Advertisment

୭୨ ଜଣଙ୍କ ହତ୍ୟାର ୩୬ ବର୍ଷ ପରେ ସମସ୍ତ ୩୯ ଅଭିଯୁକ୍ତଙ୍କୁ ଛାଡ଼ି ଦେଲେ କୋର୍ଟ

ମୀରଟ ଉପଣ୍ଠ ମଲୟାନା ଠାରେ ୭୨ ଜଣ ମୁସଲମାନ ସଂପ୍ରଦାୟର ଲୋକଙ୍କୁ ଅତ୍ୟନ୍ତ ଭୟଙ୍କର ଓ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଅଦ୍ୟତନ ହୋଇଛି
Court

Court

Advertisment

ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଓ ୯୦୦ ଶୁଣାଣି ପରେ ୭୨ ଜଣ ମୁସଲିମଙ୍କୁ ହତ୍ୟା କରାଯିବା ଘଟଣାରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇନି। ୩୬ ବର୍ଷ ପୁରୁଣା ଭୟଙ୍କର ନରସଂହାର ଘଟଣାର ୩୯ ଜଣ ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନୀୟ କୋର୍ଟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରି ଦେଇଛନ୍ତି। ମୀରଟ ଉପଣ୍ଠ ମଲୟାନା ଠାରେ ୭୨ ଜଣ ମୁସଲମାନ ସଂପ୍ରଦାୟର ଲୋକଙ୍କୁ ଅତ୍ୟନ୍ତ ଭୟଙ୍କର ଓ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Advertisment

ଅତିରିକ୍ତ ଜିଲ୍ଲା କୋର୍ଟ ଓକିଲ କହିଛନ୍ତି, “ଆଡିସିନାଲ ଜିଲ୍ଲା ଜଜ(କୋର୍ଟ ୬) ଲଖବୀନ୍ଦର ସିଂହ ସୁଡ୍‌ ଶୁକ୍ରବାର ୩୯ ଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ସରକାରୀ ଓକିଲ ଅଭିଯୁକ୍ତମାନେ ଘଟଣାରେ ସାମିଲ ଥିବା ପ୍ରମାଣ ଦାଖଲ କରିବାକୁ ସକ୍ଷମ ହୋଇ ନଥିଲେ। ପୂରା ଘଟଣାରେ ୯୩ ଜଣ ଅଭିଯୁକ୍ତ ଥିଲେ। ୩୬ ବର୍ଷର ଶୁଣାଣି ବେଳେ ୨୩ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୩୧ ଜଣଙ୍କୁ ଆଜି ଯାଏ ପୁଲିସ୍‌ ଚିହ୍ନଟ କରିପାରି ନାହିଁ। ମୋଟ ୩୯ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ସେମାନେ ମଧ୍ୟ ଦୋଷମୁକ୍ତ ହୋଇଯାଇଛନ୍ତି।”

ଏହି ନରସଂହାର ୧୯୮୭ ମସିହା ମେ’ ୨୩ ତାରିଖରେ ଘଟିଥିଲା। ଶତାଧିକ ଲୋକ ହାତରେ ବନ୍ଧୁକ ଓ ଖଣ୍ଡା ଧରି ମଲୟାନା ଭିତରେ ପଶିଥିଲେ। ଉକ୍ତ ଅଞ୍ଚଳର ସମସ୍ତ ୫ ପ୍ରବେଶ ପଥକୁ ସେମାନେ ସିଲ୍‌ କରି ଦେଇଥିଲେ। ଏହାପରେ ସେଠାରେ ଥିବା ମୁସଲମାନମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏଥିରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।

Advertisment

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା, ମହିଳା ଓ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଆକ୍ରମଣକାରୀମାନେ ଗୋଟିଏ ପଟୁ ମାରିବା ଆରମ୍ଭ କରିଥିଲେ। ଗୋଟିଏ ଛୋଟ ପିଲା ଦେହରେ ନିଆଁ ଲଗାଇ ତାଙ୍କୁ ରିକ୍ସା ଉପରକୁ ଫିଙ୍ଗା ଯାଇଥିଲା। ପୋଡ଼ି ଯାଇଥିବା ଘର ମଧ୍ୟରୁ ଜଣେ ମହିଳା ଓ ତାଙ୍କର ଦୁଇ ପିଲାଙ୍କ ମୃତଦେହ ମିଳିଥିଲା। ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିବା ପରେ କୂଅକୁ ଫିଙ୍ଗି ଦିଆଯାଇଥିଲା।

ଆବେଦନକାରୀ ଓକିଲ କହିଛନ୍ତି, ଏହା ଏକପାଖିଆ ନିଷ୍ପତ୍ତି। ମାମଲା ଆହୁରି ଚାଲିବ। ୩୪ଟି ଶବ ବ୍ୟବଚ୍ଛେଦ ରିପୋର୍ଟର ଶୁଣାଣି ହୋଇନି। ସେହିପରି ସିଆରପିସିର ୩୧୩ ଧାରା ଅନୁଯାୟୀ କୋର୍ଟ ଅଭିଯୁକ୍ତଙ୍କ ବୟାନକୁ ସମୀକ୍ଷା କରି ନାହାନ୍ତି। ଏହା ବିରୋଧରେ ଆମେ ଉପର କୋର୍ଟକୁ ଯିବୁ ବୋଲି ସେ କହିଛନ୍ତି।

ତେବେ ସହାୟକ ଜିଲ୍ଲା ଓକିଲ ମୋହନ ରାୟକୁ ଠିକ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି, “ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିବା ପଛରେ ଅନେକ କାରଣ ରହିଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ କୌଣସି ପ୍ରକାରର ପରେଡ କରି ନଥିଲା। ପୁଲିସ୍‌ ଭୋଟର ଲିଷ୍ଟରୁ ନିଜ ଇଚ୍ଛା ଅନୁସାରେ ୯୩ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ଘଟଣା ପୂର୍ବରୁ ପ୍ରାଣ ହରାଇଥିବା ଲୋକଙ୍କ ନାଁ ମଧ୍ୟ ଅଭିଯୁକ୍ତ ତାଲିକାରେ ରହିଥିଲା। ଘଟଣା ସ୍ଥଳରୁ ପୁଲିସ୍‌ ହତ୍ୟାରେ ବ୍ୟବହୃତ କୌଣସି ଜିନିଷ ପାଇ ନଥିଲା। ତେଣୁ କୋର୍ଟ ଏହାକୁ ବିଚାର କରି ସମସ୍ତଙ୍କୁ ଦୋଷମୁକ୍ତ କରିଛନ୍ତି।”

ଅନ୍ୟପକ୍ଷରେ ଏପରି ରାୟ ନରସଂହାରରେ ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ ଝଟକା ଦେଇଛି। ସେମାନେ ନ୍ୟାୟ ପାଇଁ ୩୬ ବର୍ଷ ହେଲା ଅପେକ୍ଷା କରିଥିଲେ ହେଁ ଶେଷରେ କୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରି ଦେଇଛନ୍ତି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe