Advertisment

ଦିଲ୍ଲୀ ଷ୍ଟେସନରେ ଦଳାଚକଟା କେତେ ବେଳେ ହୋଇଥିଲା? ଭିନ୍ନଭିନ୍ନ ସମୟକୁ ନେଇ ଉଠିଲା ପ୍ରଶ୍ନ

ଦଳାଚକଟାର ୪୦ ମିନିଟ ପରେ ଉଦ୍ଧାର ପାଇଁ କଲ ଯିବା ସମସ୍ତଙ୍କୁ ଚକିତ କରିଛି।

Train

Train

Advertisment

ଫେବୃଆରୀ ୧୫ ତାରିଖରେ ଦିଲ୍ଲୀ ରେଳ ଷ୍ଟେସନରେ ଭୟଙ୍କର ଦଳାଚକଟା ହୋଇଥିଲା। ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ରେଳ କର୍ତ୍ତୃପକ୍ଷ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି। ସେହିପରି ଦଳାଚକଟାର ୪୦ ମିନିଟ ପରେ ଉଦ୍ଧାର ପାଇଁ କଲ ଯିବା ସମସ୍ତଙ୍କୁ ଚକିତ କରିଛି।

Advertisment

୪୦ ମିନିଟ ବିଳମ୍ବରେ ଜରୁରୀ କଲ ହୋଇଥିଲା ବୋଲି ରେଲବାଇ ପ୍ରୋଟେକସନ ଫୋର୍ସ ବା ଆରପିଏଫ ପ୍ରସ୍ତୁତ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛି। ତେବେ ଦିଲ୍ଲୀ ରେଳ ଷ୍ଟେସନରେ କେତେ ବେଳେ ଦଳାଚକଟା ଘଟଣା ଘଟିଥିଲା, ତା’କୁ ନେଇ ବି ପ୍ରଶ୍ନ ଉଠିଛି। କାରଣ ରେଳବାଇ, ଅଗ୍ନିଶମ କର୍ମଚାରୀ ଓ ଦିଲ୍ଲୀ ପୁଲିସ୍‌ ଦଳାଚକଟା ନେଇ ଦେଇଥିବା ରିପୋର୍ଟରେ ସମୟ ଭିନ୍ନଭିନ୍ନ ରହିଛି।

ରେଳବାଇ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ ଷ୍ଟେସନରେ ଦଳାଚକଟା ସନ୍ଧ୍ୟା ୯.୧୫ରେ ହୋଇଥିଲା। କିନ୍ତୁ ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ଦଳାଚକଟା ସମ୍ପର୍କରେ ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ୯.୫୫ରେ କଲ କରିଥିଲା। କିନ୍ତୁ ଆରପିଏଫ ପ୍ରସ୍ତୁତ କରିଥିବା ରିପୋର୍ଟରେ ଦଳାଚକଟା ୮.୪୮ରେ ହୋଇଥିବା ଉଲ୍ଲେଖ କରାଯାଇଛି। ସମାନ ସୂଚନା ଷ୍ଟେସନର ଡ୍ୟୁଟିରେ ଥିବା ଅଧିକାରୀ ମଧ୍ୟ ଦେଇଛନ୍ତି।

Advertisment

ଯଦି ରେଳ ବାଇ କହିବା ଅନୁସାରେ ୯.୧୫ରେ ଦଳାଚକଟା ହୋଇଥିଲା, ତା’ହେଲେ ଏହାର ୪୦ ମିନିଟ ପରେ ଅର୍ଥାତ ୯.୫୫ ମିନିଟରେ କାହିଁକି ଉଦ୍ଧାର ପାଇଁ କଲ ଯାଇଥିଲା ବୋଲି ପ୍ରଶ୍ନ ଉଠିଛି।  ଏସମ୍ପର୍କରେ ନର୍ଦ୍ଦନ ରେଳବାଇର ସିପିଆରଓ ହିମାଂଶୁ ଶେଖର ଉପାଧ୍ୟାୟଙ୍କୁ ପଚରା ଯାଇଛି। କିନ୍ତୁ ସେ ଏଯାଏ ଏହା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

ଫେବୃଆରୀ ୧୫ ତାରିଖ ସନ୍ଧ୍ୟାରେ ପ୍ଲାଟଫର୍ମ ୧୨ରୁ ୧୬ ଯାଏ ପ୍ରବଳ ଭିଡ଼ ଜମିଥିଲା। ପ୍ରୟାଗରାଜର ମହାକୁମ୍ଭକୁ ଯିବା ପାଇଁ ଅପେକ୍ଷା କରିଥିବା ଲୋକଙ୍କ ସଂଖ୍ୟା ଆଶା ଠାରୁ ଅଧିକ ରହିଥିଲା। ସନ୍ଧ୍ୟା ୮ଟାରେ ଶିବଗଙ୍ଗା ଏକ୍ସପ୍ରେସ ଛାଡ଼ିବା ପରେ ୧୨ ନମ୍ବର ପ୍ଲାଟଫର୍ମରେ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା।

