Advertisment

ଲଗାଣ ବର୍ଷାରେ ଆଣ୍ଠେଇଲା ବେଙ୍ଗାଲୁରୁ: ୩ ମୃତ, ଶହଶହ ଲୋକ ଜଳବନ୍ଦୀ

ଜଳବନ୍ଦୀ ହୋଇ ରହିଥିବା ବେଙ୍ଗାଲୁରୁ ପାଇଁ ଆହୁରି ଚିନ୍ତା ବଢ଼ିବା ଭଳି ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୫ ଦିନ ପାଇଁ ବେଙ୍ଗାଲୁରୁରେ ପ୍ରବଳ ବର୍ଷାର ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Rain

Rain

ଦେଶର ଆଇଟି ସହର ବେଙ୍ଗାଲୁରୁ ସ୍ଥିତି ଏବେ ବେହାଲ। ଲଗାଣ ବର୍ଷାରେ ଆଣ୍ଠେଇଛି ବେଙ୍ଗାଲୁରୁ ସହର। ରବିବାର ସନ୍ଧ୍ୟାରୁ ସୋମବାର ଭୋର ଅର୍ଥାତ ୧୨ ଘଣ୍ଟାରେ ୧୩୦ ମିମି ବର୍ଷା ଯୋଗୁ ବେଙ୍ଗାଲୁରୁରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା। ସହରରେ ଲଗାଣ ବର୍ଷା ସୃଷ୍ଟି କରିଛି ବନ୍ୟା। ଏଥିଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ ଘର ଜଳବନ୍ଦୀ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

Advertisment

୨୦ରୁ ଅଧିକ ହ୍ରଦ ଓଭରଫ୍ଲୋ ସ୍ଥିତିରେ ଓ ରାସ୍ତାଘାଟ ଜଳମଗ୍ନ। ଅଣ୍ଡରପାସ ଓ ଫ୍ଲାଏଓଭରରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଟ୍ରାଫିକ ସମସ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଘଣ୍ଟାଘଣ୍ଟା ଧରି ଲୋକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଅପେକ୍ଷା କରି ରହିବାକୁ ବାଧ୍ୟ ହେଉଛନ୍ତି। ସାଧାରଣ ବସ୍‌ ସେବା ମଧ୍ୟ ବେଙ୍ଗାଲୁରୁର ବିଭିନ୍ନ ଅଞ୍ଚଳରେ ଏକପ୍ରକାରର ଠପ ହୋଇଯାଇଛି।

ଦୁଇଟି ଘୂର୍ଣ୍ଣିବଳୟ ଓ ଭୟଙ୍କର କାଳବୈଶାଖୀ ଯୋଗୁ ଦକ୍ଷିଣ, ଉତ୍ତର ଓ ପୂର୍ବ ବେଙ୍ଗାଳଉରୁ ସ୍ଥିତି ବେହାଲ ହୋଇଛି। ଜଳବନ୍ଦୀ ହୋଇ ରହିଥିବା ବେଙ୍ଗାଲୁରୁ ପାଇଁ ଆହୁରି ଚିନ୍ତା ବଢ଼ିବା ଭଳି ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୫ ଦିନ ପାଇଁ ବେଙ୍ଗାଲୁରୁରେ ପ୍ରବଳ ବର୍ଷାର ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି।

Advertisment

ବର୍ଷା ଯୋଗୁ ବେଙ୍ଗାଲୁରୁବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିବିଏମପି ମୁଖ୍ୟ କମିଶନର ମହେଶ୍ୱର ରାଓ କହିଛନ୍ତି ଯେ ଗୋଟିଏ ଦଶନ୍ଧି ମଧ୍ୟରେ ସହରରେ ଦ୍ୱିତୀୟ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ତାଙ୍କ କହିବା କଥା ଯେ ବେଳେବେଳେ କିଛି ଜିନିଷ ନିଜ ହାତରେ ନଥାଏ। ଆମେ ଏହା ଉପରେ ଏବେ କାମ କରୁଛି।

ସୋମବାର ସନ୍ଧ୍ୟା ପ୍ରାୟ ୬.୧୫ରେ ୬୩ ବର୍ଷୀୟ ମନମୋହନ କାମାତ ଓ ୧୨ ବର୍ଷୀୟ ଦୀନେଶ ମଧୁବନ ଆପାର୍ଟମେଣ୍ଟରୁ ବର୍ଷା ଜଳ କାଢ଼ୁଥିବା ବେଳେ କରେଣ୍ଟ ଝଟକାରେ ପ୍ରାଣ ହରାଇଛନ୍ତି। ଦକ୍ଷିଣ ବେଙ୍ଗାଲୁରୁ ଏହି ଆପାର୍ଟମେଣ୍ଟ ରହିଛି। ଆପାର୍ଟମେଣ୍ଟର ପ୍ରଥମ ମହଲାରେ ମନମୋହନ ରହୁଥିଲେ। ଆପାର୍ଟମେଣ୍ଟରେ ବର୍ଷା ଜଳ ପ୍ରବେଶ କରିଥିବାରୁ ସେ ଗୋଟିଏ ପମ୍ପ ଆଣି ଏହାକୁ କାଢ଼ିବାକୁ ଚେଷ୍ଟା କରିଥିଲେ।

ସମାନ ସମୟରେ ଆପାର୍ଟମେଣ୍ଟର ସିକ୍ୟୁରିଟୀ ଗାର୍ଡ ଭରତଙ୍କ ୧୨ ବର୍ଷୀୟ ପୁଅ ଦୀନେଶ ତାଙ୍କୁ ପାଣି କାଢ଼ିବାରେ ସହଯୋଗ କରିବାକୁ ଆସିଥିଲେ। କିନ୍ତୁ ପମ୍ପର ସୁଇଚ ଅନ୍‌ କରିବା କ୍ଷଣି ଉଭୟଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ୩ ମାସ ତଳେ ଦୀନେଶ ନେପାଳରୁ ପରିବାର ଲୋକଙ୍କ ସହ ବେଙ୍ଗାଲୁରୁ ଆସିଥିଲେ। ସେହିପରି କାନ୍ଥ ପଡ଼ି ୩୨ ବର୍ଷୀୟ ଶଶିକଳା ନାମକ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। କେଙ୍ଗେଲି ଠାରେ ଥିବା କୋଟେ ଲେଆଉଟରେ ୧୦୦ଟି ଘର ଭିତରେ ପାଣି ପଶି ଯାଇଛି। ଆରଆର ନଗରର ବର୍ଷାବବିତା ଭ୍ୟାଲି ଜଳବନ୍ଦୀ ସମସ୍ୟା ଯୋଗୁ ୫ ପଶୁଙ୍କ ମୃତ୍ୟୁ ହୋଇଛି। ରାସ୍ତାରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ୪୪ଟି କାର ଓ ୯୩ଟି ବାଇକ ବୁଡ଼ି ଯାଇଛି।

ଲଗାଣ ବର୍ଷାରେ ୨୭ଟି ଘର ଉପୁଡ଼ି ପଡ଼ିଥିବା ବେଳେ ୪୩ରୁ ଅଧିକ ସ୍ଥାନରେ ଡାଳ ଭାଙ୍ଗି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶହଶହ ଲୋକ ଜଳବନ୍ଦୀ ହୋଇ ରହିଥିବାରୁ ଏସଡିଆରଏଫ ଯବାନମାନେ ଡଙ୍ଗା ଦ୍ୱାରା ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

ବେଙ୍ଗାଲୁରୁରେ ବର୍ଷା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଥିଲେ ହେଁ କୌଣସି କମ୍ପାନୀ ନିଜର କର୍ମଚାରୀଙ୍କ ପାଇଁ ୱାର୍କ ଫର୍ମ ହୋମ ବ୍ୟବସ୍ଥା କରି ନାହାନ୍ତି। କିନ୍ତୁ ଆଗାମୀ ଦିନରେ ଯଦି ବର୍ଷାର ପରିମାଣ ବଢ଼ିବ, ତା’ହେଲେ ସେମାନେ ଏହି ବିକଳ୍ପକୁ ବ୍ୟବହାର କରିପାରନ୍ତି ବୋଲି କହିଛନ୍ତି।

Bengaluru Rain