Woman
ପଞ୍ଜାବ ଅମୃତସରର ଜଣେ ସାହସୀ ମହିଳା ଏକାକି ତିନି ଜଣ ଡକାୟତଙ୍କ ମୁକାବିଲା କରିବା ସହିତ ସେମାନଙ୍କୁ ଯୋଜନା ପଣ୍ଡ କରିଦେଇଛନ୍ତି। ତିନି ଡକାୟତ ତାଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିବାବେଳେ ସେ ଏକାକି କବାଟକୁ ଠେଲିଧରି ଚିତ୍କାର କରିବା ଫଳରେ ସେମାନେ ପଳାୟନ କରିଛନ୍ତି। ଏ ଘଟଣା ସିସିଟିଭିରେ କଏଦ ହୋଇଛି।
ଏହି ସାହସୀ ମହିଳାଙ୍କ ନାଁ ମଣିଦୀପ କୌର। ତାଙ୍କ ସ୍ୱାମୀ ବାହାରେ ଥିଲେ। ଘରେ ସେ ଓ ତାଙ୍କର ଦୁଇ ପିଲା ଥିଲେ। ଏହି ସମୟରେ ତିନି ଜଣ ଡକାୟତ ତାଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ।
ଘଟଣା ପରେ ମହିଳା ଦେଇଥିବା ବୟାନ ଅନୁଯାୟୀ ସେ ଛାତ ଉପରେ ଲୁଗା ଶୁଖାଉଥିବା ସମୟରେ ତଳେ ତିନି ଜଣ ମାସ୍କପିନ୍ଧା ଲୋକଙ୍କୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ଘର ପାଖରେ ଉଣ୍ଡୁଥିବା ଦେଖିବାକୁ ପାଇଲେ। ସେ ସଙ୍ଗେ ସଙ୍ଗେ ତଳକୁ ଆସି ଭିତରୁ କବାଟ ବନ୍ଦ କରିବାବେଳକୁ ଡକାୟତ ତିନି ଜଣ ପାଚେରୀ କାନ୍ଥ ଡେଇଁ ଅଗଣାରେ ପହଞ୍ଚିଯାଇଥିଲେ। ମହିଳା ଘରର କବାଟ ବନ୍ଦ କରିବାକୁ ଗଲାବେଳକୁ ଡକାୟତମାନେ ଜୋରଜବରଦସ୍ତ ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ।
ତେବେ ମହିଳା ଜଣକ ଡରି ନଯାଇ ବଡ଼ ପାଟିରେ ଚିତ୍କାର କରିବା ସହିତ ସମସ୍ତ ବଳ ପ୍ରୟୋଗ କରି କବାଟକୁ ଭିତର ପଟୁ ବନ୍ଦ କରିବାକୁ ଚେଷ୍ଟା କରୁଥାନ୍ତି। ବାହାରପଟୁ ଡକାୟତମାନେ ମଧ୍ୟ କବାଟ ଠେଲି ଭିତରକୁ ଆସିବାକୁ ଉଦ୍ୟମ ଚଳାଇଥାନ୍ତି। ମାତ୍ର, ମିହଳା ଜଣକ ନଡରି ନିଜ ଉଦ୍ୟମ ଜାରି ରଖିଥିଲେ ଓ କୌଣସି ପ୍ରକାରେ କବାଟର କିଳିଣି ଲଗାଇ ଦେଇଥିଲେ। ଏହା ସହିତ ସେ ନିଜ ଶରୀରକୁ କାବଟରେ ଚାପି ରଖି ପାଖରେ ଥିବା ଗୋଟିଏ ସୋଫା ଆଣି କବାଟକୁ ଲଗାଇ ଦେଇଥିଲେ।
ଏ ସମସ୍ତ ଘଟଣା ଭିତରେ ସେ ପଡ଼ୋଶୀମାନଙ୍କୁ ଜଗାଇବାକୁ ବଡ଼ ପାଟିରେ ଚିତ୍କାର କରିଚାଲିଥିଲେ। ତାଙ୍କ ଚିତ୍କାରରେ ତାଙ୍କର ଦୁଇ ପିଲା ମଧ୍ୟ ହତବମ୍ବ ଓ ଛାନିଆ ହୋଇଯାଇଥିଲେ। କବାଟ ବନ୍ଦ କରିବା ପରେ ମହିଳା ଜଣକ ମୋବାଇଲ୍ରେ କାହା ସହିତ କଥା ହୋଇ ସହାୟତା ମାଗିଥିଲେ। ଏହି ସମୟରେ ସେ ବାରମ୍ବାର କାଚ ଝରକା ଦେଇ ବାହାରକୁ ନଜର ପକାଉଥିଲେ, ଜାଣିବାକୁ ଯେ ଡକାୟତମାନେ ଅଛନ୍ତି ନା ପଳେଇଲେଣି।
ସେହି ଅଞ୍ଚଳର ମହିଳା ପୁଲିସ ଅଧିକାରୀ ଏକେ ସୋହି କହିଛନ୍ତି ଯେ ପୁଲିସ ସିସିଟିଭି ଯାଞ୍ଚ କରି ଡକାୟତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳେଇଛନ୍ତି। ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ତେବେ ସଂପୃକ୍ତ ମହିଳାଙ୍କ ସାହସ ଏବେ ଚର୍ଚ୍ଚାର ବିଷୟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Woman_1727863519.jpg)