Advertisment

୫ ହସ୍ପିଟାଲ, ୧୮୦ କିମି: ଚିକିତ୍ସା ଅବହେଳାରୁ ଚାଲିଗଲା କଅଁଳ ଶିଶୁର ଜୀବନ!

ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏବେ ବର୍ଷକର ଛୁଆଟି ସବୁ ଦିନ ପାଇଁ ପରପାରିକୁ ଚାଲି ଯାଇଛି।

Shivansh Josi

Shivansh Josi

Advertisment

ଚିକିତ୍ସା ଅବହେଳାର ସାଂଘାତିକ ସ୍ଥିତି। ଚାଲିଗଲା କଅଁଳ ଶିଶୁର ଜୀବନ। ଡିହାଇଡ୍ରେସନର ସାମ୍ନା କରୁଥିବା ବର୍ଷକର ଛୁଆକୁ ହସ୍ପିଟାଲରେ ମିଳିଲାନି ଆବଶ୍ୟକ ଚିକିତ୍ସା। ପରିବାର ଲୋକ ୪ଟି ଜିଲ୍ଲାର ୫ଟି ହସ୍ପିଟାଲକୁ ଦୌଡ଼ି ଦୌଡ଼ି ଶେଷରେ ନିରାଶ ହୋଇଛନ୍ତି। ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏବେ ବର୍ଷକର ଛୁଆଟି ସବୁ ଦିନ ପାଇଁ ପରପାରିକୁ ଚାଲି ଯାଇଛି। ଉତ୍ତରାଖଣ୍ଡରୁ ଏପରି ଭୟଙ୍କର ଘଟଣା ସାମ୍ନାକୁ ଆସିଛି।

Advertisment

ଦେଶର ସେବା କରୁଥିବା ଆର୍ମି ଅଫିସର ଦୀନେଶ ଚନ୍ଦ୍ର ଯୋଶୀଙ୍କ ବର୍ଷକର ପୁଅ ହେଉଛନ୍ତି ଶିବାଂଶ। ତାଙ୍କୁ ମେଡିକାଲରେ ଆବଶ୍ୟକ ସେବା ଓ କର୍ତ୍ତୃପକ୍ଷଙ୍କ ସହାୟତା ମିଳି ନଥିଲା। ଏଥିଯୋଗୁ ଶିବାଂଶ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପରେ ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ଏଥିସହ ସେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜୁଲାଇ ୧୦ର ଘଟଣା। ହଠାତ ବର୍ଷକର ଶିବାଂଶ ବାନ୍ତି କରିବା ଆରମ୍ଭ କରିଥିଲେ। ସେ ଠିକ ଭାବେ କ୍ଷୀର ଖାଇ ନଥିଲେ। ଏଥିରେ ବ୍ୟସ୍ତ ହୋଇ ତାଙ୍କୁ ପ୍ରଥମେ ଚମୋଲିର ଗୱାଲଦାମରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଶିବାଂଶୁଙ୍କୁ ୨୨ କିମି ଦୂର ବାଗେଶ୍ୱରର ବୈଜନାଥ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ରୋଗର ଚିକିତ୍ସା ନଥିବାରୁ ଏପରି ପଦକ୍ଷେପ ନିଆଯାଇଥିଲା।

Advertisment

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପିଲାଟିର ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ ଅବସ୍ଥା ସୁଧୁରିବା ବଦଳରେ ବିଗିଡ଼ି ଯାଇଥିଲା। ସେଠାରୁ ୨୦ କିମି ଦୂର ବାଗେଶ୍ୱରରେ ଥିବା ଜିଲ୍ଲା ମୁଖ୍ୟାଳୟକୁ ଶିବାଂଶଙ୍କୁ ପଠା ଯାଇଥିଲା। ଗୁରୁତର ଶିବାଂଶ ସେଠାରେ ପହଞ୍ଚିଥିଲେ ହେଁ ଡ୍ୟୁଟିରେ ଡାକ୍ତର କୌଣସି ପ୍ରକାରର ସହାୟତା କରି ନଥିଲେ। ସେ ମୋବାଇଲରେ ବ୍ୟସ୍ତ ରହିଥିଲେ। ନର୍ସମାନେ ମଧ୍ୟ ନିଜ ନିଜ ଭିତରେ ଥଟ୍ଟାମଜାରେ ମାତି ଥିବା ଦୀନେଶ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ହସ୍ପିଟାଲର ଡାକ୍ତର କିମ୍ବା କର୍ମଚାରୀ, କେହି ବି ଭଲ ଭାବେ କଥା ହୋଇ ନଥିଲେ। ଏମର୍ଜେନ୍ସି ସମୟରେ ମଧ୍ୟ ଡାକ୍ତର ମୋ ୧୪ ମାସର ପୁଅକୁ ଠିକ ଭାବେ ଚେକ କରି ନଥିଲେ। ଚେକ କରିବା ବଦଳରେ ସେ ପୁଅକୁ ଅଲମୋରାକୁ ପଠାଇ ଦେଇଥିଲେ।”

ପିଲାଟିର ମସ୍ତିଷ୍କରେ ରକ୍ତସ୍ରାବ ହେଉଥିବା ବେଳେ ଆଇସିୟୁରେ କୌଣସି ଶିଶୁ ରୋଗ ବିଶେଷଜ୍ଞ ନଥିଲେ। ଏଥିଯୋଗୁ ଡାକ୍ତର ତାଙ୍କୁ ଗୋଟିଏ ଭଲ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବାକୁ ବାଧ୍ୟ ହୋଇଥିଲେ। ପିଲାଟିର ମା’ଙ୍କ କହିବା କଥା ଯେ ସେ ସନ୍ଧ୍ୟା ୭ଟାରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ କଲ ପାଇବାର ଅଢ଼େଇ ଘଣ୍ଟା ପରେ ଆମ୍ବୁଲାନ୍ସ ଆସିଥିଲା। ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଅନୁରୋଧ ପରେ ଆମ୍ବୁଲାନ୍ସ ମିଳିଥିଲା।

ସେ କହିଛନ୍ତି, “ଡାକ୍ତରମାନେ ଯେତେବେଳେ ଭଲ ଚିକିତ୍ସା ପାଇଁ ୧୦୮କୁ ଫୋନ କରିବାକୁ କହିଥିଲେ ମୁଁ ତୁରନ୍ତ ପଦକ୍ଷେପ ନେଇଥିଲେ। କିନ୍ତୁ ସେପଟୁ କୌଣସି ତତ୍ପରତା ପ୍ରକାଶ ପାଇ ନଥିଲା। ମୁଁ ଏକା ଥିଲି। ମୋ ସ୍ୱାମୀ ଜମ୍ମୁ-କଶ୍ମୀରରେ ଡ୍ୟୁଟି କରୁଥିଲେ। ମୁଁ ଆମ୍ବୁଲାନ୍ସ ଆସୁ ନଥିବା ନେଇ ଡାକ୍ତରଙ୍କୁ ଜଣାଇଥିଲେ। ହସ୍ପିଟାଲ କର୍ମଚାରୀ ସବୁ ଜାଣି ମଧ୍ୟ ସହାୟତା କରି ନଥିଲେ। ସେମାନେ ଆମ ନେହୁରାକୁ ଖାତିର କରି ନଥିଲେ।”

ରାତି ୯.୩୦ରେ ଆମ୍ବୁଲାନ୍ସ ଆସିବା ପରେ ପିଲାଟିକୁ ଅଲମୋରା ମେଡିକାଲ କଲେଜକୁ ନିଆଯାଇଥିଲା। ଏହା ୪ର୍ଥ ହସ୍ପିଟାଲ ଥିଲା। ସେଠାରେ ପିଲାଟିର ଚିକିତ୍ସା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେମାନେ ପିଲାଟିକୁ ହଲଦୱାନିର ନୈନତାଲରେ ଥିବା ଗୋଟିଏ ହସ୍ପିଟାଲକୁ ରେଫର କରି ଦେଇଥିଲେ।

ହଲଦୱାନ ସ୍ଥିତ ହସ୍ପିଟାଲର ଡାକ୍ତରମାନେ ଜୁଲାଇ ୧୨ରେ ପିଲାଟିକୁ ଭେଣ୍ଟିଲେଟରରେ ଭର୍ତ୍ତି କରିଥିଲେ। କିନ୍ତୁ ୪ ଦିନ ପରେ ଅର୍ଥାତ ଜୁଲାଇ ୧୬ରେ ପିଲାଟିକୁ ମୃତ ଘୋଷଣା କରାଯାଇଥିଲା।

ଦୀନେଶ କହିଛନ୍ତି, “ଦାୟିତ୍ୱରେ ଥିବା ଲୋକଙ୍କୁ ମୁଁ ପଚାରିବାକୁ ଚାହୁଁଛି ଯେ ଏମର୍ଜେନ୍ସିର ଅର୍ଥ କ’ଣ? ଦାୟିତ୍ୱହୀନତା ପାଇଁ ଆମେ ଆମ ପୁଅକୁ ହରାଇଛୁ।” ସୀମାରେ ଦେଶର ସୁରକ୍ଷା କରୁଥିବା ଶିବାଂଶଙ୍କ ବାପା ଘଟଣାରେ ଭାଙ୍ଗି ପଡ଼ିଛନ୍ତି। ମା’ଙ୍କ ଆଖିରୁ ମଧ୍ୟ ଲୁହ ଶୁଖିବାର ନାଁ ନେଉ ନାହିଁ। ପୂରା ଅଞ୍ଚଳରେ ମଧ୍ୟ ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

Medical Negligence Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe