/odisha-reporter/media/media_files/2025/09/24/bjp-2025-09-24-17-20-14.jpg)
ଜଳିଗଲା ବିଜେପି ଅଫିସ
୨୦୧୯ ଅଗଷ୍ଟ ମାସରୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଲଦାଖରେ ତାତିଛନ୍ତି ଯୁବଗୋଷ୍ଠୀ। ଦୀର୍ଘ ଦିନ ଧରି ଲଦାଖ(Ladakh)କୁ ରାଜ୍ୟ ମାନ୍ୟତା ଦାବି ପାଇଁ ଉଠୁଥିବା ସ୍ୱର ଆଜି ବିସ୍ଫୋରକ ରୂପ ନେଇଛି। ଆଜି ଶତାଧିକ ଯୁବକଯୁବତୀ ଲେହରେ ଏକାଠି ହୋଇ ଲଦାଖକୁ ରାଜ୍ୟ ମାନ୍ୟତା ସହ ସମ୍ବିଧାନର ୬ଷ୍ଠ ସେଡ୍ୟୁଲରେ ସାମିଲ କରିବାକୁ ଦାବି କରିଛନ୍ତି।
ତେବେ ଏହି ବିକ୍ଷୋଭ ଶୋଭାଯାତ୍ରା ହିଂସାତ୍ମକ ରୂପ ଧାରଣ କରିଛି। ଏଥିରେ ୪ ଜଣ ବିକ୍ଷୋଭକାରୀ ପ୍ରାଣ ହରାଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି। ସ୍ଥିତିକୁ ଦେଖି ପ୍ରାଶସନ ପକ୍ଷରୁ ଲେହରେ ସମସ୍ତ ପ୍ରକାରର ଶୋଭାଯାତ୍ରାକୁ ବ୍ୟାନ କରାଯାଇଛି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
ବିକ୍ଷୋଭକାରୀମାନେ ଆଜି ଲେହରେ ଥିବା ବିଜେପି(BJP) ଅଫିସରେ ଭଙ୍ଗାରୁଜା କରିବା ସହ ସେଠାରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଥାନାକୁ ପଥର ମାଡ଼ କରିଛନ୍ତି ଓ ପୁଲିସ୍ ଗାଡ଼ିକୁ ପୋଡ଼ି ଦେଇଛନ୍ତି। ସେହିପରି ଆଉ କିଛି ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି।
ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବାରୁ ପୁଲିସ୍ ପକ୍ଷରୁ ଲୁହ ବୁହା ଗ୍ୟାସ, ରବର ବୁଲେଟ ଓ ଲାଠିଚାର୍ଜ କରାଯାଇଛି। ଏଥିରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥିତି ଅତ୍ୟନ୍ତ ଉତ୍ତେଜନାମୂଳକ ରହିଥିବାରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି।
ଲେହ ଆପେକ୍ସ ବଡି(ଏଲଏବି) ଦୀର୍ଘ ଦିନ ହେଲା ଲଦାଖକୁ ରାଜ୍ୟ ମାନ୍ୟତା ଦେବାକୁ ଦାବି କରି ଚାଲିଛି। ଏହି ଦାବିକୁ ଆହୁରି ଶାଣିତ କରିବା ପାଇଁ ଆଜି ଏଲଏବିର ଯୁବ ସଂଗଠନ ଲେହରେ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରିଥିଲା। ସଂଗଠନ ପକ୍ଷରୁ ବନ୍ଦ ଡାକରା ବି ଦିଆଯାଇଥିଲା। କିନ୍ତୁ ଏହି ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଛି।
ପରିବେଶବିତ ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ସେପ୍ଟେମ୍ବର ୧୦ରୁ ୧୫ ଜଣ ଲଦାଖ ପାଇଁ ଆମରଣ ଅନଶନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ମଧ୍ୟ ୱାଙ୍ଗଚୁକ ନିଜର ୧୫ ଦିନିଆ ଅନଶନ ଭାଙ୍ଗିଥିଲେ। ଏହାପରେ ଆଜି ବନ୍ଦ ଡାକରା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ବିକ୍ଷୋଭ ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ୱାଙ୍ଗଚୁକ କହିଥିଲେ ହେଁ କିଛି ଯୁବକ ପଥର ମାଡ଼ କରିଥିଲେ। ଏଥିଯୋଗୁ ପୁଲିସ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ସମୟରେ ବିକ୍ଷୋଭକାରୀ ଲେହରେ ଥିବା ବିଜେପି ଅଫିସରେ ଭଙ୍ଗାରୁଜା କରି ସେଠାରେ ନିଆଁ ଲଗାଇ ଦେଇଥିଲେ। ଅଫିସ ବାହାରେ ଥିବା ଗୋଟିଏ ପୁଲିସ୍ ଗାଡ଼ିକୁ ମଧ୍ୟ ସେମାନେ ଜାଳି ଦେଇଛନ୍ତି। ସ୍ଥିତିକୁ ଦେଖି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
