Advertisment

ସଂସଦରେ ସ୍ମୋକ ଆଟାକ: ୭ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ

ସେମାନେ କିଛି ପାମଫ୍ଲେଟ ମଧ୍ୟ ନିଜ ସହ ଆଣିଥିଲେ ବୋଲି ପୁଲିସ କୋର୍ଟଙ୍କୁ ଜଣାଇଛି। ଏକଥା ଶୁଣିବା ପରେ ସ୍ୱତନ୍ତ୍ର ବିଚାରପତି ହରଦୀପ କୌର ସମସ୍ତ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡରେ ପଠାଇଛନ୍ତି।

author-image
Hemant Lenka
LS

LS

ସଂସଦର ସୁରକ୍ଷା ବଳୟକୁ ଭେଦ କରି ହଙ୍ଗାମା କରିଥିବା ୪ ଅଭିଯୁକ୍ତଙ୍କୁ ଆଜି ଦିଲ୍ଲୀ ପୁଲିସ୍‌ ୭ ଦିନିଆ ରିମାଣ୍ତରେ ନେଇଛି। ସେମାନଙ୍କୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟରେ ହାଜର କାରାଯାଇଥିଲା। ପୁଲିସ୍‌ ୧୫ ଦିନିଆ ରିମାଣ୍ଡ ଆବେଦନ କରିଥିଲେ ହେଁ କୋର୍ଟ ଜେରା ପାଇଁ ୭ ଦିନର ସମୟ ଦେଇଛନ୍ତି।

Advertisment

ସାଗର ଶର୍ମା ଓ ମନୋରଞ୍ଜନ ସଂସଦ ଭିତରେ ପ୍ରବେଶ କରିଥିବା ବେଳେ ନୀଲମ ଦେବୀ ଓ ଅମୋଲ ସିନ୍ଦେ ସଂସଦ ବାହାରେ ରହି ବିକ୍ଷୋଭ କରିଥିଲେ। ସେମାନେ ହଳଦିଆ ଧୂଆଁ ମଧ୍ୟ ମାଡ଼ କରିଥିଲେ। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୁଲିସ୍‌ ସମସ୍ତଙ୍କୁ ରିମାଣ୍ଡରେ ନେଇଛି।

ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ବୁଧବାର ଗିରଫ କରିଥିଲା। ସାଗର ଶର୍ମା ଓ ମନୋରଞ୍ଜନ ଭିଜଟର ପାସ୍‌ରେ ସଂସଦ ଭିତରକୁ ଯାଇଥିଲେ ଓ ଦର୍ଶକ ଗ୍ୟାଲେରୀରୁ ସିଧା ଲୋକସଭା ଚ୍ୟାମ୍ବରକୁ ଡେଇଁ ହଙ୍ଗମା କରିଥିଲେ। ଉଭୟ ଧୂଆ ମାଡ଼ କରିବାରୁ ଲୋକସଭା ଭିତରେ ଭୟଙ୍କର ବାତାବରଣ ସୃଷ୍ଟି ହୋଇଥିଲା।

Advertisment

ସେହିପରି ଭିଜଟର ପାସ୍‌ ନ ପାଇ ବିଫଳ ହୋଇଥିବା ନୀଲମ ଓ ଅମୋଲ ସଂସଦ ବାହାରରେ ସମାନ କାଣ୍ଡ ଘଟଣାଇଥିଲେ। ସେହିପରି ଏହି ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ବିଶାଲ ଓରଫ ଭିକ୍କି ଶର୍ମାଙ୍କୁ ମଧ୍ୟ ପୁଲିସ୍‌ ଗତକାଲି ବାନ୍ଧିଥିଲା।

ତେବେ ଭିକ୍କି ଶର୍ମାଙ୍କୁ ଆଜି କୋର୍ଟରେ ହାଜର କରାଯାଇ ନାହିଁ। ମୁଖ୍ୟ ୪ ଅଭିଯୁକ୍ତଙ୍କ ନାଁରଆ ୟୁଏପିଏ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି।

ଘଟଣା ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ଲଳିତ ଝା। ତାଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଥିଲେ ହେଁ ଏଯାଏ ସଫଳତା ପାଇ ନାହିଁ। ଘଟଣା ପଛରେ କେବଳ ନିଜର ଦାବି ଜଣାଇବା ଏକମାତ୍ର କାରଣ ରହିଥିଲା ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ରହିଛି, ସେକଥା ଜାଣିବା ପାଇଁ ପୁଲିସ ଚାହୁଁଛି। ଅଭିଯୁକ୍ତମାନେ ଗ୍ୟାସ କାନିଷ୍ଟର୍ସକୁ ମୁମ୍ବାଇରୁ କିଣିଥିଲେ। ସେହିପରି ସେମାନେ କିଛି ପାମଫ୍ଲେଟ ମଧ୍ୟ ନିଜ ସହ ଆଣିଥିଲେ ବୋଲି ପୁଲିସ କୋର୍ଟଙ୍କୁ ଜଣାଇଛି। ଏକଥା ଶୁଣିବା ପରେ ସ୍ୱତନ୍ତ୍ର ବିଚାରପତି ହରଦୀପ କୌର ସମସ୍ତ ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡରେ ପଠାଇଛନ୍ତି।

Lok Sabha Session Parliament Security Breach