବାଗ ଅଞ୍ଚଳରେ। ତାଙ୍କ କାରକୁ ଶକୀଲ ସହକର୍ମୀ ହିସାବରେ ବ୍ୟବହାର କରୁଥିଲା। ତେବେ କାରରୁ ବିସ୍ଫୋରକ ଓ ବନ୍ଧୁକ ମିଳିବାରୁ ପୁଲିସ୍‌ ମହିଳାଙ୍କୁ ଘନଘନ ଜେରା କରିବା ପରେ ଗିରଫ କରିଛି।

author-image
Hemant Lenka
Blast

ଦୁଇ ଗିରଫ ଡାକ୍ତର ଶକୀଲ ଓ ଆଦିଲ

ଭାରତ ଇତିହାସରେ ସବୁଠାରୁ ବଡ଼ ଆତଙ୍କବାଦୀ ହମଲା ପାଇଁ ହୋଇଥିଲା କି ଷଡ଼ଯନ୍ତ୍ର? ପାକିସ୍ତାନରେ ସକ୍ରିୟ ଆତଙ୍କୀ(Terrorist) ସଂଗଠନଗୁଡ଼ିକ ଭାରତକୁ ଦୋହଲାଇ ଦେବାକୁ କରିଥିଲେ କି ପ୍ଲାନ? ଦୁଇଟି ଘରୁ ୨୪ ଘଣ୍ଟା ମଧ୍ୟରେ ୨୯୦୦ କେଜି ବିସ୍ଫୋରକ ସାମଗ୍ରୀ ମିଳିବା ପରେ ଏପରି ଆଶଙ୍କା ପ୍ରକାଶ ପାଇଛି। ଜଣେ ଡାକ୍ତରଙ୍କ ୨ଟି ଭଡ଼ା ଘରୁ ଏପରି ବିସ୍ଫୋରକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଜମ୍ମୁ-କଶ୍ମୀର( Jammu Kashmir ) ଓ ହରିୟାଣା(Haryana) ପୁଲିସ୍‌ ମିଳିତ ଅପରେସନ ଦ୍ୱାରା ବିସ୍ଫୋରକ ଜବତ କରି ବଡ଼ଧରଣର ସମ୍ଭାବ୍ୟ ଆତଙ୍କବାଦୀ ହମଲାକୁ ପଣ୍ଡ କରି ଦେଇଛନ୍ତି। ଏଥିସହ ଧଳା କଲର ଟେରର ଇକୋସିଷ୍ଟମର ମଧ୍ୟ ପର୍ଦ୍ଦାଫାସ କରିଛନ୍ତି। ୨୯୦୦ କେଜିର ସନ୍ଦିଗ୍ଧ ଆୟୋନିୟମ ନାଇଟ୍ରେଟ ସହ ଆସଲ୍ଟ ରାଇଫଲ ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ସେହିପରି ଆତଙ୍କୀ ଲିଙ୍କର ଚେର ଜମ୍ମୁ-କଶ୍ମୀରରୁ ହରିୟାଣାର ଫରଦାବାଦ ଲମ୍ବି ଥିବା ମଧ୍ୟ ସୁରକ୍ଷାକର୍ମୀମାନେ ଜାଣିବାକୁ ପାଇଛନ୍ତି। 

ହରିୟାଣର ଫରଦାବାଦର ଥିବା ଗୋଟିଏ ମେଡିକାଲ କଲେଜରେ କାର୍ଯ୍ୟ କରୁଥିବା ଦୁଇ ଜଣ ଡାକ୍ତର ପୂରା ଘଟଣା ପଛରେ ଥିବାରୁ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ଡାକ୍ତରଙ୍କ ମଧ୍ୟରେ ଜଣେ ମହିଳା ବି ରହିଛନ୍ତି। ପ୍ରଥମେ ପୁଲିସ୍‌ ୩୫୦ କେଜି ଆମୋନିୟମ ନାଇଟ୍ରେଟ୍‌ ଜବତ କରିଥିଲା। ଏହାପରେ ଆଉ ୨୫୦୦ କେଜିର ବିସ୍ଫୋରକ ତିଆରି କେମିକାଲ ଜବତ ହୋଇଛି। ଏହି କେମିକାଲକୁ ବ୍ୟବହା କରି ଶତାଧିକ ଆଇଇଡି ତିଆରି କରି ଦିଲ୍ଲୀକୁ ଦୋହଲାଇବାକୁ ଯୋଜନା କରାଯାଇଥିଲା ବୋଲି ପୁଲିସ କହିଛି। 

Advertisment

ଜଣେ ଅଧିକାରୀଙ୍କ କହିବା କଥା ଯେ ରବିବାର ଫରିଦାବାଦର ଅଲ ଫଲାହ ହସ୍ପିଟାଲର କାର୍ଯ୍ୟରତ ଡାକ୍ତର ମୁଜାମିଲ ଶକୀଲକୁ ଗିରଫ କରାଯାଇଥିଲା। ଏହାପରେ ତା’ର ଗୋଟିଏ ଭଡ଼ା ଘରୁ ପ୍ରଥମେ ୩୫୦ କେଜି ଓ ପରେ ଆଉ ୨୫୬୩ କେଜି ବିସ୍ଫୋରକ ଜବତ ହୋଇଛି। ଉଭୟ ଘର ଶକୀଲ ଭଡ଼ାରେ ନେଇଥିଲା।

ଫରିଦାରବାଦ ଧୋଜ ଠାରେ ଥିବା ଅଲ ଫଲାହ ବିଶ୍ୱବିଦ୍ୟାଳୟ ଦିଲ୍ଲୀ ଠାରୁ ମାତ୍ର ୪୫ କିମି ଦୂର। ଏହା ଗୋଟିଏ ଘରୋଇ ସଂସ୍ଥା ଓ ଏହାକୁ ୟୁଜିସିର ଅନୁମୋଦନ ମଧ୍ୟ ମିଳିଛି। ଏଠାରେ ଶକୀଲ ପ୍ରାୟ ୩ ବର୍ଷ ହେଲା ବରିଷ୍ଠ ଡାକ୍ତର ଭାବେ କାମ କରୁଥିଲା ଓ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଉଥିଲା।

ଶକୀଲର ଧୋଜ ସ୍ଥିତ ଭଡ଼ା ଘରୁ ରେଡ ବେଳେ ଗୋଟିଏ ଆସଲ୍ଟ ରାଇଫଲ, ୩ ମାଗାଜିନ, ୮୩ଟି ଜୀବନ୍ତ ଗୁଳି, ଗୋଟିଏ ପିସ୍ତଲ, ୮ ରାଉଣ୍ଡ ଗୁଳି, ୨ଟି ଖାଲି କ୍ୟାଟ୍ରିଜ, ୨ଟି ଅତିରିକ୍ତ ମାଗାଜିନ, ୮ଟି ବଡ଼ ସୁଟକେସ, ୪ଟି ଛୋଟ ସୁଟକେସ, ସନ୍ଦିଗ୍ଧ ବିସ୍ଫୋରକ କେମିକାଲ, ବ୍ୟାଟେରୀ ଥିବା ୨୦ଟି ଟାଇମର୍ସ, ୨୪ଟି ରିମୋର୍ଟ କଣ୍ଟ୍ରୋଲ୍ସ, ୫ କେଜି ଓଜନର ମେଟାଲ, ୱାକିଟକି ସେଟ୍ସ, ଇଲେକ୍ଟ୍ରିକ ୱାଇରିଙ୍ଗ, ବ୍ୟାଟେରୀ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। 

ଏହାବାଦ ଗୋଟିଏ ମାରୁତି ସ୍ୱିଫ୍ଟ କାର ପୁଲିସ୍‌ ଜବତ କରିଛି। କାରର ମାଲିକ ଜଣେ ମହିଳା। ତାଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଗିରଫ ମହିଳା ଡାକ୍ତର ଜଣଙ୍କ ହେଲେ ଶାହୀନ ଶାହିଦ। ତାଙ୍କ ଘର ଲକ୍ଷ୍ନୌର ଲାଲ ବାଗ ଅଞ୍ଚଳରେ। ତାଙ୍କ କାରକୁ ଶକୀଲ ସହକର୍ମୀ ହିସାବରେ ବ୍ୟବହାର କରୁଥିଲା। ତେବେ କାରରୁ ବିସ୍ଫୋରକ ଓ ବନ୍ଧୁକ ମିଳିବାରୁ ପୁଲିସ୍‌ ମହିଳାଙ୍କୁ ଘନଘନ ଜେରା କରିବା ପରେ ଗିରଫ କରିଛି। ପ୍ରାୟ ୧୫ ଦିନ ତଳେ ବିସ୍ଫୋରକ ଏଠାକୁ ଆସିଥିଲା। ୮ଟି ବଡ଼ ସୁଟକେସ ଓ ୪ଟି ଛୋଟ ସୁଟକେସରେ ଏହାକୁ ରଖାଯାଇଥିଲା। 

ଏହି ଘଟଣାର ଦିନକ ପରେ ପୁଲିସ୍‌ ଧୋଜ ଠାରୁ ୪ କିମି ଦୂରରେ ଥିବା ଫତେପୁର ତାଗ ଗାଁରେ ପହଞ୍ଚିଥିଲା। ସେଠାରେ ମଧ୍ୟ ଶକୀଲ ଗୋଟିଏ ଘର ଭଡ଼ାରେ ନେଇଥିଲା। ଉକ୍ତ ଘରୁ ୨୫୬୩ କେଜି ଓଜନର ବିସ୍ଫୋରକ ସାମଗ୍ରୀ ମିଳିଛି। ଏହି ଘରର ମାଲିକ ଜଣେ ମୌଲନା। ତାଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରି ନେଇଛି।

ଗିରଫ ମୌଲାନା ଜଣଙ୍କ ହେଲେ ଇସ୍ତିୟାକ। ସେ ନିୟମିତ ଶକୀଲର ଯୋଗାଯୋଗରେ ରହିଥିଲେ। ଶକୀଲ ମଧ୍ୟ ଦୈନିକ ୫ଥର ମୌଲାନା ପାଖକୁ ନମାଜ ପାଠ କରିବାକୁ ଆସୁଥିଲା। ଏହି ବଡ଼ ନେଟୱର୍କରେ ଆଉ ଜଣେ ଡାକ୍ତର ସାମିଲ ଥିବା କୁହାଯାଉଛି। ତେଣୁ ଫରିଦାବାଦ ଓ ଆଖପାଖ ଅଞ୍ଚଳରେ ରେଡ ଚାଲିଥିବା ପୁଲିସ କହିଛି। 

ଏହାପୂର୍ବରୁ ପୁଲିସ୍‌ ଉତ୍ତର ପ୍ରଦେଶର ସାହାରନପୁରରୁ କଶ୍ମିରୀ ଡାକ୍ତର ଆଦିଲ ଅହମଦ ରାଥେରକୁ ଗିରଫ କରିଥିଲା। ସେ ଶ୍ରୀନଗରରେ ଜୈଶ ସମର୍ଥନରେ ପୋଷ୍ଟର ମାରୁଥିବା ଜଣାପଡ଼ିବା ପରେ ପୁଲିସ ତା’କୁ ଗିରଫ କରିଥିଲା। ତା’କୁ ଜେରା କରିବା ବେଳେ ଫରିଦାବାଦ ଲିଙ୍କ ସାମ୍ନାକୁ ଆସିଥିଲା। ଫରିଦାବାଦରେ ଶକୀଲକୁ ରବିବାର ଗିରଫ କରାଯିବା ପରେ ଏତେ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। 

ଶକୀଲ ଓ ଆଦିଲ ବ୍ୟତୀତ ଶ୍ରୀନଗରର ଅରିଫ ନିସାର ଦାର, ୟାସିର-ଉଲ-ଅଶର୍ଫ, ମକସୁଦ ଅହମଦ ଦାର, ଶୋପିଆନର ମୌଲବୀ ଇରଫାନ ଅହମଦ, ଗାନ୍ଦେରବଲର ଜମିର ଅହମଦକୁ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଗିରଫ କରାଯାଇଥିବା ଜଣାପଡ଼ିଛି। 

Jammu Kashmir Terrorist Haryana