Advertisment

ଆଖି ଅସ୍ତ୍ରୋପଚାର ପାଇଁ ଯାଇଥିଲେ, ହୋଇଗଲେ ବିଜେପି ସଦସ୍ୟ

ହସ୍ପିଟାଲରେ ରୋଗୀଙ୍କୁ ବିଜେପି ସଦସ୍ୟ କରାଯାଉଥିବା ଅଭିଯୋଗ ହୋଇଛି।

author-image
Debibandita Barick
Gujarat Hospital

Gujarat Hospital

ଗୁଜରାଟ ରାଜକୋଟର ଏକ ଡାକ୍ତରଖାନାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ହସ୍ପିଟାଲକୁ ଆଖି ଅପରେସନ ପାଇଁ ଯାଇଥିବା ରୋଗୀମାନେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ବିନା ଅନୁମତିରେ ସେମାନଙ୍କୁ ବିଜେପି ସଦସ୍ୟ କରାଇ ଦିଆଯାଇଥିବା ଅଭିଯୋଗ ଆସିଛି।

Advertisment

ଜଣେ କି ଦୁଇ ଜଣ ନୁହଁନ୍ତି, ଏପରି 350 ଜଣ ରୋଗୀଙ୍କୁ ବଳପୂର୍ବକ ବିଜେପି ସଦସ୍ୟା କରାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ସେପଟେ ଏପରି ସଙ୍ଗୀନ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି।

ସୂଚନା ଅନୁସାରେ, କମଳେଶ ତୁମ୍ମାର ନାମକ ଜଣେ ବ୍ୟକ୍ତି ଏକ ଭିଡିଓ ରେକର୍ଡ କରି ସୋଶାଲ ମିଡିଆରେ ଶେଆର କରିଛନ୍ତି। ସେ କହିଛନ୍ତି, "ମୁଁ ଆଖି ଅପରେସନ ପାଇଁ ରଞ୍ଚୋଡ ଦାସ ଟ୍ରଷ୍ଟ ହସ୍ପିଟାଲ ଯାଇଥିଲି। ମୋ ସହ 350 ରୋଗୀ ମଧ୍ୟ ଥିଲେ। ଆମେମାନେ ଶୋଇଥିବା ସମୟରେ କେହି ଜଣେ ଆସି ଆମକୁ ମୋବାଇଲ୍ ନଂ ମାଗିଥିଲେ। ଆମେ ମୋବାଇଲ୍ ନଂ ଦେବା ପରେ OTP ଆସିଥିଲା। ଏହାପରେ ତୁମେ ଜଣେ ବିଜେପି ସଦସ୍ୟ ହୋଇଛ ବୋଲି ଏକ ମେସେଜ୍ ଆସିଥିଲା।" 

Advertisment

ମୁଁ ଯେତେବେଳେ ତାଙ୍କୁ ଏପରି କାହିଁକି ହେଲା ବୋଲି ପଚାରିଲି, ସେ ମୋତେ କହିଲେ, ଏପରି ନ କଲେ, କେହି ସୁରକ୍ଷା ପାଇବ ନାହିଁ। ତେଣୁ ମୁଁ ଭିଡିଓ ରେକର୍ଡ କରି ପୋଷ୍ଟ କରିବାକୁ ନିଷ୍ପତ୍ତି ନେଲି ବୋଲି ତୁମ୍ମାର କହିଛନ୍ତି।  

ରାଞ୍ଚୋଡ ଦାସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, "ଉକ୍ତ ବ୍ୟକ୍ତି ଜଣକ ଆମ ହସ୍ପିଟାଲ କର୍ମଚାରୀ ନୁହଁନ୍ତି। ସେ କୌଣସି ରୋଗୀଙ୍କ ସମ୍ପର୍କୀୟ ହୋଇଥାଇ ପାରନ୍ତି। ଆମେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବୁ।"

ସେପଟେ, ରାଜ୍ୟ ବିଜେପି ଏପରି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଦେଇଛି। ଏଥିରେ ଦଳର କୌଣସି ସମ୍ପୃକ୍ତି ନାହିଁ ବୋଲି ଦଳର ଉପସଭାପତି ଗୋର୍ଧନ ଜାଦଫିଆ କହିଛନ୍ତି।

ସେ କହିଛନ୍ତି, "ଲୋକଙ୍କୁ ଏହି ପ୍ରକାରେ ବିଜେପିରେ ନାମ ଲେଖାଇବାକୁ ଆମେ କାହାକୁ ନିର୍ଦ୍ଦେଶ ଦେଇ ନାହୁଁ। ଆମ କାର୍ଯ୍ୟାଳୟରୁ ମଧ୍ୟ କେହି ଏଥିରେ ଜଡ଼ିତ ନାହାନ୍ତି। ଯଦି ଏଭଳି କିଛି କାର୍ଯ୍ୟକଳାପ ଚାଲିଛି, ତେବେ ଆମେ ନିଶ୍ଚିତ ରୂପେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।"