Advertisment

୧୦ ଦିନର ଉଦ୍ୟମ ପରେ ବୋରୱେଲରୁ ଉଦ୍ଧାର ହେଲା ଚେତନା, ମୃତ ଘୋଷଣା କଲେ ଡାକ୍ତର

ଡିସେମ୍ବର ୨୩ ଅପରାହ୍ନରେ ଖେଳୁଥିବାବେଳେ ବୋରୱେଲରେ ଖସି ପଡ଼ିଥିଲା ୩ ବର୍ଷର ଝିଅ ଚେତନା। ୧୦ ଦିନର ଅହରହ ଉଦ୍ୟମ ପରେ ୭୦୦ ଫୁଟ ଗଭୀର ବୋରୱେଲରୁ ଚେତନାକୁ ଉଦ୍ଧାର କରାଯାଇଥିଲା।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Minor Girl Died Rescued from Borewell

Minor Girl Died Rescued from Borewell

ଘର ବାହାରେ ହସଖୁସିରେ ଖେଳୁ ଖେଳୁ ୭୦୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଥିଲା ୩ ବର୍ଷର ଝିଅ ଚେତନା। ରାଜସ୍ଥାନର କୋଟପୁତଲିରେ ଘଟିଥିବା ଏହି ଅଘଟଣ ବିଷୟରେ କାହାକୁ ଅଛପା ନାହିଁ। ପ୍ରାୟ ୧୦ ଦିନର ଅହରହ ଉଦ୍ୟମ ପରେ ଆଜି ଚେତନାକୁ ଉଦ୍ଧାର କରାଯାଇଥିଲା। ହେଲେ ସେତେବେଳକୁ ସବୁ ସରିଯାଇଥିଲା। ଚେତନାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର।

Advertisment

ରାଜସ୍ଥାନର ଏନଡିଆରଏଫ ମୁଖ୍ୟ ଅଧିକାରୀ ଯୋଗେଶ ମୀନାଙ୍କ କହିବା ଅନୁଯାୟୀ ୧୦ ଦିନର ଅହରହ ଉଦ୍ୟମ ପରେ ଆଜି ଚେତନାକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ୧୦ ଦିନ ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଟିମ୍‌ ନାକେଦମ ହୋଇଥିଲେ। ଶିଶୁ କନ୍ୟାକୁ ବଞ୍ଚାଇବା ପାଇଁ ପାଇପ୍ ଯୋଗେ ବୋରୱେଲ ଭିତରକୁ ଅମ୍ଳଜାନ ଛଡ଼ା ଯାଇଥିଲା। ଉଦ୍ଧାର କାର୍ଯ୍ୟ ମଝିରେ ଅଦିନିଆ ବର୍ଷା ମଧ୍ୟ ବାଧକ ସାଜିଥିଲା। ଉଦ୍ଧାରକାରୀ ଦଳ ବୋରୱେଲ୍ ସହିତ ସମାନ୍ତରାଳ ଭାବେ ଏକ ଟନେଲ ଖୋଳି ଶେଷରେ ଚେତନାକୁ ଉଦ୍ଧାର କରିଥିଲେ। ୩ ବର୍ଷର ଝିଅକୁ ଉଦ୍ଧାର କରିବା ପାଇଁ ହୋଇଥିବା ଏହି ଅପରେସନ୍ ରାଜ୍ୟର ଦୀର୍ଘତମ ଉଦ୍ଧାର କାର୍ଯ୍ୟ ମଧ୍ୟରୁ ଗୋଟିଏ। ଅନ୍ୟପଟେ ଝିଅର ମୃତ୍ୟୁ ପରେ ପରିବାର ସଦସ୍ୟ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ, ରାଜସ୍ଥାନ କୋଟପୁତଲି ଜିଲ୍ଲାର ସରୁଣ୍ଡ ଥାନା ଅଞ୍ଚଳରେ ଭୁପେନ୍ଦ୍ର ଚୌଧୁରୀ ନିଜ ବିଲରେ ଥିବା ବୋରୱେଲରୁ ପ୍ଲାଷ୍ଟିକ୍‌ ପାଇପ୍‌କୁ କିଛିଦିନ ତଳେ ବାହାର କରିଥିଲେ। ଏହି ମୁକୁଳା ବୋରୱେଲ ଭିତରେ ତାଙ୍କର ତିନି ବର୍ଷର ଝିଅ ଚେତନା ଖସି ପଡ଼ିଥିଲା। ବୋରୱେଲ୍ ଭିତରେ ଚେତନାର ଗତିବିଧି ନିରିକ୍ଷଣ କରିବାକୁ ତା' ଭିତରକୁ କ୍ୟାମେରା ପଠାଯିବା ସହ ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଥିଲା। ଏଥିସହ ପିଲାଟି ପାଇଁ ଖାଦ୍ୟ ସାମଗ୍ରୀ ଓ ପାଣି ବି ପଠାଯାଉଥିଲା। ହେଲେ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ୱେ ଶିଶୁଟିକୁ ଜୀବୀତ ଉଦ୍ଧାର କରାଯାଇପାରିଲା ନାହିଁ।

Advertisment
Rajasthan Borewell Incident Girl Child Died After Fall In Borewell Girl Child Fall Into Borewell Borewell Accident