Advertisment

ପୂର୍ବ ସରକାର କିଣିଥିବା ୪୦୦ ବୋଲେରୋ ବିଜେପି ଅମଳରେ ଖତ ଖାଉଛି!

ବିଜେପି ବର୍ଷେରୁ ଅଧିକ ସମୟ ହେଲା ସରକାରରେ ରହିଛି। କିନ୍ତୁ ସରକାରୀ ଟଙ୍କାରେ କିଣା ହୋଇଥିବା ୪୦୦ ବୋଲେରୋର ବ୍ୟବହାର ଏଯାଏ ହୋଇପାରୁନି। ସେଗୁଡ଼ିକ ଏବେ ନଷ୍ଟ ହେବା ସ୍ଥିତିକୁ ଚାଲି ଆସିଲାଣି।

author-image
Hemant Lenka
Bolero

Bolero

ଟିକସଦାତାଙ୍କ ଟଙ୍କା କେମିତି ନଷ୍ଟ କରାଯାଉଛି, ତା’ର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଜରୁରୀ ସେବାରେ ନିୟୋଜ ହେବାକୁ ଆସିଥିବା ୪୦୦ଟି ମହିନ୍ଦ୍ରା ବୋଲେରୋ ଏସ୍‌ୟୁଭି ଏବେ ଖତ ଖାଉଛି। ସେଗୁଡ଼ିକ ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଥିବା ସୁରକ୍ଷାକର୍ମୀ ତୃତୀୟ ବାଟାଲିୟନ ପଡ଼ିଆରେ ଅଳିଆ ହୋଇ ବର୍ଷେରୁ ଅଧିକ ଦିନ ହେବ ପଡ଼ି ରହିଛି।

Advertisment

ରାଜ୍ୟର ଜୁରୁରିକାଳୀ ସେବାକୁ ୨୨ ସହରରେ ଅଧିକ ତ୍ୱରାନ୍ୱିତ କରିବାକୁ ଗତବର୍ଷ ଏଗୁଡ଼ିକୁ କିଣା ଯାଇଥିଲା। ଲୋକଙ୍କୁ ହସ୍ପିଟାଲ ନେବା ଠାରୁ ବିପର୍ଯ୍ୟୟର ମୁକାବିଲା ବେଳେ ବୋଲେରୋରେ ବ୍ୟବହାର ହୋଇଥାଆନ୍ତା। କଂଗ୍ରେସ ନେତୃତ୍ୱାଧୀନ ଭୂପେଶ ବଘେଲ ସରକାର ଏହାକୁ କିଣିଥିଲେ।

ହେଲେ କଂଗ୍ରେସ ସରକାର କ୍ଷମତାରୁ ହଟିବା ପରେ ବିଜେପି ବର୍ଷେରୁ ଅଧିକ ସମୟ ହେଲା ସରକାରରେ ରହିଛି। କିନ୍ତୁ ସରକାରୀ ଟଙ୍କାରେ କିଣା ହୋଇଥିବା ୪୦୦ ବୋଲେରୋର ବ୍ୟବହାର ଏଯାଏ ହୋଇପାରୁନି। ସେଗୁଡ଼ିକ ଏବେ ନଷ୍ଟ ହେବା ସ୍ଥିତିକୁ ଚାଲି ଆସିଲାଣି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମର୍ଜେନ୍ସି ସେବା ପାଇଁ ଆସିଥିବା ଗାଡ଼ିକୁଗୁଡ଼ିକ ଖତ ଖାଉଥିବା ବେଳେ ଅନ୍ୟପଟେ ଲୋକଙ୍କୁ ଗାଡ଼ି ଅଭାବରୁ ଠିକ ଭାବେ ସେବା ମିଳିପାରୁ ନାହିଁ।

ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୟାମ ବିହାରୀ ଜୈସୱାଲଙ୍କ ନିର୍ବାଚନ ମଣ୍ଡଳୀରେ ଲୋକମାନେ ଗାଡ଼ି ଅଭବାରୁ ହସ୍ପିଟାଲରେ ଠିବ ଭାବେ ପହଞ୍ଚି ପାରୁ ନାହାନ୍ତି। ବିହାରୀଙ୍କ ନିର୍ବାଚନ ମଣ୍ଡଳୀରେ ନିକଟରେ ଜଣେ ମହିଳାଙ୍କ ଗୋଡ଼ ଭାଙ୍ଗି ଯାଇଥିଲେ। ସେମାନେ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ଗାଡ଼ିର ଅଭାବ ଥିବାରୁ ତାଙ୍କୁ ସେବା ମିଳି ପାରି ନଥିଲା। ଫଳରେ ମହିଳାଙ୍କୁ ପରିବାର ଲୋକ ଖଟିଆରେ ବୋହି ହସ୍ପିଟାଲ ନେଇଥିଲେ।

ଅମ୍ବିକାପୁରରେ ପ୍ରସବ ଯନ୍ତ୍ରଣା ପରେ ମହିଳାଙ୍କ ପରିବାର ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ଆସି ନଥିଲା। ପରିବାର ଲୋକ ତାଙ୍କୁ ମଧ୍ୟ ଖଟିଆରେ ହସ୍ପିଟାଲ ନେଇଥିଲେ।

ଅମ୍ବିକାପୁର ଜିଲ୍ଲା ହସ୍ପିଟାଲର ଡାକ୍ତର ଶୈଳେନ୍ଦ୍ର ଗୁପ୍ତା କହିଛନ୍ତି, ଆମ୍ବୂଲାନ୍ସ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲା। କିନ୍ତୁ ମହିଳାଙ୍କ ଘର ପାଖକୁ ଯାଇ ପାରି ନଥିଲେ। ଭଲ ରାସ୍ତା ନଥିବାରୁ ବଡ଼ ଗାଡ଼ି ଗାଁ ଭିତରକୁ ଯିବା ଅସମ୍ଭବ ବୋଲି ସେ ସଫେଇ ଦେଇଛନ୍ତି।

ଛତିଶଗଡ଼ରେ ଗାଡ଼ି ଅଭାବରୁ ଏମର୍ଜେନ୍ସି ସେବା ପ୍ରଭାବିତ ହେଉଥିବାରୁ କଂଗ୍ରେସ ସରକାର ଗତବର୍ଷ ଜୁଲାଇ-ଅଗଷ୍ଟରେ ୪୦ କୋଟି ଟଙ୍କା ଖର୍ଚ୍ଚ କରି ଏତେ ସଂଖ୍ୟକ ବୋଲେରୋ କିଣିଥିଲେ। କିଣା ହେବା ଠାରୁ ଉକ୍ତ ପଡ଼ିଆରେ ଗାଡ଼ିଗୁଡ଼ିକ ପଡ଼ି ରହିଛି। ପଡ଼ିପଡ଼ି ସେଗୁଡ଼ିକ ଖତ ହେବାକୁ ବସିଲାଣି।

ବିଜେପି ସରକାର ଗୋଟିଏ ବର୍ଷରୁ ଅଧିକ ଦିନ ହେଲାଣି ଛତିଶଗଡ଼ରେ ଶାସନ କରୁଛନ୍ତି। ହେଲେ ଗାଡ଼ିଗୁଡ଼ିକ କାହିଁକି ବ୍ୟବହାର ହେଉନାହିଁ, ତା’ର ଉତ୍ତର ସରକାରଙ୍କ ପାଖରେ ନାହିଁ। ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି, “ଗାଡ଼ିଗୁଡ଼ିକର ସ୍ଥିତାବସ୍ଥା ସମ୍ପର୍କରେ ଆମେ ପ୍ରଶ୍ନ ଉଠାଇଛୁ। ଏଗୁଡ଼ିକ କାହିଁକି ବ୍ୟବହାର ହୋଇନି, ତା’ର ଉତ୍ତର ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”

ଘଟଣା ସହ ଜଡ଼ିତ ଲୋକଙ୍କ କହିବା କଥା ଯେ ନୂଆ ଟେଣ୍ଡର ପାଇଁ ୫ରୁ ୬ ମାସ ସମୟ ଲାଗିବ। ଏହାପରେ ଗାଡ଼ିଗୁଡ଼ିକ ବ୍ୟବହାର ହୋଇପାରିବ। କିନ୍ତୁ ସେତେବେଳେକୁ ଗାଡ଼ିଗୁଡ଼ିକୁ ପୁଣି ମରାମତି କରିବାକୁ ହେବ। ମେଣ୍ଟାନ୍ସ ବାବଦରେ ପ୍ରତି ଗାଡ଼ି ପିଛା ପ୍ରାୟ ୨୦ ହଜାର ଲେଖାଏ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Chhattisgarh Bjp Congress