/odisha-reporter/media/media_files/2026/02/14/siya-2026-02-14-10-15-08.jpg)
ସିୟା(ଫାଇଲ ଫଟୋ)
ଜଣେ ୩୩ ବର୍ଷୀୟ ମହିଳାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା। ମହିଳାଙ୍କୁ ହତ୍ୟା(Murder) କରିଛି ତାଙ୍କିର ବିବାହିତ ପ୍ରେମିକ। ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଗୋଟିଏ ପରିତ୍ୟକ୍ତ ପ୍ଲଟରେ ଥିବା ମଇଳା ଟାଙ୍କିରେ ସେ ଫିଙ୍ଗିଥିଲା। କିନ୍ତୁ ପୁଲିସ୍ ସେଠାରୁ ଅଧା ପୋଚି ଯାଇଥିବା ମୃତଦେହକୁ ଉଦ୍ଧାର କରିବା ପରେ ଘଟଣା ସାମ୍ନାକୁ ଆସିଛି।
ମଧ୍ୟପ୍ରଦେଶର ଭୋପାଲ ଅନ୍ତର୍ଗତ ନିଶହାତପୁରା ଅଞ୍ଚଳରେ ଏପରି ଘଟଣା ଘଟିଛି। ମୃତଦେହ ଜବତ ହେବାର ୨୪ ଘଣ୍ଟା ମଧ୍ୟରେ ପୁଲିସ୍ ଘଟଣା ଉପରକୁ ପରାଦ ହଟାଇଛି। ଘଟଣା ପଛରେ ପ୍ରେମ, ପ୍ରତାରଣ, ବ୍ଲାମେଲ ଭଳି କାରଣ ରହିଥିବା ପୁଲିସ୍ ଜାଣିବାକୁ ପାଇଛି। ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ମଇଳା ଟାଙ୍କିରେ ଶେଷ ହୋଇଛି।
ମୃତ ମହିଳା ଜଣଙ୍କ ହେଲେ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲାର ଅଶରଫି ଓରଫ ସିୟା। ସୋମବାର ଦିନ ସିୟାଙ୍କୁ ତାଙ୍କ ପ୍ରେମିକ ସମୀର ତଣ୍ଟି ଚିପି ହତ୍ୟା କରିଥିଲା। ସମୀର ପୂର୍ବରୁ ବିବାହିତ ଥିଲେ ହେଁ ସିୟାଙ୍କ ସହ ସମ୍ପର୍କ ରଖିଥିଲା। ସିୟାଙ୍କୁ ମାରିବାରେ ସମୀରର ପରିବାର ଲୋକ ମଧ୍ୟ ସହାୟତା କରିଥିଲେ।
ହତ୍ୟା ପରେ ମୃତଦେହକୁ ଗୋଟିଏ ଲୁହା ବାକ୍ସରେ ଭର୍ତ୍ତି କରାଯାଇଥିଲା ଓ କମଳା ନଗର ଘର ପାଖରେ ଥିବା ମଇଳା ଟାଙ୍କିରେ ଏହାକୁ ଫିଙ୍ଗି ଦିଆଯାଇଥିଲା। ସବୁ ପ୍ରମାଣ ନଷ୍ଟ ପାଇଁ ସମୀର ଓ ତା’ ପରିବାର ଲୋକ ସବୁ ପ୍ରକାରର ଉଦ୍ୟମ କରିଥିଲେ।
ଘଟଣାର ପ୍ରାୟ ବର୍ଷକ ତଳେ ଇନଷ୍ଟାଗ୍ରାମ ଜରିଆରେ ସିୟା ଓ ସମୀର ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରଥମେ କଥାବାର୍ତ୍ତା ପରେ ସେମାନଙ୍କ ଭିତରେ ଆରମ୍ଭ ହୋଇଥିଲା ପ୍ରେମ। ସମୀରର ପ୍ରେମରେ ସିୟା ଏତେ ବୁଡ଼ି ଯାଇଥିଲେ ଯେ ସେ ସବୁ କିଛି ଭୁଲି ୩ ମାସ ତଳେ ନିଜ ଘର ମହାରାଷ୍ଟ୍ରରୁ ସିଧା ଭୋପାଳ ଚାଲି ଯାଇଥିଲେ। ସେ ସୀମର ସହ ସେଠାରେ ରହିବା ସହ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଭାବି ନେଇଥିଲେ।
