Advertisment

କୋଚିଂ ସେଣ୍ଟରରେ ପଶିଗଲା ପାଣି, ୩ ଆଇଏଏସ୍ ଆଶାୟୀଙ୍କ ମୃତ୍ୟୁ

ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Dead

Dead

ପ୍ରବଳ ବର୍ଷା ଯୋଗୁ ଶନିବାର ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ହଠାତ୍ ବହୁତ ପାଣି ପଶିଯିବା ଯୋଗୁ ୩ ଜଣ ଆଇଏଏସ୍ ଆଶାୟୀଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା Rau’s ଆଇଏଏସ୍ ଷ୍ଟଡି ସର୍କଲରେ ଏହି ଘଟଣା ଘଟିଛି।

Advertisment

ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଦୁଇ ଜଣ ଯୁବତୀ ଅଛନ୍ତି। ସେମାନେ ହେଉଛନ୍ତି- ନବୀନ ଦଲୱାନି (୨୮), ତାନିଆ ସୋନି (୨୫) ଓ ଶ୍ରେୟା ଯାଦବ (୨୫)। ଏହି ଘଟଣାରେ ପୁଲିସ୍ ଏକ ଅପରାଧିକ ମାମଲା ରୁଜୁ କରି ୨ ଜଣଙ୍କୁ ଅଟକ ରଖିଛି।

କୋଚିଂ ସେଣ୍ଟରଟି ଯେଉଁ କୋଠାରେ ଚାଲିଛି, ତା’ର ବେସ୍‌ମେଣ୍ଟରେ ଏକ ଲାଇବ୍ରେରୀ ରହିଛି। ଗତକାଲି ସନ୍ଧ୍ୟାରେ କିଛି ଯୁବକଯୁବତୀ ସେଠାରେ ପଢ଼ାପଢ଼ି କରୁଥିବା ବେଳେ ହଠାତ୍ ବହୁମାତ୍ରାରେ ପାଣି ପଶି ଆସିଥିଲା। ଫଳରେ ସେମାନେ ସେଠାରେ ଫସି ଯାଇଥିଲେ। ଦଉଡ଼ି ସାହାଯ୍ୟରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ତେବେ ତାନିଆ, ଶ୍ରେୟା ଓ ନବୀନଙ୍କ ପତ୍ତା ମିଳି ନଥିଲା। ତେଣୁ ଦମକଳ ବାହିନୀ ଓ ପୁଲିସକୁ ଖବର ଦିଆଯାଇଥିଲା।

Advertisment

ଦମକଳ ବାହିନୀର ଜଣେ ଅଧିକାରୀ କହିଛନ୍ତି, ଏହି କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ପାଣି ପଶି ଯିବାରୁ କିଛି ଛାତ୍ରଛାତ୍ରୀ ନିଖୋଜ ହୋଇଯାଇଥିବା ନେଇ ଆମେ ସନ୍ଧ୍ୟା ୭ଟା ବେଳେ ଫୋନ୍ କଲ୍ ପାଇଥିଲୁ। ଆମେ ଏଠାରେ ଆସି ପହଞ୍ଚିଲା ବେଳକୁ ପୂରା ବେସ୍‌ମେଣ୍ଟରେ ପାଣି ଭର୍ତ୍ତି ହୋଇରହିଥିଲା। ଦମକଳ ବାହିନୀ, ଦିଲ୍ଲୀ ପୁଲିସ୍ ଓ ଏନ୍‌ଡିଆରଏଫର ମିଳିତ ଟିମ୍ ସର୍ଚ୍ଚ ଅପରେସନ କରି ଉକ୍ତ ନିଖୋଜ ଛାତ୍ରଛାତ୍ରୀଙ୍କ ମୃତଦେହ ପାଇଥିଲେ। ବେସ୍‌ମେଣ୍ଟରେ ପାଣିରେ ଅନେକ ଫର୍ଣ୍ଣିଚର ଭାସୁଥିବା ଯୋଗୁ ସର୍ଚ୍ଚ ଅପରେସନରେ ଟିକେ ସମସ୍ୟା ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି।

ଦିଲ୍ଲୀ ପୁଲିସର ଡିସିପି ହର୍ଷବର୍ଦ୍ଧନ କହିଛନ୍ତି, ପୂରା ବେସ୍‌ମେଣ୍ଟଟି କେମିତି ପାଣିରେ ଭରିଗଲା, ତାହା ଜାଣିବା ପାଇଁ ଆମେ ତଦନ୍ତ କରୁଛୁ। ଲାଗୁଛି, ହଠାତ୍ ବହୁତ ପାଣି ଦ୍ରୁତଗତିରେ ବେସ୍‌ମେଣ୍ଟକୁ ପଶି ଆସିଥିଲା। ତେଣୁ ଲାଇବ୍ରେରୀ ଭିତରେ କିଛି ଛାତ୍ରଛାତ୍ରୀ ଫସିଗଲେ। ଏହି ଘଟଣାରେ ଆମେ ଅପରାଧିକ ମାମଲା ରୁଜୁ କରିଛୁ। ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ଦିଲ୍ଲୀ ସରକାର ଏହି ଘଟଣାର ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ‘ଏକ୍ସ’ ଯୋଗେ ଏହି ସୂଚନା ଦେଇଛନ୍ତି। ଏହା ସହିତ ଏହି ଘଟଣା ଯିଏ ବି ଦୋଷୀ ହୋଇଥିବେ, ତାଙ୍କୁ ଛଡ଼ା ଯିବ ନାହିଁ ବୋଲି ସେ କହିଛନ୍ତି।

ଏହି ଘଟଣା ପରେ ଦିଲ୍ଲୀର ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା ଓ ନୂଆ ଦିଲ୍ଲୀ ସାଂସଦ ବାଂସୁରୀ ସ୍ୱରାଜ ଘଟଣାସ୍ଥଳକୁ ଯାଇଥିଲେ। ଏହି ଘଟଣା ପାଇଁ ସେମାନେ ଦିଲ୍ଲୀର ଆପ୍‌ ସରକାରଙ୍କୁ ଦାୟୀ କରିଛନ୍ତି। ଉକ୍ତ ଅଞ୍ଚଳର ନାଳଗୁଡ଼ିକ ସଫା ହୋଇନଥିବା ନେଇ ଲୋକେ ବାରମ୍ବାର ସ୍ଥାନୀୟ ଆପ୍ ବିଧାୟକଙ୍କୁ କହିଥିଲେ। କିନ୍ତୁ ସେ ଏ ଦିଗରେ ପଦକ୍ଷେପ ନେଇ ନଥିଲେ। ଏହି ଘଟଣା ପାଇଁ ଜଳ ବୋର୍ଡ ମନ୍ତ୍ରୀ ଆତିଶୀ ଓ ସ୍ଥାନୀୟ ବିଧାୟକ ଦୁର୍ଗେଶ ପାଠକ ନିଜକୁ ଦାୟୀ କରିବା ଉଚିତ୍ ଓ ତୁରନ୍ତ ନିଜ ନିଜ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି କହିଛନ୍ତି ଦିଲ୍ଲୀର ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା ଓ ନୂଆ ଦିଲ୍ଲୀ ସାଂସଦ ବାଂସୁରୀ ସ୍ୱରାଜ।

ଗତକାଲି ସନ୍ଧ୍ୟାରେ ଏହି ଘଟଣା ପରେ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିଥିଲେ।

Flood Situation Ias