Advertisment

ଗଲ୍ଫ ଦେଶରେ ଚାକିରି ପାଇଁ ବିକ୍ରି କରାଯାଇଥିଲା ନକଲି ପ୍ରମାଣପତ୍ର

ଡିଲ୍‌ ଫାଇନାଲ ହେବା ପରେ ପୁଲିସ୍‌ ଟିମ୍‌ର ସଦସ୍ୟମାନେ ସେଠାରେ ଉପସ୍ଥିତ ଥିବା ୨ ଜଣଙ୍କୁ କାବୁ କରିଥିଲେ। ଏହାପରେ ଏହି ଗ୍ୟାଙ୍ଗରେ ଥିବା ଆଉ ୨ ଜଣଙ୍କୁ ଗିରଫ କରାଯାଇଥିଲା।

author-image
Hemant Lenka
fake certificates

fake certificates

ଓଡ଼ିଶାରେ ନକଲି ସାର୍ଟିଫିକେଟକୁ ନେଇ ତମ୍ବିତୋଫାନ ଲାଗି ରହିଥିବା ବେଳେ ଏବେ ମୁମ୍ବାଇରୁ ଚମକାଇ ଦେବା ଭଳି ଖବର ସାମ୍ନାକୁ ଆସିଛି। ଗଲ୍ଫ ଦେଶର ବିଭିନ୍ନ ଚାକିରି ପାଇଁ ବିପୁଳ ପରିମାଣର ନକଲି ପ୍ରମାଣପତ୍ର ବିକ୍ରି କରାଯାଇଛି। ମାତ୍ର ୩ରୁ ୫ ହଜାର ଟଙ୍କା ମଧ୍ୟରେ ଚାକିରି ଆଶାୟୀଙ୍କୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ନକଲି ପ୍ରମାଣପତ୍ର ବିକ୍ରି କରାଯାଇଥିବା ଜଣାପଡ଼ିଛି। 

Advertisment

ଏହି ନକଲି ଫେକ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ ହେବା ସହ ମୁମ୍ବାଇ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଏମାନେ ଅନେକ ଲୋକଙ୍କୁ ନକଲି ପ୍ରମାଣପତ୍ର ବିକ୍ରି କରିଥିବା ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି।

ମୁମ୍ବାଇ କ୍ରାଇମବ୍ରାଞ୍ଚର ଅପରାଧ ଗୁଇନ୍ଦା ୟୁନିଟ ପ୍ରଥମେ ଫେକ ସାର୍ଟିଫିକେଟ କାରବାର ସମ୍ପର୍କରେ ତଥ୍ୟ ପାଇଥିଲା। କିଛି ଲୋକ ସେୱରୀରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ନକଲି ପ୍ରମାଣପତ୍ର ବିକ୍ରି କରିଥିବା ଖବର ମିଳିଥିଲା। ନକଲି ସାର୍ଟିଫିକେଟ କାରବାରରେ ଲିପ୍ତ ଥିବା ଲୋକଙ୍କୁ ଧରିବା ପାଇଁ ପୁଲିସ୍‌ ଟିମର କିଛି ସଦସ୍ୟ ଗ୍ରାହକ ବନିଥିଲେ। ସେମାନେ ସୋମବାର ରାତିରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ସହ ନକଲି ପ୍ରମାଣପତ୍ର ହାସଲ ପାଇଁ ଡିଲ କରିଥିଲେ।

Advertisment

ଡିଲ୍‌ ଫାଇନାଲ ହେବା ପରେ ପୁଲିସ୍‌ ଟିମ୍‌ର ସଦସ୍ୟମାନେ ସେଠାରେ ଉପସ୍ଥିତ ଥିବା ୨ ଜଣଙ୍କୁ କାବୁ କରିଥିଲେ। ଏହାପରେ ଏହି ଗ୍ୟାଙ୍ଗରେ ଥିବା ଆଉ ୨ ଜଣଙ୍କୁ ଗିରଫ କରାଯାଇଥିଲା।

ପୁଲିସ୍‌ କହିଛି ଯେ ଅଭିଯୁକ୍ତମାନେ ନକଲି ପ୍ରମାଣପତ୍ର ବିକ୍ରି କରୁଥିବା କଥାକୁ ସ୍ୱୀକାର କରିଛନ୍ତି। ପ୍ରଥମେ ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଜେରା ଆରମ୍ଭ ହୋଇଥିଲା। ସେମାନେ କେଉଁଠୁ ନକଲି ପ୍ରମାଣପତ୍ର ଆଣନ୍ତି ବୋଲି ପ୍ରଶ୍ନ କରାଯାଇଥିଲା। ସେମାନଙ୍କ ଠାରୁ ଖବର ପାଇ ପୁଲିସ ଚେମ୍ବୁରରେ ଥିବା ବଶି ନାକାରେ ପହଞ୍ଚିଥିଲା। ସେଠାରୁ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ନକଲି ପ୍ରମାଣପତ୍ର ପାଇଁ ବ୍ୟବହାର କରାଯାଉଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ମେସିନକୁ ମଧ୍ୟ ପୁଲିସ ଜବତ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ବାହାର ଦେଶରେ ଚାକିରି ପାଇଁ ଇଚ୍ଛା କରୁଥିବା ଲୋକଙ୍କୁ ଏମାନେ ନକଲି ପ୍ରମାଣପତ୍ର ଦେଉଥିଲେ। ଏଥିସହ ଭାରତରେ ଏହାକୁ ନ ଦେଖାଇବା ପାଇଁ ମଧ୍ୟ ସମସ୍ତଙ୍କୁ ତାଗିଦ କରାଯାଇଥିଲା। କାରଣ ଅର୍ଜିନାଲ ପ୍ରମାଣପତ୍ରରେ ରହୁଥିବା ହୋଲଗ୍ରାମ ଅଭିଯୁକ୍ତମାନେ ନକଲି ପ୍ରମାଣପତ୍ରରେ ବ୍ୟବହାର କରୁ ନଥିଲେ।

ଭାରତରେ ସେମାନେ ଧରା ପଡ଼ିଯିବାର ଆଶଙ୍କା ଥିବାରୁ କେବଳ ବିଦେଶରେ ପ୍ରମାଣପତ୍ର ବ୍ୟବହାର କରିବାକୁ କହୁଥିଲେ। ଅଧିକ ତଦନ୍ତ ପାଇଁ ମୁମ୍ବାଇ କ୍ରାଇମବ୍ରାଞ୍ଚର ୟୁନିଟ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରି ୧୮ ତାରିଖ ଯାଏ ରିମାଣ୍ଡରେ ନେଇଛି।

Mumbai Police Fake Certificate