ପ୍ରବଳ ଭିଡ଼ ହେଉଥିବାରୁ ଷ୍ଟେସନ ଡିରେକ୍ଟର ଓ ଆରପିଏଫର ଆସିସଷ୍ଟାଣ୍ଟ ସିକ୍ୟୁରିଟୀ କମିଶନରଙ୍କ ସମେତ କର୍ମଚାରୀମାନେ ଫୁଟ ଓଭର ବ୍ରିଜ ୨ ଓ ୩ରେ ପହଞ୍ଚିଥିଲେ। ସେଠାରେ ସେମାନେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଭିଡ଼ ବଢ଼ୁଥିବାରୁ ଆରପିଏଫ ଇନସପେକ୍ଟର ସ୍ୱତନ୍ତ୍ର କୁମ୍ଭ ଟ୍ରେନକୁ ଆଗୁଆ ଛାଡ଼ିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଭିଡ଼ ନିୟନ୍ତ୍ରଣ ହୋଇପାରିବ ବୋଲି ସେ ଆଶା କରିଥିଲେ।

ସନ୍ଧ୍ୟା ୬ଟାରୁ ୮ଟା ମଧ୍ୟରେ ପ୍ରାୟ ୨୬୦୦ ଯାତ୍ରୀ ନୂଆଦିଲ୍ଲୀ ଷ୍ଟେସନରେ ଅସଂକ୍ଷିତ ବା ଜେନେରାଲ ଟିକେଟ କାଟିଥିଲେ। ପ୍ରୟାଗରାଜ ଯିବାକୁ ସମସ୍ତେ ଟିକେଟ କାଟିବାରେ ଲାଗି ପଡ଼ିଥିଲେ। ରେଳବାଇ ପକ୍ଷରୁ ପ୍ରୟାଗରାଜ ପାଇଁ ପ୍ରତି ଘଣ୍ଟାରେ ୧୫ଶହ ଟିକେଟ କଟା ଯାଉଥିଲା। କିନ୍ତୁ ପ୍ଲାଟଫର୍ମ ୧୨ରୁ ୧୬ରେ ପ୍ରବଳ ଭିଡ଼ ହେବାରୁ ଆରପିଏଫ ଇନସପେକ୍ଟର ଟିକେଟ ବିକ୍ରି ଉପରେ ରୋକ ଲଗାଇବାକୁ କହିଥିଲେ।

ସନ୍ଧ୍ୟା ୮.୪୫ରେ ଗୋଟିଏ ଘୋଷଣା ହୋଇଥିଲା। ଏଥିରେ କୁହାଯାଇଥିଲା ଯେ କୁମ୍ଭ ସ୍ପେଶାଲ ଟ୍ରେନ ୧୨ ନମ୍ବର ପ୍ଲାଟଫର୍ମରେ ଆସିବ। ଲୋକମାନେ ଏଥିପାଇଁ ୧୨ ନମ୍ବରେ ଏକାଠି ହେବାକୁ ଲାଗିଥିଲେ। ତେବେ ପ୍ରଥମ ଘୋଷଣାର ଆଉ କିଛି ସମୟରେ କୁହାଯାଇଥିଲା ଯେ କୁମ୍ଭ ସ୍ପେଶାଲ ଟ୍ରେନ ୧୬ ନମ୍ବର ପ୍ଲାଟଫର୍ମରୁ ଛାଡ଼ିବ।

ହଠାତ୍‌ ପ୍ଲାଟଫର୍ମ ନମ୍ବର ପରିବର୍ତ୍ତନ ହେବାରୁ ୧୨ ଓ ୧୩ ନମ୍ବର ପ୍ଲାଟଫର୍ମରେ ଥିବା ଲୋକମାନେ ଏହାକୁ ଲାଗିଥିବା ଫୁଟ ଓଭର ବ୍ରିଜ(୨ଓ୩) ଆଡ଼କୁ ଦୌଡ଼ିଥିଲେ। ସେଠାରେ ପୂର୍ବରୁ ମାଗାଧ ଏକ୍ସପ୍ରେସ, ସମ୍ପର୍କ କ୍ରାନ୍ତୀ ଓ ପ୍ରୟାଗରାଜ ଏକ୍ସପ୍ରେସ ପାଇଁ ଲୋକମାନେ ଅପେକ୍ଷା କରି ରହିଥିଲେ। ବାସ୍‌ ଗୋଟିଏ ସ୍ଥାନରେ ପ୍ରବଳ ଭିଡ଼ ଜମିବାରୁ କିଛି ଲୋକଙ୍କ ଗୋଡ଼ ଫୁଟ ଓଭର ବ୍ରିଜରେ ଖସି ପଡ଼ିଥିଲା। ଏଥିଯୋଗୁ ଭୟଙ୍କର ଦଳାଚକଟା ଆରମ୍ଭ ହୋଇଯାଇଥିଲା।

ଦଳାଚକଟାରେ ପ୍ରାଣ ହରାଇଥିବା ୧୮ ଜଣଙ୍କ ମଧ୍ୟରେ ୯ ଜଣ ମହିଳା, ୫ ଜଣ ପିଲା ଓ ୪ ଜଣ ପୁରୁଷ ରହିଛନ୍ତି। ରେଳବାଇ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ୧୦ ଲକ୍ଷ, ଗୁରୁତର ଆହତଙ୍କ ପାଇଁ ୨.୫ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛି।

Delhi Stampede Prayagraj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe