/odisha-reporter/media/post_attachments/uploadimage/library/16_9/16_9_0/LS_1702468717.jpg)
LS
ଲୋକସଭା କାର୍ଯ୍ୟ ଠିକ ଠାକ ଚାଲିଥିଲା। ସାଂସଦମାନେ ସେମାନଙ୍କ ପ୍ରଶ୍ନ ଉପସ୍ଥାପନ କରୁଥିଲେ। କିନ୍ତୁ ଦିନ ଠିକ ୧.୦୨ ମିନିଟରେ ଘଟିଥିଲା ଅଘଟଣ। ହଠାତ୍ ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଲୋକସଭା ମଧ୍ୟକୁ ଡିଆଁ ମାରିଥିଲେ।
କେହି କିଛି ବୁଝିବା ଆଗରୁ ଜଣେ ଯୁବକ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ହଳଦିଆ ଧୂଆଁ ସ୍ପ୍ରେ କରିଥିଲା। ଏଥିସହ ସାଂସଦଙ୍କ ବସିବା ଆସନ ଡେଇଁ ବାଚସ୍ପତିଙ୍କ ଆଡ଼କୁ ଯିବାକୁ ଚେଷ୍ଟା କରିଥିଲା। ତା’ ସହଯୋଗୀ କେବଳ ହଳଦିଆ ଧୂଆଁ ସ୍ପ୍ରେ କରିବାର ଲାଗିଥିଲା। ଏହାକୁ ଦେଖି ସାଂସଦମାନେ ଆତଙ୍କିତ ହୋଇପଡ଼ିଥିଲେ।
ତଥାପି କିଛି ସାଂସଦ ଅନୁପ୍ରବେଶକାରୀ ଯୁବକକୁ କାବୁ କରିବା ସହ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ସୁରକ୍ଷାକର୍ମୀ ଦୁଇ ଅନୁପ୍ରବେଶକାରୀ ଯୁବକଙ୍କୁ ବାହାରକୁ ନେଇଥିଲେ। ଦୁଇ ଯୁବକ ହେଲେ ସାଗର ଶର୍ମା ଓ ମନୋରଞ୍ଜନ ଡି।
ସଂସଦ ଭିତରେ ବିଶୃଙ୍ଖଳା ଦେଖିବାକୁ ମିଳିଥିବା ବେଳେ ବାହାରେ ମଧ୍ୟ ଜଣେ ଯୁବକ ଓ ଜଣେ ମହିଳା ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ମଧ୍ୟ ହଳଦିଆ ଧୂଆଁ ମାଡ଼ କରିଥିଲେ। ପୁଲିସ୍ ଏହି ଘଟଣାରେ ୨୫ ବର୍ଷୀୟ ଅନମୋଲ ଓ ନୀଲମଙ୍କୁ ଗିରଫ କରିଛି।
ସଂସଦର ସୁରକ୍ଷା ବଳୟକୁ ଏମାନେ ଭେଦ କରି ଆଗକୁ ଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇଛି। ୨୦୦୧ ମସିହା ଆଜିର ଦିନରେ ସଂସଦ ଉପରେ ଆତଙ୍କବାଦୀମାନେ ହମଲା କରିଥିଲେ।
ଆଜି ସକାଳେ ଲୋକସଭା ଓ ରାଜ୍ୟସଭାରେ ଆକ୍ରମଣରେ ବଳିଦାନ ଦେଇଥିବା ସହିଦଙ୍କ ପାଇଁ ନୀରବ ପ୍ରାର୍ଥନା ହୋଇଥିଲା। କିନ୍ତୁ ଏହାର କିଛି ଘଣ୍ଟା ପରେ ଏପରି ଅନୁପ୍ରବେଶ ସଂସଦର ସୁରକ୍ଷା ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସଂସଦ ଭିତରେ ଡିଆଁ ମାରିଥିବା ଯୁବକ ଜଣକ ହେଲା ସାଗର ଶର୍ମା। ତା’ ପାଖରୁ ବିଜେପି ସାଂସଦ ପ୍ରତାମ ସୀମାଙ୍କ ଅଫିସ ତରଫରୁ ପାସ୍ ଇସ୍ୟୁ ହୋଇଥିବା କାଗଜ ମିଳିଛି। ସେହିପରି ୪ ଜଣ ଯାକ ପରସ୍ପରକୁ ଜାଣିଛନ୍ତି। ସେମାନେ ସୋଶାଲ ମିଡିଆରେ ଏକାଠି ହୋଇଥିଲେ। ଏହାପରେ ଯୋଜନା ମୁତାବକ ସଂସଦରେ ପ୍ରବେଶ କରିଥିଲେ ବୋଲି କୁହାଯାଉଛି।
୪ ଅନୁପ୍ରବେଶକାରୀ କିଏ?
ସାଗର ଶର୍ମା ହେଉଛି ଶଙ୍କଲାଲ ଶର୍ମାଙ୍କ ପୁଅ। ସେ ମହୀଶୂର ବିଜେପି ସାଂସଦ ପ୍ରତାପ ସୀମାଙ୍କ ଅଫିସ ଇସ୍ୟୁ କରିଥିବା ପାସ୍ ଧରି ସଂସଦରେ ପ୍ରବେଶ କରିଥିଲା।
ଆଉ ଜଣେ ଅଭିଯୁକ୍ତ ହେଲେ ମନୋରଞ୍ଜନ ଡି। ୩୫ ବର୍ଷୀୟ ମନୋରଞ୍ଜନ କର୍ଣ୍ଣାଟକା ମହୀଶୂର ଅଞ୍ଚଳର। ସେ ବେଙ୍ଗାଲୁରୁର ବିବେକାନନ୍ଦ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇସନ୍ସରେ ଇଞ୍ଜିନିୟର ଡିଗ୍ରୀ ହାସଲ କରିଛନ୍ତି।
ସାଗର ଓ ମନୋରଞ୍ଜନ ସଂସଦର ଦର୍ଶକ ଗ୍ୟାଲେରୀରୁ ସିଧା ଲୋକସଭା ଭିତରକୁ ଡେଇଁ ଥିଲେ। ତେବେ ଉଭୟଙ୍କୁ କିଛି ମିନିଟ ମଧ୍ୟରେ ସାଂସଦ ଓ ସୁରକ୍ଷାକର୍ମୀମାନେ ଧରି ପକାଇଥିଲେ।
ସଂସଦ ବାହାରୁ ନୀଲମ ଓ ଅନମୋଲ ଧରାପଡ଼ିଛନ୍ତି। ଉଭୟ ସଂସଦ ବାହାରେ ବିକ୍ଷୋଭ କରିବାକୁ ପୁଲିସ୍ ସେମାନଙ୍କୁ ଧରିଛି। ନୀଲମ ହରିୟାଣାର ହିର୍ସାରେ ଥିବା ଗୋଟିଏ ପିଜିରେ ରୁହନ୍ତି। ସେ ହରିୟାଣା ସିଭିଲ ସର୍ଭିସ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ।
ଅନମୋଲ କିମ୍ବା ନୀଲମ ସେମାନଙ୍କ ମୋବାଇଲ ଫୋନ ଆଣି ନଥିଲେ। ସେମାନଙ୍କ ପାଖରେ କୌଣସି ବ୍ୟାଗ କିମ୍ବା ପରିଚୟପତ୍ର ମଧ୍ୟ ନାହିଁ। ସେମାନେ ନିଜ ସକ୍ଷମରେ ସଂସଦ ନିକଟରେ ପହଞ୍ଚିଥିଲେ। ସେମାନଙ୍କ ଲିଙ୍କ କୌଣସି ସଂଗଠନ ସହ ନାହିଁ। ସେମାନଙ୍କୁ ଏବେ ଜେରା କରିବାକୁ ଦିଲ୍ଲୀ ପୁଲିସ୍ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
