Advertisment

ବାଦଲ ଫଟା ବର୍ଷା ପରେ ଭୟଙ୍କର ସ୍ଥିତି: ଭାସିଗଲା କାର ଠାରୁ ଆରମ୍ଭ କରି ଘର ଓ ଦୋକାନ, ୪ ମୃତ

ଲଗାଣ ବର୍ଷା ଯୋଗୁ ଆସିଥିବା ଅଚାନକ ବନ୍ୟାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି।

Rain

Rain

Advertisment

ପୁଣିଥରେ ପ୍ରକୃତିର ତାଣ୍ଡବ। ଉତ୍ତରାଖଣ୍ଡର ଡେରାଡୁନରେ ପ୍ରକୃତିର ପ୍ରଳୟ ସବୁ କିଛି ଛାରଖାର କରି ଦେଇଛି। ବାଦଲ ଫଟା ବର୍ଷା ପରେ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଲଗାଣ ବର୍ଷା ଯୋଗୁ ଆସିଥିବା ଅଚାନକ ବନ୍ୟାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି। ଅନେକ ଘର ଓ ଦୋକାନ କାଦୁଅ ମିଶା ପାଣିରେ ଧ୍ୱଂସ ହୋଇ ଯାଇଥିବା ବେଳେ ଗୋଟିଏ ବ୍ରିଜ କ୍ଷତିଗ୍ରସ୍ତ ହୋଇଛି। ଅନେକ କାର ମଧ୍ୟ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଛି। ସହର ଭିତରେ ନଦୀର ଭ୍ରମ ଲୋକଙ୍କୁ ‌ଆତଙ୍କିତ କରିଛି।

Advertisment

ମଙ୍ଗଳବାର ଭୋର ସମୟରେ ବାଦଲ ଫଟା ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିବାରୁ ପ୍ରଭାବିତ ହୋଇଥିବା ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏସବୁ ଭିତରେ ୨ ଜଣ ନିଖୋଜ ହୋଇ ଯାଇଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି।

ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ମାଜିଷ୍ଟ୍ରେଟ ସାବିନ ବଂଶଲ, ସବ ଡିଭିଜନାଲ ମାଜିଷ୍ଟ୍ରେଟ କୁମକୁମ ଯୋଶୀ ଓ ଅନ୍ୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଯଥାଶୀଘ୍ର ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ପିଡବ୍ଲ୍ୟୁଡି ଓ ଅନ୍ୟ କର୍ମଚାରୀମାନେ ବୁଲଡୋଜର ସହ ନିୟୋଜିତ ହୋଇଛନ୍ତି।

Advertisment

ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଡେରାଡୁନର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିୟମିତ ଭାବେ ସ୍ଥାନୀୟ ଅଧିକାରୀଙ୍କ ସହ କଥା ହୋଇ ସ୍ଥିତି ଉପରେ ନଜର ରଖିଛନ୍ତି। ସେ ଓ ଅନ୍ୟ ମନ୍ତ୍ରୀମାନେ କିଛି ଅଞ୍ଚଳକୁ ମଧ୍ୟ ଗସ୍ତ କରିଛନ୍ତି।

ଶ୍ରୀ ଧାମି କହିଛନ୍ତି, “ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଯୋଗୁ ସହସ୍ତ୍ରଧର, ଡେରାଡୁନରେ କିଛି ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ମୁଁ ନିୟମିତ ଭାବେ ସ୍ଥାନୀୟ ଅଧିକାରୀଙ୍କ ଯୋଗାଯୋଗରେ ରହିଛି ଓ ସ୍ଥିତି ଉପରେ ନଜର ରଖିଛି।”

ଲଗାଣ ବର୍ଷା ଯୋଗୁ ଆଇଟି ପାର୍କ ଓ ପ୍ରେମନଗର ସମେତ ଡେରାଡୁନର ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି। ଡେରାଡୁନ-ହରିଦ୍ୱାର ଜାତୀୟ ରାଜପଥରେ ଥିବା ଗୋଟିଏ ବ୍ରିଜ କ୍ଷତିଗ୍ରସ୍ତ ହୋଇଛି। ଡେରାଡୁନ-ବିକାଶନଗର ରୋଡରେ ଥିବା ଦେବ ଭୂମି ଇନଷ୍ଟିଚ୍ୟୁଟ ପୋଣ୍ଡାରେ ପାଣି ପ୍ରବେଶ କରିଯିବାରୁ ପ୍ରାୟ ୨୦୦ ଜଣ ଶିକ୍ଷାର୍ଥୀ ଫସି ରହିଛନ୍ତି। ହଠାତ ପାଣି ମାଡ଼ି ଆସିବାରୁ ଜଣେ ବ୍ୟକ୍ତି ବିଦ୍ୟୁତ ଖୁଣ୍ଟରେ ଚଢ଼ି ଯାଇଥିଲେ। ତାଙ୍କୁ ଏନଡିଆରଏଫ ପକ୍ଷରୁ ବେଶ ସତର୍କତାର ସହ ଉଦ୍ଧାର କରାଯାଇଛି।

ଡେରାଡୁନରେ ବାଦଲ ଫଟା ବର୍ଷା ଯୋଗୁ ଋଶିକେଶରେ ଥିବା ଚନ୍ଦ୍ରଭାଗା ନଦୀ ଉଛୁଳିବାରେ ଲାଗିଛି। ନଦୀ ଜଳ ଜାତୀୟ ରାଜପଥକୁ ଆସି ଯିବାରୁ ୩ ଜଣ ଲୋକ ଫସି ଯାଇଥିଲେ। ସେମାନଙ୍କୁ ଏସଡିଆରଏଫ ପକ୍ଷରୁ ଉଦ୍ଧାର କରାଯାଇଛି।

Heavy Rain Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe