representational image
ଜଣେ ୧୭ ବର୍ଷୀୟ ବାଳକଙ୍କ ହାଜତ ମୃତ୍ୟୁ ମାମଲାରେ ବଡ଼ ରାୟ ଦେଇଛନ୍ତି ତାମିଲନାଡୁ(Tamilnadu)jମଦୁରାଇ ଜିଲ୍ଲା ଓ ସେସନ୍ସ କୋର୍ଟ। ୨୦୧୯ ମସିହାର ଏହି ହାଜତ ମୃତ୍ୟୁ ମାମଲାରେ କୋର୍ଟ ୪ ଜଣ ପୁଲିସ୍ କର୍ମଚାରୀଙ୍କୁ ୧୧ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୯ରେ ୧୭ ବର୍ଷୀୟ ମୁଥୁ କାର୍ତ୍ତିକ ପୁଲିସ୍ ହେପାଜତରେ ଥିବା ବେଳେ ପ୍ରାଣ ହରାଇଥିଲେ।
ହାଜତ ମୃତ୍ୟୁ ମାମଲାରେ ଦଣ୍ଡିତ ହୋଇଥିବା ପୁଲିସ୍(Police) କର୍ମଚାରୀମାନେ ହେଲେ ଇନସପେକ୍ଟର ଆଲେକ୍ସ ରାଜ, କନଷ୍ଟେଲବଲ ସତୀଶ, ରବି ଓ ରବିଚନ୍ଦ୍ରନ। ଏହି ୪ ଜଣଙ୍କୁ ୧୧ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିବା ସହ କୋର୍ଟ କ୍ରାଇମବ୍ରାଞ୍ଚ, କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ (ସିବି-ସିଆଇଡି)କୁ ଇନସପେକ୍ଟର ପ୍ରେମଚନ୍ଦ୍ରନ, ସବ ଇନସପେକ୍ଟର କାନ୍ନନ ଓ ଇନସପେକ୍ଟର ଅରୁଣାଚଲମଙ୍କ ବିରୋଧରେ ନୂଆ ଚାର୍ଜଶିଟ ଦାଖଲ କରିବାକୁ କହିଛନ୍ତି।
ଏମାନେ ହାଜତ ମୃତ୍ୟୁ ମାମଲାରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ପ୍ରେମଚନ୍ଦ୍ରନ ଓ କାନ୍ନନ ଅବସର ନେଇ ସାରିଥିବା ବେଳେ ସେବାରେ ଥିବା ଇନସପେକ୍ଟର ଅରୁଣାଚଲମଙ୍କୁ ତୁରନ୍ତ ନିଲମ୍ବନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହାଜତରେ ଦିଆଯାଇଥିବା ନିର୍ଯାତନାକୁ ଘୋଡ଼ାଇବା ପାଇଁ ଚେଷ୍ଟା କରିଥିବା ସରକାରୀ ଡାକ୍ତରମାନଙ୍କ ଉପରେ ମଧ୍ୟ କୋର୍ଟ ଜୋରଦାର ବର୍ଷିଛନ୍ତି। ନିର୍ଯାତନାକୁ ଘୋଡ଼ାଇବାକୁ ଚେଷ୍ଟା କରିଥିବା ସରକାରୀ ଡାକ୍ତର ଜୟକୁମାର ଓ ରେସିଡେଣ୍ଟ ମେଡିକାଲ ଅଫିସର ଡାକ୍ତର ଶ୍ରୀଲତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ କହିଛନ୍ତି। ଏମାନେ ମେଡିକାଲ ରିପୋର୍ଟ ପ୍ରସ୍ତୁତ କରିବା ବେଳେ ପୁଲିସ୍ କର୍ମଚାରୀଙ୍କ ନିଷ୍ଠୁରତା ଉପରେ ପରଦା ଢାଙ୍କିବାକୁ ଚେଷ୍ଟା କରିଥିବା କୋର୍ଟ ହୃଦୟଙ୍ଗମ କରିଛନ୍ତି।
ଗୋଟିଏ ଅପରାଧିକ ମାମଲାରେ ୧୭ ବର୍ଷୀୟ କାର୍ତ୍ତିକଙ୍କୁ ପଚରାଉଚରା କରିବା ପାଇଁ ଏସ୍ଏସ୍ କଲୋନୀ ପୁଲିସ ଷ୍ଟେସନକୁ ଅଣା ଯାଇଥିଲା। ଜେରା ବେଳେ ଥାନାରେ ତାଙ୍କୁ ପ୍ରବଳ ମାଡ଼ ମରାଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
୧୭ ବର୍ଷୀୟ ପୁଅକୁ ହରାଇ ପଡ଼ିଥିବା ମା’ ଜୟା ନ୍ୟାୟ ପାଇଁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତଦନ୍ତର ଦାୟିତ୍ୱ ସିବି-ସିଆଇଡିକୁ ଦେଇଥିଲେ। ସିବି-ସିଆଇଡି ଘଟଣାର ତଦନ୍ତ କରି ଇନସପେକ୍ଟର ରାଜଙ୍କ ସମେତ କନଷ୍ଟେବଲ ରବି, ରବିଚନ୍ଦ୍ରନ ଓ ସତୀଶଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା।
ଦୀର୍ଘ ବର୍ଷର ଶୁଣାଣି ପରେ ବିଚାରପତି ଯୋଶେଫ ଜୟ ଦଣ୍ଡାଦେଶ ଶୁଣାଇଛନ୍ତି। ସମସ୍ତ ୪ ଜଣଙ୍କୁ ୧୧ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/26/cop-2025-09-26-17-38-23.jpg)