CBI
କିଏ ହେବେ ସିବିଆଇର ମୁଖ୍ୟ? ତା’କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏସବୁ ଭିତରେ ସିବିଆଇ ମୁଖ୍ୟଙ୍କୁ ନିଯୁକ୍ତି ଦେବାକୁ ଗଠନ ହୋଇଥିବା କମିଟି ୩ ଜଣ ବରିଷ୍ଠ ଆଇପିଏସ୍ଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି କମିଟିରେ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭାର ବିରୋଧୀ ଦଳର ନେତା ରହିଛନ୍ତି।
ପରବର୍ତ୍ତୀ ସିବିଆଇ ମୁଖ୍ୟଙ୍କ ଚୟନ ପାଇଁ ଗତକାଲି ସନ୍ଧ୍ୟାରେ ବୈଠକ ବସିଥିଲା। ବୈଠକରେ କମିଟିର ସଦସ୍ୟମାନେ ଆଲୋଚନା କରି ୩ ଜଣଙ୍କୁ ବାଛିଛନ୍ତି। ତାଲିକାଭୁକ୍ତ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ପାଇବେ।
ସୂତ୍ର ଅନୁସାରେ, ପ୍ରବୀଣ ସୁଦ (ଡିଜିପି କର୍ଣ୍ଣାଟକା), ସୁଧୀର ସକ୍ସେନା(ଡିଜିପି ମଧ୍ୟପ୍ରଦେଶ) ଓ ତାଜ ହାସନ ଏବେ ସିବିଆଇ ନିର୍ଦ୍ଦେଶକ ହେବା ହେବା ଦୌଡ଼ରେ ରହିଛନ୍ତି। ଏବେ ସିବିଆଇ ନିର୍ଦ୍ଦେଶକ ଭାବେ କାମ କରୁଥିବା ସୁବୋଧ କୁମାର ଜୈସୱାଲଙ୍କ ୨ ବର୍ଷିଆ କାର୍ଯ୍ୟକାଳ ମେ’ ୨୫ରେ ଶେଷ ହେବ। ଏହାପରେ ନୂଆ ସିବିଆଇ ମୁଖ୍ୟ କାର୍ଯ୍ୟ ଆରମ୍ଭ କରିବେ।
ତାଲିକା ଭୁକ୍ତ ପ୍ରବୀଣ ସିବିଆଇ ମୁଖ୍ୟ ପଦ ହାତେଇବା ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ସେ ହେଉଛନ୍ତି ୧୯୮୬ ଆପିଏସ୍ ବ୍ୟାଚ୍ର ଷ୍ଟେଟ କ୍ୟାଡର। ମାର୍ଚ୍ଚ ମାସରେ ପ୍ରବୀଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ସହ ସେ କର୍ଣ୍ଣାଟକା ବିଜେପି ସରକାରଙ୍କୁ ଘଣ୍ଟ ଘୋଡ଼ାଉଥିବା କହିଥିଲେ। ଏଥିସହ ପ୍ରବୀଣ କଂଗ୍ରେସ ନେତାଙ୍କ ବିରୋଧରେ ମିଥ୍ୟା କେସ୍ କରୁଥିବାରୁ ତାଙ୍କ ଗିରଫ କରାଯାଉ ବୋଲି ଶିବକୁମାର ଦାବି କରିଥିଲେ।
ଏସବୁ ଭିତରେ ସିବିଆଇ ମୁଖ୍ୟ ହେବା ଦୌଡ଼ରେ ପ୍ରବୀଣଙ୍କ ନାଁ ସାମିଲ ହୋଇଛି। ପ୍ରଧାନମନ୍ତ୍ରୀ, ସିଜେଆଇ ଓ ଲୋକସଭାର ବିରୋଧୀ ଦଳ ନେତା ସିବିଆଇ ମୁଖ୍ୟଙ୍କୁ ନିଯୁକ୍ତ କରିଥାଆନ୍ତି। ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷ। କିନ୍ତୁ ଏହାକୁ ଅତି ବେଶୀରେ ୫ ବର୍ଷ ଯାଏ ବୃଦ୍ଧି କରାଯାଇ ପାରିବ।
ଶନିବାର ବସିଥିବା ବୈଠକରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଓ ଲୋକପାଳ ସଦସ୍ୟଙ୍କ ନିଯୁକ୍ତି ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/CBI_1684050203.jpg)