Advertisment

ଅପରେସନ ସିନ୍ଦୂର: କେଉଁ ୫ ପ୍ରମୁଖ ପାକିସ୍ତାନୀ ଆତଙ୍କବାଦୀ ହରାଇଛନ୍ତି ପ୍ରାଣ?

ଏହି ସବୁ ଆତଙ୍କବାଦୀଙ୍କୁ ପାକିସ୍ତାନରେ ହିରୋ ଭଳି ବିଦାୟ ଜଣାଯାଇଛି। ପାକିସ୍ତାନ ସେନା ଓ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଅନ୍ତିମ ସଂସ୍କାର ବେଳେ ଯୋଗ ଦେବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Jaish

Jaish

Advertisment

ମେ’ ୭ ଭୋର ୧.୩୦ରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଅପରେସନ ସିନ୍ଦୂରକୁ କାର୍ଯ୍ୟକାରୀ କରିଥିଲା। ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ୯ ଆତଙ୍କୀ ଆଡ୍ଡା ଉପରେ କରିଥିଲା ମିସାଇଲ ମାଡ଼। ଏଥିରେ ୫ ପ୍ରମୁଖ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ଭାରତର ଅପରେସନ ସିନ୍ଦୂରରେ ପ୍ରାଣ ହରାଇଥିବା ୫ ପ୍ରମୁଖ ଆତଙ୍କବାଦୀଙ୍କ ପରିଚୟ ମିଳିଛି।

Advertisment

ସେମାନେ ହେଲେ ମୁଦାସର ଖାଦିଆନ ଖାସ, ହାଫିଜ ମହମ୍ମଦ ଜାମୀଲ, ମହମ୍ମଦ ୟୁସୁଫ ଆଝାର, ଖାଲିଦ(ଅବୁ ଆକାଶ) ଓ ମହମ୍ମଦ ହାସନ ଖାନ। ଲସ୍କର-ଇ-ତାଏବା ଓ ଜୈଶ ମହମ୍ମଦ ଭଳି ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନର ବଡ଼ବଡ଼ ପଦବୀରେ ଏହି ୫ ଆତଙ୍କବାଦୀ ରହିଥିଲେ।

ଭାରତ ବିରୋଧୀ ଷଡ଼ଯନ୍ତ୍ରର ବିନ୍ଧାଣି ବୋଲି ଏମାନଙ୍କୁ କୁହାଯାଏ। ସବୁଠାରୁ ଆଚମ୍ବିତ କଥା ହେଲା, ଏହି ସବୁ ଆତଙ୍କବାଦୀଙ୍କୁ ପାକିସ୍ତାନରେ ହିରୋ ଭଳି ବିଦାୟ ଜଣାଯାଇଛି। ପାକିସ୍ତାନ ସେନା ଓ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଅନ୍ତିମ ସଂସ୍କାର ବେଳେ ଯୋଗ ଦେବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Advertisment

କିଏ ସେହି ୫ ଆତଙ୍କବାଦୀ ?

୧- ମୁଦାସିର ଖାଦିଆନ ଖାସ: ଆତଙ୍କବାଦୀ ଦୁନିଆରେ ଖାସକୁ ସମସ୍ତେ ମୁଦାସିର ଓ ଅବୁ ଜୁନ୍ଦାଲ ନାଁରେ ଜାଣନ୍ତି। ହାଫିଜ ସୟିଦର ଲସ୍କର-ଇ-ତାଏବା ପାଇଁ ଖାସ କାମ କରୁଥିଲା। ପାକିସ୍ତାନର ମୁରିଦକେରେ ଥିବା ମର୍କଜ ତାଏବା ନାମକ ଲସ୍କରର ସବୁଠାରୁ ବଡ଼ ଆତଙ୍କୀ କ୍ୟାମ୍ପର ଦାୟିତ୍ୱ, ତା’ ହାତରେ ଥିଲା। ଭାରତୀୟ ସୀମା ଠାରୁ ମାତ୍ର ୨୫ କିମି ଦୂରରେ ଏହା ରହିଛି। ଲସ୍କରର ମୁଖ୍ୟାଳୟ ଭାବେ ଏହା ପରିଚିତ। ଅନେକ ଭାରତ ବିରୋଧୀ ଆତଙ୍କୀ ହମଲାରେ ଖାସ ମୁଦାସିର ସକ୍ରିୟ ଭୂମିକା ନେଇଥିଲା।