କିନ୍ତୁ ସମୀର ପୂର୍ବରୁ ବିବାହିତ ଥଲା ଓ ତା’ର ୨ଟି ପିଲା ମଧ୍ୟ ଥିଲେ। ତଥାପି ସିୟା କମଳା ନଗର ସ୍ଥିତ ସମୀରର ଘରେ ରହିବା ଆରମ୍ଭ କରିଥିଲେ। କିଛି ଦିନ ରହିବା ପରେ ସମୀରର ପତ୍ନୀ ଓ ସିୟାଙ୍କ ମଧ୍ୟରେ ପ୍ରତିଦିନ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ସିୟାଙ୍କୁ ସମୀର ଅନେକ କଥା ଲୁଚାଇଥିବାରୁ ପାରିବାରିକ ଅଶାନ୍ତି ଧୀରେଧୀରେ ବଢ଼ିବାରେ ଲାଗିଥିଲା।
ସମୀରର ଘରେ ସିୟା ରହୁଥିଲେ ହେଁ ଏଯାଏ ସେମାନଙ୍କ ବାହାଘର ହୋଇ ନଥିଲା। ତେଣୁ ସିୟା ପ୍ରତିଦିନ ବାହାଘର ପାଇଁ ସମୀର ଉପରେ ଚାପ ପକାଇବା ଆରମ୍ଭ କରିଥିଲେ। ଏପରି କି ସେ ସମୀରକୁ ୫ ଲକ୍ଷ ଟଙ୍କା ମାଗିଥିଲେ ଓ ଟଙ୍କା ନ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ। ଏହାକୁ ନେଇ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲେ। ସ୍ଥିତିକୁ ସମ୍ଭାଳି ନ ପାରି ସମୀରର ପତ୍ନୀ ଘର ଛାଡ଼ି ନିଜର ବାପ ଘରକୁ ଚାଲି ଯାଇଥିଲେ।
ସୋମବାର ସନ୍ଧ୍ୟାରେ ସିୟା ଓ ସୀମର ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ସମୀର ସିଧା ସିୟାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ପ୍ରମାଣ ନଷ୍ଟ ଓ ନିଜ ଅପରାଧକୁ ଲୁଚାଇବା ପାଇଁ ସମୀର ନିଜ ଭାଇ, ମା’ ଓ ଭଉଣୀଙ୍କ ସହାୟତା ଲୋଡ଼ିଥିଲା। ସମସ୍ତେ ମିଳିତ ଭାବେ ମୃତଦେହକୁ ଗୋଟିଏ ଲୁହା ବାକ୍ସରେ ଭର୍ତ୍ତି କରି ସିଲ କରିଦେଇଥିଲେ। ଏହାପରେ ସେମାନଙ୍କ ଘର ପାଖରେ ଥିବା ଗୋଟିଏ ଖାଲି ପ୍ଲଟର ମଇଳା ଟାଙ୍କିରେ ଫିଙ୍ଗି ଦେଇଥିଲେ।
ତେବେ ଗୁରୁବାର ସେଠାରେ ପିଲାମାନେ ଖେଳୁଥିବା ବେଳେ ପ୍ରବଳ ଦୁର୍ଗନ୍ଧ ହେଉଥିବା ଜାଣିବାକୁ ପାଇଥିଲେ। ସ୍ଥାନୀୟ ଲୋକମାନେ ମଇଳା ଟାଙ୍କିରେ ଗୋଟିଏ ଲୁହା ବାକ୍ସ ଭାସୁଥିବା ଦେଖି ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୁହା ବାକ୍ସକୁ ଟାଙ୍କିରୁ ବାହାର କରିଥିଲା। ଏହାକୁ ଖୋଲିବା କ୍ଷଣି ଭିତରୁ ବାହାରିଥିଲା ସିୟାଙ୍କ ଅଧା ଶଢ଼ା ମୃତଦେହ।
ମୃତଦେହଟି ପୋଚି ଯାଇଥିବାରୁ ପ୍ରଥମେ ପୁଲିସ୍ ମହିଳାଙ୍କ ପରିଚୟ ହାସଲ କରିପାରି ନଥିଲା। କିନ୍ତୁ ହାତରେ ଥିବା ଟାଟୁ ଓ ଏଥିରେ ଲେଖା ଥିବା ୨୬ ମେ’ ୧୯୯୨କୁ ଦେଖି ପୁଲିସ୍ ଏହାକୁ ଚିହ୍ନଟ କରିଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ସିୟାଙ୍କ ଅତୀତ ମଧ୍ୟ ବେଶ ବିବାଦୀୟ ରହିଥିଲେ। ସେ ସମୀର ପ୍ରେମ ପଡ଼ିବା ପୂର୍ବରୁ ୩ ଥର ବିବାହ କରିଥିଲେ। ମହାରାଷ୍ଟ୍ର ଓ ରାଜସ୍ଥାନରେ ତାଙ୍କର ବାହାଘର ହୋଇଥିଲା। କିନ୍ତୁ ସେ କାହିଁକି ସ୍ୱାମୀମାନଙ୍କୁ ଛାଡ଼ି ଦେଇଥିଲେ, ସେକଥା ସ୍ପଷ୍ଟ ହୋଇନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
