ଘଟଣାସ୍ଥଳର ଦୃଶ୍ୟ
ନିର୍ମାଣାଧୀନ ମନ୍ଦିର, ପ୍ରବେଶ-ପ୍ରସ୍ଥାନ ପାଇଁ ଗୋଟିଏ ରାସ୍ତା ଓ ଏକାଦଶୀ ଉପଲକ୍ଷେ ପ୍ରବଳ ଭିଡ଼। ଆନ୍ଧ୍ର ପ୍ରଦେଶ(Andhra Pradesh)ର ଶ୍ରୀକାକୁଲମ ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ହୋଇଥିବା ଦଳାଚକଟା ଘଟଣା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। କ’ଣ ପାଇଁ ମନ୍ଦିରରେ ଦଳାଚକଟା ଘଟଣା ଘଟିଲା ଓ ୧୨ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଲେ, ତା’ର ତଦନ୍ତ ଚାଲିଛି।
କିନ୍ତୁ ମନ୍ଦିରକୁ ନେଇ ଗୋଟିଏ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆନ୍ଧ୍ର ସରକାରଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ହରିମୁକୁନ୍ଦ ପଣ୍ଡା ନାମକ ଜଣେ ୮୦ ବର୍ଷୀୟ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ଜମିରେ ଭଗବାନ ଭେଙ୍କଟେଶ୍ୱରଙ୍କ ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରର ନିର୍ମାଣ କାମ ଚାଲିଥିବା ବେଳେ ୪ ମାସ ତଳେ ଶ୍ରଦ୍ଧାଳୁଙ୍କ ପାଇଁ ଏହା ଖୋଲିଥିଲା।
ତିରୁମାଲାରେ ଥିବା ବିରାଟକାୟ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଛି। ଏହା ଚିନ୍ନା ତିରୁପତି ବା ମିନି ତିରୁପତି ଭାବେ ପରିଚିତ। କିନ୍ତୁ ମିନି ତିରୁପତିରେ ପ୍ରବେଶ-ପ୍ରସ୍ତାନ ପାଇଁ ଥିଲା ଗୋଟିଏ ରାସ୍ତା। ଗୋଟିଏ ସଙ୍କୁଚିତ ରାସ୍ତାରେ ଶ୍ରଦ୍ଧାଳୁମାନେ ଯିବା ଆସିବା କରନ୍ତି। ଏକାଦଶୀ ପୂଜା ପାଇଁ ଆଜି ପ୍ରବଳ ଭିଡ଼ ମନ୍ଦିରରେ ହୋଇଥିଲା। ମନ୍ଦିରକୁ ମହିଳା ଶ୍ରଦ୍ଧାଳୁଙ୍କୁ ଆଣିବା ପାଇଁ ଗୋଟିଏ ମାଗଣା ବସ୍ ସେବାର ବ୍ୟବସ୍ଥା ଏକାଦଶୀ ଉପଲକ୍ଷେ କରାଯାଇଥିଲା।
ଏକାଦଶୀ ଉପଲକ୍ଷେ ହେବାକୁ ଥିବା ସମ୍ଭାବ୍ୟ ଭିଡ଼ ସମ୍ପର୍କରେ ମନ୍ଦିର କର୍ତ୍ତୃପକ୍ଷ ସ୍ଥାନୀୟ ପ୍ରଶାସନକୁ କୌଣସି ପ୍ରକାରର ସୂଚନା ଦେଇ ନଥିଲେ। ତେଣୁ ମନ୍ଦିରରେ ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା। ମିନି ତିରୁପତିରେ ସକାଳୁ ଭିଡ଼ ଜମିଥିଲେ ହେଁ ଏଥିପ୍ରତି କାହାର ନିଘା ନଥିଲା।
ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ କହିବା କଥା ଯେ ଯଦି ଭିଡ଼ ସମ୍ପର୍କରେ ପୁଲିସ୍କୁ ଆଗୁଆ ସୂଚନା ଦିଆଯାଇ ଥାଆନ୍ତା, ତା’ହେଲେ ସେମାନେ ଭିଡ଼ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେଗ ଗ୍ରହଣ କରିଥାଆନ୍ତେ। ସେ କହିଛନ୍ତି, “ପୂର୍ବ ଯୋଜନା ଯୋଗୁ ଆମେ ବାତ୍ୟା ବେଳେ ଜୀବନ ରକ୍ଷା କରିପାରିଥିଲୁ। ଦୁଃଖର କଥା ଦଳାଚକଟାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ଘଟଣା ପାଇଁ ଦାୟୀ ଲୋକଙ୍କୁ ନିଶ୍ଚିତ ଭାବେ କଠୋର ଦଣ୍ଡ ମିଳିବ।”
ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ଅନାମ ରାମନାରାୟଣ ରେଡ୍ଡୀ କହିଛନ୍ତି ଯେ ଯେଉଁ ମନ୍ଦିରରେ ଦଳାଚକଟା ହୋଇଛି, ତା’ର ପରିଚାଳନା ଦାୟିତ୍ୱ ସରକାରଙ୍କ ହାତରେ ନଥିଲା। ମନ୍ଦିରର କ୍ଷମତା ୨ରୁ ୩ ହଜାର। କିନ୍ତୁ ଆଜି ଏକାଦଶୀ ପାଇଁ ୨୫ ହଜାର ଶ୍ରଦ୍ଧାଳୁଙ୍କ ସମାଙ୍ଗମ ହୋଇଥିଲା। ଭିଡ଼ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା। ଏପରି କି ସରକାରଙ୍କୁ ମଧ୍ୟ ଏହାର ସୂଚନା ଦିଆଯାଇ ନଥିଲା। ଏଥିଯୋଗୁ ମନ୍ଦିରରେ ଏତେ ବଡ଼ ଘଟଣା ଘଟିଛି ବୋଲି ସେ କହିଛନ୍ତି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଶତାଧିକ ମହିଳା ହାତରେ ପୂଜା ଥାଳି ଧରି ମନ୍ଦିରର ସଙ୍କୁଚିତ ରାସ୍ତାରେ ଛିଡ଼ା ହୋଇଛନ୍ତି। ଭିଡ଼ ଏତେ ମାତ୍ରାରେ ହୋଇଥିଲା ଯେ ସେମାନେ ଅଣନିଃଶ୍ୱାସୀ ହେବା ସହ ସହାୟତା ପାଇଁ ଚିତ୍କାର କରୁଛନ୍ତି। ସେହିପରି ଦଳାଚକଟା ପରେ ନିସ୍ତେଜ ହୋଇ ତଳେ ପଡ଼ି ରହିଥିବା ନିଜର ପ୍ରିୟଜନଙ୍କୁ ଉଠାଇବା ପାଇଁ କିଛି ଲୋକ ସିପିଆର ଦେଉଥିବା ଦେଖିବାକୁ ମିଳିଛି।
ପ୍ରଶାସନର କହିବା କଥା ଯେ ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି। ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୧୫ ଜଣ ସମାନ୍ୟ ଆହତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକ ପ୍ରକାଶ କରି ମୃତକ ପରିବାର ବର୍ଗଙ୍କ ପ୍ରତି ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/01/stamped-2025-11-01-17-24-27.jpg)