Advertisment

ବସ୍‌କୁ ଧକ୍କା ଦେବା ପରେ କାର୍‌ରେ ଥିବା ୫ ଯାତ୍ରୀ ମୃତ

ସେପଟେ ଏହି ଦୁର୍ଘଟଣାରେ ବସ୍‌ରେ ଥିବା ପ୍ରାୟ ୪୦ ଯାତ୍ରୀ ଆହତ ହୋଇଛନ୍ତି।

author-image
Niranjan Mishra
The car veered across the centre median and crashed into the bus

The car veered across the centre median and crashed into the bus

ବସ୍‌ରେ ଧକ୍କା ହେବା ପରେ କାର୍‌ରେ ଥିବା ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଜି ତାମିଲନାଡ଼ୁର ତ୍ରିଚେ-ଡିଣ୍ଡିଗୁଲ ଜାତୀୟ ରାଜପଥରେ ଏହି ଭୟାନକ ଦୁର୍ଘଟଣା ଘଟିଛି। କାର୍‌ଟି ଭାରସାମ୍ୟ ହରାଇ ବସ୍‌ରେ ପିଟି ହୋଇଯାଇଥିବା ପ୍ରାଥମିକ ସୂଚନା ମିଳିଛି। ଏହି ବସ୍‌ଟି ଡିଣ୍ଡିଗୁଲ ଯାଉଥିଲା। ବସ୍‌ର ଅପରପାର୍ଶ୍ୱରୁ କାର୍‌ ଆସି ପିଟି ହେବା ପରେ ରାସ୍ତା ପାର୍ଶ୍ୱରେ ଥିବା ୧୫ ଫୁଟ ଖାଲ ଭିତରକୁ ଗଳି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟକୁ ପ୍ରଥମେ ତ୍ୱରାଦ୍ୱିତ କରି ଆହତଙ୍କୁ ହସ୍ପିଟାଲ ନେଇଥିଲେ। ଜେସିବି ପହଞ୍ଚିବା ପରେ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଖାଲରୁ ବାହାର କରାଯାଇଥିଲା। ଏହାପରେ କାର୍‌ ଭିତରେ ଥିବା ସମସ୍ତ ୫ ଜଣ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡ଼ିଥିଲା।

Advertisment

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟଲିନ୍‌। ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପିଛା ୨ ଲକ୍ଷ ଟଙ୍କା ଲେଖାଏଁ ସେମାନଙ୍କ ପରିବାରକୁ ଦେବାକୁ ଘୋଷଣା କରିଛନ୍ତି।

ସେପଟେ ଏହି ଦୁର୍ଘଟଣାରେ ବସ୍‌ରେ ଥିବା ପ୍ରାୟ ୪୦ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ମନାପାପ୍‌ରାଇ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ପୁଲିସ ତଦନ୍ତ କରୁଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ମୁଥାମୋଜଚେଲଭାନ୍, ଆଇୟାପନ୍, ମଣିଗାନ୍ଦାନ୍, ନାଗରାଥିନାମ୍ ଏବଂ ଧିନାଧାୟଲାନ୍।

Advertisment
Accident Tamilnadu