ମୁମ୍ବାଇ ୨୬/୧୧ ହମଲା ବେଳେ ଜୀବନ୍ତ ଧରାପଡ଼ିଥିବା ଲସ୍କର ଆତଙ୍କବାଦୀ ଅଜମଲ କସାବ ଏକଦା ଜେରା ବେଳେ ମର୍କଜ ତାଏବାରେ ତାଲିମ ନେଇଥିବା ସ୍ୱୀକାର କରିଥିଲା। ୨୬/୧୧ ଆତଙ୍କବାଦୀ ହମଲାର ଅନ୍ୟତମ ଷଡ଼ଯନ୍ତ୍ରକାରୀ ଡାଭିଡ ହେଡଲୀ ମଧ୍ୟ ଏଠାରେ ତାଲିମ ନେଇଥିଲା। ଭାରତ ଅପରେସନ ସିନ୍ଦୂର ଦ୍ୱାରା ମର୍କଜ ତାଏବାକୁ ଉଡ଼ାଇ ଦେଇଛି। ଖାସ ପ୍ରାଣ ହରାଇଥିବା ବେଳେ ତା’ର ଅନ୍ତିମ ସଂସ୍କାରରେ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ହାଫିଜ ଅବଦୁଲ ରୌଫ ସାମିଲ ହୋଇଥିଲା।

ଗୋଟିଏ ସରକାରୀ ସ୍କୁଲରେ ତା’ର ସଂସ୍କାର କରାଯାଇଥିଲା। ପାକିସ୍ତାନ ପକ୍ଷରୁ ଖାସକୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ଓ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମାରୟମ ନୱାଜଙ୍କ ତରଫରୁ ଖାସ ପାଇଁ ସ୍ୱତନ୍ତ୍ର ବାର୍ତ୍ତା ପଠାଯାଇଥିଲା। ଅନ୍ୟ ସେନା ଅଧିକାରୀ ତା’ର ସଂସ୍କାରରେ ସାମିଲ ହୋଇଥିଲେ।

୨- ହାଫିଜ ମହମ୍ମଦ ଜାମୀଲ: ଜୈଶ-ଇ-ମହମ୍ମଦ ସହ ଏହାର ଲିଙ୍କ ରହିଥିଲା। ସେ ଜୈଶର ପ୍ରତିଷ୍ଠାତା ମୌଲାନା ମସୁଦ ଆଝାରର ଭିଣୋଇ। ଅନ୍ତର୍ଜାତୀୟ ସୀମା ଠାରୁ ୧୦୦ କିମି ଦୂର ବାହାବଲପରା ସ୍ଥିତ ମର୍କଜ ସୁଭାନ ଆଲ୍ଲାର ଦାୟିତ୍ୱ ଜାମୀଲ ହାତରେ ଥିଲା। ଯୁବଗୋଷ୍ଠୀଙ୍କୁ ପ୍ରଲୋଭିତ କରି ସେ ଜୈଶର ନିଯୁକ୍ତି ଦେଉଥିଲା ଓ ସଂଗଠନ ପାଇଁ ପାଣ୍ଠି ସଂଗ୍ରହରେ ସହାୟତା କରୁଥିଲା।

ବାହାବଲପୁରରେ ଥିବା ଜୈଶ ମୁଖ୍ୟାଳୟରେ ନିଯୁକ୍ତି, ତାଲିମ ଓ ଯୁବକମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରିବା ଭଳି କାମ ଚାଲୁଥିଲା। ମସୁଦ ଆଝାର ମଧ୍ୟ ଏଠାରେ ପ୍ରାୟ ରହିଥାଏ। ମେ’ ୭ରେ ଭାରତ ଏଠାରେ ମିସାଇଲ ମାଡ଼ କରିଥିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ ଆଝାର ପରିବାରର ୧୦ ଜଣ ସଦସ୍ୟ ଓ ୪ ଜଣ ସହଯୋଗୀ ପ୍ରାଣ ହରାଇଛନ୍ତି। ଏବେ ଏହି ୧୪ ଜଣଙ୍କ ମଧ୍ୟରେ ଜାମୀଲ ଥିବା ସ୍ପଷ୍ଟ ହୋଇଛି।

୩- ମହମ୍ମଦ ୟୁସୁଫ ଆଝାର: ଜୈଶର ଆଉ ଜଣେ କୁଖ୍ୟାତ ଆତଙ୍କବାଦୀ ହେଲା ୟୁସୁଫ ଆଝାର ଓରଫ ଉସ୍ତାଦ ଜୀ ଓରଫ ମହମ୍ମଦ ସଲିମ। ସେ ମଧ୍ୟ ମସୁଦ ଆଝାରର ଭିଣୋଇ। ଜୈଶରେ ଆତଙ୍କବାଦୀଙ୍କୁ ଯୁଦ୍ଧାସ୍ତ୍ର ଚଳାଇବାର ତାଲିମ ସେ ଦେଉଥିଲା। ଜମ୍ମୁ-କଶ୍ମୀରରେ ହୋଇଥିବା ଏକାଧିକ ଆତଙ୍କବାଦୀ ହମଲାରେ ସେ ସାମିଲ ଥିଲା। ୧୯୯୯ ମସିହା ଆଇସି-୮୧୪ ବିମାନ ଅପହରଣ ବା କାନ୍ଦାହର ଅପହରଣ ହମଲାରେ ବି ସେ ସାମିଲ ଥିଲା। ଏହି ବିମାନ ଅପହରଣ ଯୋଗୁ ଭାରତ ସରକାର କଶ୍ମୀରରୁ ଏକଦା ଧରାପଡ଼ିଥିବା ଆଝାରକୁ ଜେଲରୁ ଖଲାସ କରିବାକୁ ବାଧ୍ୟ ହୋଇଥିଲେ।

୪- ଅବୁ ଆକାଶ: ଲସ୍କର-ଇ-ତାଏବାର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ହେଉଛି ଅବୁ ଆକାଶ ଓରଫ ଖାଲିଦ। ଜମ୍ମୁ-କଶ୍ମୀରରେ ହୋଇଥିବା ଅନେକ ଆତଙ୍କବାଦୀ ହମଲାରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଲସ୍କର ପାଇଁ ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅପରେସନ ସିନ୍ଦୂରରେ ସେ ପ୍ରାଣ ହରାଇବା ପରେ ତା’ର ଅନ୍ତିମ ସଂସ୍କାରର ପାକିସ୍ତାନର ଫୈସଲାବାଦରେ ହୋଇଥିଲା। ପାକିସ୍ତାନ ଆର୍ମିର ବରିଷ୍ଠ ଅଧିକାରୀ ଓ ଫୈସଲାବାଦର ଡେପୁଟି କମିଶନର ଏଥିରେ ଯୋଗ ଦେଇଥିଲେ।

୫- ମହମ୍ମଦ ହାସନ ଖାନ: ବ୍ୟାନ ହୋଇଥିବା ଜୈଶର ଆଉ ଜଣେ ଆତଙ୍କୀ ହେଉଛି ମହମ୍ମଦ ହାସନ ଖାନ। ମେ’ ୭ରେ ପ୍ରାଣ ହରାଇଥିବା ଶତାଧିକ ଆତଙ୍କବାଦୀ ମଧ୍ୟରେ ହାସନ ଖାନ ରହିଥିଲା। ସେ ମୁଫତି ଅସଘର ଖାନ କଶ୍ମୀରର ପୁଅ। ଅସଘର ହେଉଛି ପାକିସ୍ତାନ ଅଧିକୃତ କଶ୍ମୀରରେ ଲସ୍କରର ଅପରେସନାଲ କମାଣ୍ଡର ଭାବେ କାମ କରୁଛି। ଜମ୍ମୁ-କଶ୍ମୀରରେ ହେଉଥିବା ଆତଙ୍କବାଦୀ ଆକ୍ରମଣର ରୂପରେଖ ମୁଫତି ଅସଘର ପ୍ରସ୍ତୁତ କରିଥାଏ। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ସେ ସହଯୋଗ କରେ।

Terror Attack Jammu Kashmir Pahalgam Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe