ମହରମରେ ଅଘଟଣ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 4 ମୃତ। ମହରମ ପଦଯାତ୍ରା ସମୟରେ ଝାଡଖଣ୍ଡର ବୋକରୋ ଜିଲ୍ଲାରେ ଏହି ଅଘଟଣ ଘଟିଛି। ଧାର୍ମିକ ପତାକା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 10 ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ 3 ଜଣ ଅବସ୍ଥା ଗୁରୁତର ଥିବା ସୂଚନା।
ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ 80 କିଲୋମିଟର ଦୂରରେ ଥିବା ପେତରୱାର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଖେଟକୋ ଗ୍ରାମରେ ମହରମ ପଦଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିଲା। ଏହିସମୟରେ ଲୁହା ରଡ୍ ସଂଯୋଗ କରୁଥିବା ଧାର୍ମିକ ପତାକା 11,000 ଭୋଲ୍ଟର ହାଇ-ଟେନସନ୍ ଇଲେକ୍ଟ୍ରିକ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ପଦଯାତ୍ରାକାରୀଙ୍କ ମୃତ୍ୟୁ ଘଟିଛି। ପୋଲିସ୍ ସୂଚନା ଅନୁସାରେ ଆଜି(ଶନିବାର) 6ଟା ସମୟରେ ଏହି ଅଘଟଣ ଘଟିଛି।
ଆଜି ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ମହରମ୍ ପର୍ବ। ବେଶ୍ ନିଷ୍ଠାନ ସହ ଏହି ପର୍ବକୁ ପାଳନ କରିଥାନ୍ତି ଇସଲାମୀୟ ଧର୍ମାବଲମ୍ବୀ। ଏହି ପର୍ବରେ ଏକ ତାଜିଆ ଶୋଭାଯାତ୍ରା ବାହାରେ। ଏହି ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଝାଡଖଣ୍ଡରେ ଅଘଟଣ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।