Advertisment

ବାଦଲ ଫଟା ବର୍ଷା ପରେ ପ୍ରଳୟଙ୍କରୀ ବନ୍ୟା: ଗଲାଣି ୪୦ ଜୀବନ, ମାଟି ତଳୁ ଚାଲିଛି ଜୀବନ ଖୋଜା

ବର୍ତ୍ତମାନ ସୁଦ୍ଧା ପ୍ରକୃତିରେ ପ୍ରଳୟ ଯୋଗୁ ୪୦ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ସିଆଇଏସଏଫ ଯବାନ ରହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Jammu

Jammu

ଜମ୍ମୁ-କଶ୍ମୀରର କିସ୍ତୱାର ଜିଲ୍ଲାରେ ଆଜି ପ୍ରକୃତି ରଚିଛି ତାଣ୍ଡବ। ପ୍ରକୃତିର ପ୍ରଳୟ ଆଗରେ ଛନିଛତ୍ର ହୋଇଯାଇଛି ଚଶୋତି ଗାଁ। ଏଠାରେ ବାଦଲ ଫଟା ବର୍ଷା ପରେ ଆସିଥିବା ଅଚାନକ ବନ୍ୟା ସବୁ କିଛି ଧ୍ୱଂସ କରି ଦେଇଛି। ମୁହୁର୍ତ୍ତ ମଧ୍ୟରେ ସବୁ କିଛି ଭସାଇ ନେଇଛି। ମାଟି ମିଶା ପାଣିର ସ୍ରୋତରେ ଭାସି ଯାଇଛି ଅନେକ ଜୀବନ। ଅନେକ ଏବେ ବି ମାଟି ଓ କାଦୁଅ ତଳେ ଫସି ରହିଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ପ୍ରକୃତିରେ ପ୍ରଳୟ ଯୋଗୁ ୪୦ ଜଣଙ୍କ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ସିଆଇଏସଏଫ ଯବାନ ରହିଛନ୍ତି। ସେହିପରି ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ଏବେ ବି ୨୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। ନିଖୋଜଙ୍କ ମଧ୍ୟରେ ଅଧିକାଂଶ ଶ୍ରଦ୍ଧାଳୁ ବା ପର୍ଯ୍ୟଟକ ଥିବା କୁହାଯାଉଛି।

ଏସବୁ ଭିତରେ ବିଜେପି ବିଧାୟକ ସୁନୀଲ କୁମାର ଶର୍ମା ସାଂଘାତିକ ତଥ୍ୟ ଦେଇଛନ୍ତି। ତାଙ୍କ କହିବା କଥା ଯେ ଅଚାନକ ବନ୍ୟା ପାଣି ମାଡ଼ି ଆସିବା ବେଳେ ଘଟଣା ସ୍ଥଳରେ ୧୦୦୦ରୁ ୧୨୦୦ ଲୋକ ଉପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଭାସି ଯାଇଛନ୍ତି କିମ୍ବା କାଦୁଅ ମିଶା ମାଟି ତଳେ ଚାପି ହୋଇ ଯାଇଛନ୍ତି।

Advertisment

ପୁଲିସର କହିବା କଥା ଯେ ଉଦ୍ଧାର କାର୍ଯ୍ୟରେ ଆର୍ମି ଠାରୁ ଆରମ୍ଭ କରି ସାଧାରଣ ପ୍ରଶାସନର କର୍ମଚାରୀ ସାମିଲ ହୋଇଛନ୍ତି। ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାରକାରୀ ଟିମକୁ ସହଯୋଗ କରୁଛନ୍ତି। ଚଶୋଟି ହେଉଛି ମଚୈଲ ମାତା ଯାତ୍ରାର ଆରମ୍ଭ ସ୍ଥାନ। ଏଥିସହ କିସ୍ତୱାରରେ ଥିବା ମାତା ଚଣ୍ଡୀଙ୍କ ମନ୍ଦିରକୁ ଯିବା ବେଳେ ଏହା ହେଉଛି ଶେଷ ଗାଁ। ଘଟଣା ପରେ ଏଠାରୁ ଆରମ୍ଭ ହେଉଥିବା ବାର୍ଷିକ ଯାତ୍ରାକୁ ବାତିଲ କରି ଦିଆଯାଇଛି।

ସାମ୍ନାକୁ ଆସିଥିବା ଭିଡିଓ ଅତ୍ୟନ୍ତ ବିଚଳିତ କରିବା ଭଳି। କେଉଁ ଭିଡିଓରେ ଲୋକମାନେ ଜୀବନ ବିକଳରେ ଦୌଡ଼ୁଛନ୍ତି ତ ଆଉ କେଉଁ ଭିଡିଓରେ ପ୍ରଳୟଙ୍କରୀ ବନ୍ୟା ସବୁ କିଛି ଭସାଇ ନେଉଛି। ଆଉ ଏକ ଭିଡିଓରେ ସେନା ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଉ ଥିବା ଦେଖିବାକୁ ମିଳୁଛି। ଯୁଦ୍ଧକାଳୀନ ଭିତରେ ମାଟି କାଦୁଅ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାରର ପ୍ରୟାସ କରାଯାଉଛି।

ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।

Jammu Kashmir Flash Flood