Advertisment

ବ୍ଲାଇଣ୍ଡ କର୍ଭରେ ଆତଙ୍କବାଦୀଙ୍କ ହମଲା: ସହିଦଙ୍କ ସଂଖ୍ୟା ୫କୁ ବଢ଼ିଲା

ଦହେରା କି ଗଲି ଓ ବୁଫଲିଆଜ ମଧ୍ୟରେ ଥିବା ଧାତୟାର ମୋରହ ସ୍ଥିତ ବ୍ଲାଇଣ୍ଡ କର୍ଭ ନିକଟରେ ହିଁ ହମଲା ହୋଇଛି।

author-image
Hemant Lenka
Terrorist

Terrorist

ଜମ୍ମୁ-କଶ୍ମୀରର ପୁଞ୍ଚରେ ଗୁରୁବାର ହୋଇଥିବା ଆତଙ୍କବାଦୀଙ୍କ ହମଲାରେ ସହିଦଙ୍କ ସଂଖ୍ୟା ୫କୁ ବଢ଼ିଛି। ପ୍ରଥମେ ୩ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଆଉ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏବେ ବି ଆଉ ୨ ଜଣ ଯବାନ ହସ୍ପିଟାଲ ବେଡ୍‌ରେ ଜୀବନ ସହ ସଂଗ୍ରାମ କରୁଛନ୍ତି।

Advertisment

ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ହମଲା କରିଥିଲେ। ଦହେରା କି ଗଲି ଓ ବୁଫଲିଆଜ ମଧ୍ୟରେ ଥିବା ଧାତୟାର ମୋରହ ସ୍ଥିତ ବ୍ଲାଇଣ୍ଡ କର୍ଭ ନିକଟରେ ହିଁ ହମଲା ହୋଇଛି।

ଆତଙ୍କବାଦୀମାନେ ପୁଞ୍ଚର ଧାତୟାର ମୋରହକୁ ଜାଣିଶୁଣି ହମଲା ପାଇଁ ବାଛିଥିଲେ। କାରଣ ଏଠାରେ ଥିବା ରାସ୍ତା ବେଶ ବଙ୍କା। ବୁଲାଣି ବେଳେ ସାମ୍ନା ପଟେ କ’ଣ ଘଟୁଛି, ତା’ହା ଜାଣିବା ମୁସ୍କିଲ। ଗାଡ଼ିଗୁଡ଼ିକ ବେଶ ଧୀରେଧୀରେ ଏହି ସ୍ଥାନକୁ ଅତିକ୍ରମ କରିଥାଏ। ସାମ୍ନା ପଟୁ ଦେଖିବାର କୌଣସି ସୁଯୋଗ ନଥିବାରୁ ଏହାକୁ ବ୍ଲାଇଣ୍ଡ କର୍ଭ ମଧ୍ୟ କୁହାଯାଏ। ତେଣୁ ଆତଙ୍କବାଦୀମାନେ ଏହି ସ୍ଥାନକୁ ଜାଣିଶୁଣି ହମଲା ପାଇଁ ବାଛିଥିଲେ।

Advertisment

ସେନା ଯବାନଙ୍କ ଦୁଇଟି ଗାଡ଼ି ଉକ୍ତ ସ୍ଥାନ ଅତିକ୍ରମ କରୁଥିବା ବେଳେ ଯୋଜନା ମୁତାବକ ଆତଙ୍କବାଦୀମାନେ ଉଚ୍ଚ ସ୍ଥାନରେ ଲୁଚି ରହିଥିଲେ। ଗାଡ଼ି ବୁଲାଣି ବୁଲିବା ପାଇଁ ଧିମା ହେବା କ୍ଷଣି ସେମାନେ ଅତିର୍କିତ ଭାବେ ଆଖିବୁଜା ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ଗୁଳି ମାଡ଼ରେ ସେନାର ଗୋଟିଏ ଟ୍ରକ ଓ ଗୋଟିଏ ଜିପ୍‌ ପୂରା କ୍ଷତିଗ୍ରସ୍ତ ହୋଇଛି। 

ସେନା ପକ୍ଷରୁ ଏହାର ଜବାବ ଦିଆଯିବା ସହ ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନ ପଠା ଯାଇଥିଲା। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବେଶ କିଛି ସମୟ ଗୁଳି ବିନିମୟ ମଧ୍ୟ ହୋଇଥିଲା। କିନ୍ତୁ ପାହାଡ଼ିଆ ଅଞ୍ଚଳର ସୁଯୋଗ ନେଇ ଆତଙ୍କବାଦୀମାନେ ସେଠାରୁ ଖସି ଚାଲି ଯିବାକୁ ସକ୍ଷମ ହୋଇଛନ୍ତି। ତଥାପି ସେନା ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି।

ସୂତ୍ର ଅନୁସାରେ, ଆମ୍ବୁସ ପୂର୍ବରୁ ଆତଙ୍କବାଦୀମାନେ ଉକ୍ତ ସ୍ଥାନ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା। ତଥ୍ୟ ମିଳିବା ପରେ ହିଁ ୩ରୁ ୪ ଜଣ ଆତଙ୍କବାଦୀ ହମଲା କରିଥିଲେ। ଘଟଣା ପାଇଁ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କରର ସହଯୋଗୀ ସଂଗଠନ ପିଏଏଫଏଫ ନିଜକୁ ଏହି ହମଲା ପାଇଁ ଦାୟୀ କରିଛି।

Terror Attack Jammu Kashmir