/odisha-reporter/media/media_files/2025/11/13/car-2025-11-13-14-56-22.jpg)
ଆତଙ୍କୀ କାର୍
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ବେଳେ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀ ଏନସିଆରରେ ସିରିଜ ବିସ୍ଫୋରଣ ପାଇଁ ଧଲା କଲାର ଆତଙ୍କବାଦୀମାନେ ୩୨ଟି କାରକୁ ପ୍ରସ୍ତୁତ କରି ରଖିଥିଲେ। ମାରୁତି ସୁଜିକ ବ୍ରେଜା, ମାରୁତି ସ୍ୱିଫ୍ଟ ଡିଜୟାର ଓ ଗୋଟିଏ ଫୋର୍ଡ ଇକୋ ସ୍ପୋର୍ଟ ଭଳି ୩୨ଟି କାରକୁ ବିସ୍ଫୋରଣ ସାମଗ୍ରୀ ନେବା ଆଣିବା, ଆତଙ୍କୀଙ୍କ ପାଖରେ ଏହାକୁ ପହଞ୍ଚାଇବା, ରେକି କରିବା ଓ ସିରିଜ ବିସ୍ଫୋରଣର ପ୍ରସ୍ତୁତି ପାଇଁ ବ୍ୟବହାର କରିବା ଭଳି କାର୍ଯ୍ୟ ପାଇଁ ରଖାଯାଇଥିଲା ବୋଲି ଜଣାପଡ଼ିଛି।
ସୋମବାର ଆତ୍ମଘାତୀ ଆକ୍ରମଣକାରୀ ଡାକ୍ତର ଉମର ଉନ ନବି ଗୋଟିଏ ହୁଣ୍ଡାଇ ଆଇ କାରକୁ ବିସ୍ଫୋରଣ(Blast In Delhi)ରେ ବ୍ୟବହାର କରିଥିଲା। ଏହା ସିରିଜ ବିସ୍ଫୋରଣର ଅଂଶବିଶେଷ ରହିଥିଲା। ଡିସେମ୍ବର ୬ ବାବ୍ରୀ ମସିଜିଦ ଭଙ୍ଗା ଯିବାର ବର୍ଷପୂର୍ତ୍ତିରେ ମୋଟ ୬ଟି ସ୍ଥାନରେ ବିସ୍ଫୋରଣ କରିବାକୁ ଆତଙ୍କବାଦୀମାନେ ଯୋଜନା ପ୍ରସ୍ତୁତ କରିଥିଲେ। ସବୁ ସ୍ଥାନରେ କାର୍ ବିସ୍ଫୋରଣ ଦ୍ୱାରା ହମଲା କରିବାକୁ ସେମାନେ ମସୁଧା କରିଥିଲେ।
ବର୍ତ୍ତମାନ ସୁଦ୍ଧା ୪ଟି କାରକୁ ସୁରକ୍ଷାକର୍ମୀମାନେ ଚିହ୍ନଟ କରାଯାଇଛି। ଏହି କାରଗୁଡ଼ିକୁ ଏକାଧିକ ଥର କିଣାବିକା କରାଯାଇଥିବାରୁ ଆତଙ୍କବାଦୀମାନେ ସେଗୁଡ଼ିକୁ ଚୟନ କରିଥିଲେ। ତେବେ ସିରିଜ ବିସ୍ଫୋରଣ କରିବାକୁ ବ୍ୟବହୃତ ହୋଇଥିବା ସମସ୍ତ ୪ଟି ଯାକ କାରକୁ ଠାବ କରାଯାଇ ସାରିଛି। ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ବନିଥିବା ଫରିଦାବାଦର ଅଲ ଫଲାହ ସ୍କୁଲ ଅଫ ମେଡିକାଲ ସାଇନ୍ସ ଓ ରିସର୍ଚ୍ଚ ସେଣ୍ଟରରୁ ଆଜି ବ୍ରେଜା କାରକୁ ଜବତ କରାଯାଇଛି।
ବୁଧବାର ଫରିଦାବାଦର ଗୋଟିଏ ପରିତ୍ୟକ୍ତ ସ୍ଥାନରୁ DL10 CK 0458 ନମ୍ବର ବିଶିଷ୍ଟ ନାଲି ରଙ୍ଗର ଇକୋ ସ୍ପୋର୍ଟ କାରକୁ ଜବତ କରାଯାଇଥିଲା। ଏହି କାରଟି ଆତ୍ମଘାତୀ ଆତଙ୍କୀ ଉମର ନାଁରେ ପଞ୍ଜିକରଣ ହୋଇଛି। କାରର ପଛ ସିଟ୍ରେ ଶୋଇଥିବା ଜଣେ ଯୁବକଙ୍କୁ ପୁଲିସ୍ ହେପାଜତକୁ ନେଇଛି।
ହେଲେ ଟେରର ମଡ୍ୟୁଲରେ ତାଙ୍କ ଭୂମିକା ସମ୍ପର୍କରେ କିଛି ବି ଜଣାପଡ଼ିନି। ଡିଜେୟାର ଗାଡ଼ିକୁ ସୋମବାର ହିଁ ଜବତ କରାଯାଇଥିଲା। ଏଥିରୁ ଏକାଧିକ ଆସଲ୍ଟ ରାଇଫଲ ଓ ଗୁଳିଗୋଳା ଜବତ ହୋଇଥିଲା। ୪ର୍ଥ କାରଟି ହୁଣ୍ଡାଇ ଆଇ ୨୦। ଏହାକୁ ସୋମବାର ବିସ୍ଫୋରଣରେ ବ୍ୟବହାର କରାଯାଇଥିଲା।
ବାକି କାରଗୁଡ଼ିକୁ ଏବେ ସୁରକ୍ଷାକର୍ମୀମାନେ ଖୋଜିବାରେ ଲାଗିଛନ୍ତି। କିଛି କାରକୁ ରେକି ପାଇଁ ଓ ଆଉ କିଛି କାରକୁ ବିସ୍ଫୋରଣ ନେବା ଆଣିବା ପାଇଁ ବ୍ୟବହାର କରାଯାଇଥିଲା ବୋଲି ଜଣାପଡ଼ିଛି।
ସୋମବାର ଆତ୍ମଘାତୀ କାର ବିସ୍ଫୋରଣରେ ଆତଙ୍କୀ ଉମରକୁ ମିଶାଇ ୧୩ ଜଣ ପ୍ରାଣ ହରାଇଥିଲେ। ଘଟଣା ବେଳେ ଉମର ଆଇ ୨୦ କାର ଚଳାଉଥିଲା। ଡିଏନଏ ଟେଷ୍ଟରୁ ବିସ୍ଫୋରଣେ ଉମରର ମୃତ୍ୟୁ ହୋଇଥିବା ପୁଲିସ୍ ସ୍ପଷ୍ଟ କରିଛି।
ସୋମବାର ସକାଳେ ଆଇଟି ୨୦ କାର ସହ ଉମର ବଦରପୁର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଥିଲା। ଦିନ ତମାମ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବୁଲିବା ପରେ ସନ୍ଧ୍ୟା ବେଳେ ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ କରିଥିଲା।
ଆତଙ୍କବାଦୀମାନେ ଚଳିତ ବର୍ଷ ଅକ୍ଟୋବର ୨୦ ଦୀପାବଳିରେ ମଧ୍ୟ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
